କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ । ଗ୍ୟାସ, ଡିଜେଲ ପେଟ୍ରୋଲରୁ କମାଇଥିବା ୨୩ ଲକ୍ଷ କୋଟି ଟଙ୍କା କୁଆଡେ ଗଲା ?

164

କନକ ବ୍ୟୁରୋ : ପୁଣିଥରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି କେନ୍ଦ୍ର ସରକାର ତୈଳ ଓ ଗ୍ୟାସର ମୁଲ୍ୟ ବୃଦ୍ଧି କରି ସାଧାରଣ ଲୋକଙ୍କୁ ସିଧା ସଳଖ ଲୁଟୁଛନ୍ତି । ଏହି ସାମଗ୍ରୀର ଦରବୃଦ୍ଧି ଫଳରେ ଟ୍ରାନ୍ସପୋର୍ଟିଂ ମହଙ୍ଗା ହୋଇଛି ଓ ବଜାରରେ ଖାଦ୍ୟ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଇଛି ।

ପାର୍ଟିର କେନ୍ଦ୍ରୀୟ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧୀ କହିଛନ୍ତି କି ଦେଶରେ ଏବେ ଜିଡିପିର ଅର୍ଥ ଗ୍ୟାସ, ଡିଜେଲ ଓ ପେଟ୍ରୋଲ ବୋଲି ଜନସାଧାରଣ ଧରି ନେଇଛନ୍ତି । ଗୋଟେପଟେ କେନ୍ଦ୍ର ସରକାର ତୈଳ ଓ ଗ୍ୟାସରୁ ୨୩ ଲକ୍ଷ କୋଟି ଟଙ୍କା ରୋଜଗାର କରିଥିବା ବେଳେ ସେ ଟଙ୍କା କୁଆଡେ ଗଲା ବୋଲି ସେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।
ଅନ୍ୟପଟେ ସେ କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି କି ମୁଦ୍ରିକରଣ ଓ ବିମୁଦ୍ରିକରଣ ଏକ ସାଙ୍ଗରେ ହୋଇଛି । ନରେନ୍ଦ୍ର ମୋଦୀଙ୍କ ୪/୫ ଜଣ ବନ୍ଧୁଙ୍କ ମୁଦ୍ରିକରଣ ହେଉଛି ଓ ଜନତାଙ୍କ ପାଇଁ ବିମୁଦ୍ରିକରଣ । ପ୍ରଧାନମନ୍ତ୍ରୀ ପ୍ରଥମେ କହିଥିଲେ କି ବିମୁଦ୍ରିକରଣ ଓ ଏବେ ଅର୍ଥମନ୍ତ୍ରୀ କହୁଛନ୍ତି କି ମୁଦ୍ରିକରଣ କରୁଛୁ ।

ବଢୁଥିବା ବଜାର ଦରକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ ୨୦୧୪ ରେ ଯେବେ ୟୁପିଏ ସରକାର ଥିଲା ଗ୍ୟାସର ଦାମ ୪୧୦ ଟଙ୍କା ଥିଲା । ମାତ୍ର ୭ ବର୍ଷରେ ମୋଦୀ ସରକାର ଏହାକୁ ୮୮୫ ରେ ପହଂଚାଇ ସାରିଲେଣି, ଅର୍ଥାତ ୭ ବର୍ଷ ମଧ୍ୟରେ ଗ୍ୟାସର ଦାମ ୧୧୬ ପ୍ରତିଶତ ବୃଦ୍ଧି ପାଇଛି । ଅନ୍ୟପଟେ ୨୦୧୪ ରୁ ୨୦୨୧ ମଧ୍ୟରେ ପେଟ୍ରୋଲ ୪୨ ପ୍ରତିଶତ ଓ ଡିଜେଲ ୫୫ ପ୍ରତିଶତ ମୂଲ୍ୟ ବୃଦ୍ଧି ହୋଇଛି । ହେଲେ ସେହି ତୁଳନାରେ ଜନତାଙ୍କ ଆୟ କାହିଁକି ବୃଦ୍ଧି ହୋଇନାହିଁ ବୋଲି ସେ ମୋଦୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।