ସାରା ଦେଶରେ କଂଗ୍ରେସର ପ୍ରତିବାଦ। ରାସ୍ତାରେ ପୋଡାଜଳା, ପୋଲିସ ସହ ଧସ୍ତାଧସ୍ତି । 

154

କନକ ବ୍ୟୁରୋ: ଉତ୍ତରଭାରତରୁ ପୂର୍ବ ଭାରତ, ପଶ୍ଚିମରୁ ଦକ୍ଷିଣ । ଆଜି ଦେଖିବାକୁ ମିଳିଛି କଂଗ୍ରେସର ହଲ୍ଲାବୋଲ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଗୁରୁବାର ବଡଧରଣର ବିରୋଧ ପ୍ରଦର୍ଶନ କରିଛି କଂଗ୍ରେସ । କେଉଁଠି ପୋଡାଜଳା ତ ପୁଣି କେଉଁଠି ସ୍ଲୋଗାନ । ଶହ ଶହ ସଂଖ୍ୟକ କଂଗ୍ରେସ କର୍ମୀ, ସମର୍ଥକ ନେତା ମିଳିତ ପ୍ରଦର୍ଶନ କରିଛନ୍ତି । ପ୍ରଦର୍ଶନ ସମୟରେ ପୋଲିସ ସହ ଧସ୍ତାଧସ୍ତି ସହ କଂଗ୍ରେସକର୍ମୀଙ୍କ ମୁହାଁମୁହିଁ ଘଟଣା ବି ସାମ୍ନାକୁ ଆସିଛି । ନ୍ୟାସନାଲ ହେରାଲ୍ଡ ମନିଲଣ୍ଡ୍ରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡିର ସମନ ଓ ଦିଲ୍ଳୀ ପୋଲିସର ବର୍ବରତା ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ନେତା ଓ କର୍ମୀ । ରାଜ୍ୟ କଂଗ୍ରେସ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

କେନ୍ଦ୍ରରେ ମୋଦି ସରକାରଙ୍କର ଏକଛତ୍ରବାଦୀ ନୀତି ଓ ପୋଲିସର ଦମନଲୀଳା ବିରୋଧରେ ବିକ୍ଷୋଭ କରିଛନ୍ତି । ଦେଶର ସବୁ ରାଜଭବନ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଏମିତି ପ୍ରତିବାଦ କରାଯାଇଛି । ପ୍ରଦର୍ଶନ ସମୟରେ ପୋଲିସ ବିକ୍ଷୋଭକାରୀଙ୍କ ଉପରେ ପାଣି ମାଡ କରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରାହୁଲଙ୍କ ଚତୁର୍ଥ ଦିନରେ ହାଜର ପାଇଁ ପୁଣି ସମନ କରାଯାଇଛି । ଶୁକ୍ରବାର ଇଡିରେ ହାଜର ହେବା କୁହାଯାଉଛି । ଗତ ତିନି ଦିନରେ ରାହୁଲ ଗାନ୍ଧୀ ଇଡି କାର୍ଯ୍ୟାଳୟରେ ପ୍ରାୟ ୩୦ ଘଣ୍ଟା ବିତାଇଛନ୍ତି ।

ବୁଧବାର ରାହୁଲଙ୍କୁ ଇଡିର ଜେରାକୁ ନେଇ କଂଗ୍ରେସ ଲଗାତାର ୩ୟ ଦିନରେ ପ୍ରଦର୍ଶନ କରିବା ସମୟରେ ଦିଲ୍ଲୀ ପୁଲିସ ସହ ମୁହାଁମୁହିଁ ହୋଇଥିଲା । ଏଆଇସିସି କାର୍ଯ୍ୟାଳୟ ଭିତରେ ପଶି ଦିଲ୍ଲୀ ପୋଲିସ ବର୍ବରତା କରିଥିବା ଅଭିଯୋଗ କରି ବିରୋଧ କରୁଛି କଂଗ୍ରେସ । ସେପେଟ ଦିଲ୍ଲୀ ପୋଲିସ କହିଛି କଂଗ୍ରେସ ଇଡି ଓ ଦଳର ମୁଖ୍ୟାଳୟରେ ଲଗାଯାଇଥିବା ୧୪୪ ଧାରାର ଉଲ୍ଲଂଘନ କରିଥିବା ଯୋଗୁଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଲଗାତାର ୩ଦିନ ଧରି ରାହୁଲଙ୍କ ଜେରା କରାଯାଇଛି । ପୁଣି ଥରେ ଶୁକ୍ରବାର ଜେରା ପାଇଁ ଇଡି ନିକଟରେ ହାଜର ହେବେ । ଗୁରୁବାର ଗୋଟେ ଦିନ ମିଳିଥିବା ମୌକାକୁ ଦଳ ହାତ ଛଡା ନକରି କେନ୍ଦ୍ର ଓ ଦିଲ୍ଲୀ ପୁଲିସ ବିରୋଧରେ ରାସ୍ତାକୁ ଓହ୍ଲାଇଛି ।