ପକେଟ୍ ଉପରେ ପେଟ୍ରୋଲ ମାଡ଼ ! ରାତି ପାହିଲେ ବଢ଼ିଯାଉଛି ଦର, ଲିଟର ପିଛା ମୂଲ୍ୟ ପହଞ୍ଚିଲା ୮୧ ଟଙ୍କା, ସେପଟେ ତେଜିଲା ରାଜନୀତି ।

27

କନକ ବ୍ୟୁରୋ : ଗତ ୧୦ ଦିନ ଧରି ତେଲ ଦର ଲଗାତର ବଢିବା ସହ ଆଜି ସର୍ବକାଳୀନ ରେକର୍ଡ ଛୁଇଁଛି । ଆଜି ପେଟ୍ରୋଲ ଲିଟର ୮୧ ଟଙ୍କା ପାର୍ କରିଛି, ଆଉ ପ୍ରିମିୟମ ତେଲର ଦାମ୍ ରହିଛି ୮୪ ଉପରେ । ବେଲଗାମ ତେଲ ଦର ଗ୍ରାହକଙ୍କ ଚିନ୍ତା ବଢାଇଦେଇଛି । ସେପଟେ ବଢୁଥିବା ତେଲ ଦର ପ୍ରତିବାଦରେ ଆଜି ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ତେଲର ଦାମ୍ ହୁ ହୁ ବଢି ଚାଲିଥିବା ବେଳେ ଏହାକୁ ନେଇ ଜୋର୍ ଧରିଛି ରାଜନୀତି ।

ରାତି ପାହିଲେ ବଢୁଛି ତେଲ ଦର । ଦିନକୁ ଦିନ ଦର ବେଲଗାମ ହେଲାଣି । ସୋମବାର ସର୍ବକାଳୀନ ରେକର୍ଡ ସ୍ତରରେ ପହଁଚିଛି ପେଟ୍ରୋଲ । ଲିଟର ପିଛା ମୂଲ୍ୟ ୮୧ ଟଙ୍କା ଟପିଛି । ଆଉ ପ୍ରିମିୟମର ଦାମ୍ ୮୪ ଉପରେ । ତେଲ ପକାଇବାକୁ ଟାଙ୍କିକୁ ଆସିଲେ ମୁଣ୍ଡ ଚକ୍କର ଖାଇଯାଉଛି ବଢୁଥିବା ତେଲ ଦର ଦେଖି ।

ନବରଙ୍ଗପୁରରେ ପେଟ୍ରୋଲ ଲିଟର ପିଛା ଦାମ୍ ରହିଛି ୮୧ ଟଙ୍କା ୮୫ ପଇସା । ସେହିପରି ବ୍ରହ୍ମପୁରରେ ପେଟ୍ରୋଲ ଲିଟରକୁ ୭୮ ଟଙ୍କା ୯୬ ପଇସା ଓ ଡିଜେଲ ୭୭ ଟଙ୍କା ୨୭ ପଇସା, ସମ୍ବଲପୁରରେ ପେଟ୍ରୋଲ ୭୮ ଟଙ୍କା ୬୪ ପଇସାରେ ବିକ୍ରି ହେଉଛି । ରାଜଧାନୀ ଭୁବନେଶ୍ୱରରେ ସୋମବାର ପେଟ୍ରୋଲ ୭୮ ଟଙ୍କା ୭ପଇସା ଓ ଡିଜେଲ ୭୬ ଟଙ୍କା ୩୮ ପଇସା ରହିଛି । କଟକରେ ପେଟ୍ରୋଲ ଲିଟରକୁ ୭୮ ଟଙ୍କା ୩୦ ପଇସା ଓ ଡିଜେଲ୍ ୭୬ ଟଙ୍କା ୬୨ ପଇସା ରହିଛି ।

ସେପଟେ ବଢିଚାଲିଥିବା ତେଲ ଦର ନେଇ ଦେଖାଦେଇଛି ପ୍ରତିବାଦ । ରାଜରାସ୍ତାରେ ନିଆଁ ଜଳୁଛି । ବେଲଗାମ ତେଲ ଦର ବିରୋଧରେ ବିକ୍ଷୋଭ କରିଛି କଂଗ୍ରେସ । ଗ୍ରାହକଙ୍କ ଉପରେ ତେଲର ମହଙ୍ଗା ମାଡ ପାଇଁ ଉଭୟ ବିଜେଡି ଓ ବିଜେପିକୁ ଦାୟୀ କରିଛି ଦଳ । ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମି କମି ଚାଲିଛି ଆଉ ସେହି ଅନୁସାରେ ବଢି ବଢି ଚାଲିଛି ପେଟ୍ରୋଲ ଦର । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଇଥିଲେ ବି ଉପରମୁହାଁ ହେଉଛି ତେଲର ମୂଲ୍ୟ । କିପରି ଦର ହ୍ରାସ ପାଇବ, ସେନେଇ କିଛି ବି ପଦକ୍ଷେପ ନେଉନାହାଁନ୍ତି ସରକାର । ଫଳରେ ମହଙ୍ଗା ମାଡରେ ପେଶି ହୋଇଯାଉଛନ୍ତି ଗ୍ରାହକ ।