ନିର୍ଦ୍ଧାରିତ ସମୟର ୪ ଦିନ ପୂର୍ବରୁ ସମାପ୍ତ ହେବ ଭାରତ ଯୋଡ ନ୍ୟାୟ ଯାତ୍ରା । ମାର୍ଚ୍ଚ ୧୭ ରେ ମୁମ୍ବାଇରେ ଇଣ୍ଡିଆ ମେଣ୍ଟ କରିବ ମହାରାଲି

110

କନକ ବ୍ୟୁରୋ : କଂଗ୍ରେସ ତରଫରୁ ଚାଲିଥିବା ଭାରତ ଯୋଡ ନ୍ୟାୟ ଯାତ୍ରା ମାର୍ଚ୍ଚ ୧୬ ତାରିଖରେ ମହରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ସମାପ୍ତ ହେବ । ଏହାର ଗୋଟିଏ ଦିନ ପରେ ଅର୍ଥାତ ମାର୍ଚ୍ଚ ୧୭ ତାରିଖରେ ବିରୋଧୀଦଳମାନଙ୍କର ଇଣ୍ଡିଆ ମେଣ୍ଟ ମୁମ୍ବାଇରେ ଏକ ମହାରାଲି କରିବ । ଏଥିରେ ଇଣ୍ଡିଆ ମେଣ୍ଟର ସମସ୍ତ ନେତା ସାମିଲ ହେବେ । ଭାରତ ଯୋଡ ନ୍ୟାୟଯାତ୍ରା ମାର୍ଚ୍ଚ ୨୦ରେ ସମାପ୍ତ ହେବାକୁ ଥିବା ବେଳେ ୪ ଦିନ ପୂର୍ବରୁ ଯାତ୍ରା ସମାପ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଭାରତ ଯୋଡ ନ୍ୟାୟଯାତ୍ରାର ଆରମ୍ଭ ଜାନୁଆରୀ ୧୪ ତାରିଖରୁ ଆରମ୍ଭ ହୋଇଥିଲା । ମଣିପୁରର ଏହି ଯାତ୍ରା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବାହାରିଥିଲା । ଏହା ମାର୍ଚ୍ଚ ୨୦ ତାରିଖରେ ସମାପ୍ତ ହେବାର ଥିଲା । ହେଲେ ଏହାକୁ ନିର୍ଦ୍ଧାରିତ ସମୟର ୪ ଦିନ ପୂର୍ବରୁ ସମାପ୍ତ କରାଯିବ ।

ସେପଟେ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା ହେବାକୁ ଯାଉଛି । କିନ୍ତ ଇଣ୍ଡିଆ ମେଣ୍ଟ ଏପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ । କେବଳ ପଞ୍ଜାବ, ଦିଲ୍ଲୀ, ଉତ୍ତର ପ୍ରଦେଶ ଭଳି କିଛି ରାଜ୍ୟରେ ଆସନ ବୁଝାମଣା ହୋଇଛି । ସେପଟେ ପଶ୍ଚିମବଙ୍ଗରେ ମମତା –କଂଗ୍ରେସ ମେଣ୍ଟ ନେଇ କିଛିଟା ଆଶ୍ୱସ୍ତିକର ଖବର ଆସିଥିଲେ ବି ତାହା ଫଳବତୀ ହୋଇନାହିଁ । ଏସବୁକୁ ନଜରରେ ରଖି କଂଗ୍ରେସ ଭାରତ ଯୋଡ ନ୍ୟାୟଯାତ୍ରା ବନ୍ଦ କରି ନିର୍ବାଚନ ପାଇଁ ମେଣ୍ଟକୁ ପ୍ରସ୍ତୁତ କରିବ ବୋଲି କୁହାଯାଉଛି ।