କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ବିରୋଧରେ ରାଜଧାନୀରେ ଗର୍ଜିଛି କଂଗ୍ରେସ । ଲୋକସଭା ଭବନ ଆଡକୁ କଂଗ୍ରେସର ନେତା ଓ କର୍ମୀ ଅଗ୍ରସର ହେବା ବେଳେ ଭୁବନେଶ୍ୱରର ଲୋୟର ପିଏମଜି କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିଲା । କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି । କଂଗ୍ରେସର ଏଭଳି ଗର୍ଜନକୁ କଟାକ୍ଷ କରିଛନ୍ତି ବିଜେଡି ଓ ବିଜେପି ।

Advertisment

ଭୁବନେଶ୍ୱରର ପ୍ରମୁଖ ଜନଗହଳିପୂର୍ଣ୍ଣ ଅଚଂଳ ଲୋୟର ପିଏମଜିରେ ଆଜି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଛି କଂଗ୍ରେସ । ଲୋକସେବା ଭବନ ଆଡକୁ କଂଗ୍ରେସ ନେତା ଓ କର୍ମୀ ଅଗ୍ରସର ହୋଇଥିଲେ । ଓଡିଶା ପ୍ରଭାରୀ ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ବିଧାୟକ, ନେତା ଓ କର୍ମୀ ବ୍ୟାରିକେଡ ଭାଙ୍ଗି ଆଗକୁ ବଢିଥିଲେ । ପୁଲିସ ପ୍ରଥମେ ପ୍ରଭାରୀଙ୍କୁ ଉଠାଇନେଇଥିଲା । ପିସିସି ସଭାପତି ଦୁଇଟି ବ୍ୟାରିକେଡ ଭାଙ୍ଗି ତୃତୀୟ ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରୁଥିବାବେଳେ କଂଗ୍ରେସ କର୍ମୀ -ପୁଲିସ ଧସ୍ତାଧସ୍ତି ହୋଇଥିଲେ । ପୁଲିସ କଂଗ୍ରେସ ନେତାଙ୍କୁ ଉଠାଇନେଇଥିଲା ।

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରି ଲୋୟର ପିଏମଜିରେ ଶକ୍ତି ପ୍ରଦର୍ଶନ କରିଥିଲା କଂଗ୍ରେସ । ପାଣି, ଖଣି, ବିଜୁଳି , ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ଅଭିଯୋଗ ଆଣି ଲୋକସଭା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିଲା କଂଗ୍ରେସ ଦଳ । ଏଥିପାଇଁ ଲୋୟର ପିଏମଜି ପୁଲିସ ଛାଉଣୀ ହୋଇଥିଲା । ପ୍ରତି ବ୍ଲକରୁ ଶହ ଶହ କଂଗ୍ରେସ କର୍ମୀ ଏକାଠି ହୋଇଥିଲେ । ସେପଟେ ବିଜେପି କହିଛି, କଂଗ୍ରେସର କୌଣସି ପ୍ରଭାବ ନାହିଁ । ଲୋକଦେଖାଣିଆ ପାଇଁ କଂଗ୍ରେସ ଏଭଳି କରୁଛି । ବିଜେଡି କହିଛି, ନିର୍ବାଚନ ଆସିଲେ ଏଭଳି ହୁଏ । ଏଥିରେ କଂଗ୍ରେସ ସଫଳ ହେବନାହିଁ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଓଡିଶାର ବିକାଶ କରୁଛି । ନିର୍ବାଚନ ପାଖେଇ ଆସିଲାଣି । ଆଉ ଭୋଟରଙ୍କ ପାଖରେ ପଂହଚିବାକୁ କଂଗ୍ରେସବି ଜୋରଦାର କସରତ ଆରମ୍ଭ କରିଦେଇଛି ।