ପେଟ୍ରୋଲ, ଡିଜେଲ ଦର ବୃଦ୍ଧିକୁ ନେଇ କଂଗ୍ରେସର ବିରୋଧ: ଭୁବନେଶ୍ୱରରେ କଂଗ୍ରେସ କର୍ମୀ ଓ ନେତାଙ୍କ ଧାରଣା; ସେପଟେ କେନ୍ଦ୍ର ସରକାର ବିରୋଧରେ କ୍ୟାମ୍ପେନ ଆରମ୍ଭ କଲେ ରାହୁଲ ଗାନ୍ଧୀ

170

କନକ ବ୍ୟୁରୋ: ତେଲ ଦର ବୃଦ୍ଧିକୁ ନେଇ କଂଗ୍ରେସର ପ୍ରତିବାଦ । ପ୍ରତ୍ୟକ ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବାରୁ ଏହାର ପ୍ରତିବାଦରେ ଭୁବନେଶ୍ୱର ରାଜଭବଦ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି । ତାଲାବନ୍ଦ ଯୋଗୁଁ ଲୋକଙ୍କ ଆର୍ଥିକ ସ୍ଥିତି ବିଗିଡି ଯାଇଥିବାବେଳେ ତେଲ ଦର ବୃଦ୍ଧି ଲୋକଙ୍କ ଉପରେ ବୋଝ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ୨୧ ଦିନ ଭିତରେ ଡିଜେଲ ୧୧ ଟଙ୍କା ଓ ପେଟ୍ରୋଲ ୯ ଟଙ୍କା ବଢିଛି । ଫଳରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଁଆ ହେଲାଣି । ଯେଉଁଥିପାଇଁ ଖଟିଖିଆ ମଜୁରିଆ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଏକ୍ସସାଇଜ ଡ୍ୟୁଟି ଓ ଭ୍ୟାଟ ଛାଡ କରିବାକୁ ଦାବି କରିଛି କଂଗ୍ରେସ ।

ଦେଶରେ ତେଲ ଦର ବୃଦ୍ଧି ପ୍ରତିବାଦରେ କ୍ୟାମ୍ପେନ ଆରମ୍ଭ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏକ ଭିଡିଓ ଟୁଇଟ୍ କରି ଏହି ପ୍ରତିବାଦରେ ସାମିଲ ହେବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ରାହୁଲ । ଟୁଇଟରେ ରାହୁଲ ଲେଖିଛନ୍ତି ଆସନ୍ତୁ , ତେଲ ଦର ବୃଦ୍ଧି ପ୍ରତିବାଦ କ୍ୟାମ୍ପେନରେ ଯୋଡି ହୁଅନ୍ତୁ । କରୋନା ମହାମାରୀର ମୁକାବିଲା ପାଇଁ ଲାଗୁ ହୋଇଥିବା ତାଲାବନ୍ଦ ଯୋଗୁଁ ଦେଶବାସୀଙ୍କ ଆର୍ଥିକ ସ୍ଥିତି ବିଗିଡି ଯାଇଥିବାବେଳେ କେନ୍ଦ୍ର ସରକାର ତେଲ ଦର ବୃଦ୍ଧି କରି ସେମାନଙ୍କ ଉପରେ ଆହୁରି ସମସ୍ୟାକୁ ଲଦି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ । ଗତ ତିନି ସପ୍ତାହ ହେବ ପ୍ରାୟ ପ୍ରତ୍ୟକ ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି ।