କନକ ବ୍ୟୁରୋ: ଦରଦାମ ବୃଦ୍ଧି, ବେରୋଜଗାର ଏବଂ ଜିଏସଟିକୁ ନେଇ ଆଜି ସାରା ଦେଶରେ କଂଗ୍ରେସ କେନ୍ଦ୍ର ସରକାର ବିରୋଧରେ ବିକ୍ଷୋଭ ପଦର୍ଶନ କରିଛି । ସଂସଦର ଉଭୟ ଲୋକସଭା ଏବଂ ରାଜ୍ୟସଭାରେ କଂଗ୍ରେସ ସାଂସଦମାନେ ବିକ୍ଷୋଭ କରିଛନ୍ତି । ସବୁ କଂଗ୍ରେସ ସାଂସଦ ଏକାଠୀ ହୋଇ ରାଷ୍ଟ୍ରପତିଙ୍କ ଭବନ ଯାଏ ପଦଯାତ୍ରା କରିଛନ୍ତି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରୁ କଂଗ୍ରେସ ନେତା ଓ କର୍ମୀଙ୍କ ସହ ବାହାରିଥିଲେ ପ୍ରିୟଙ୍କା । ତା ପର ପୋଲିସ ତାଙ୍କୁ ଅଟକ ରଖାଯାଇଛି । କଂଗ୍ରେସ କର୍ମୀଙ୍କ ଭିଡକୁ ନଜରରେ ରଖି ବହୁମାତ୍ରାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା । ପ୍ରିୟଙ୍କା ଗାନ୍ଧୀ ବିକ୍ଷୋଭ ସ୍ଥଳରେ ବସିଥିବା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି ।

Advertisment

ରାହୁଲ ଗାନ୍ଧୀ ମଧ୍ୟ ବିରୋଧ ପ୍ରଦର୍ଶନକୁ ଓହ୍ଳାଇଥିଲେ । କଂଗ୍ରେସ ନେତାମାନେ କଳା କୁର୍ତା ପିନ୍ଧି ବିକ୍ଷୋଭ କରିଛନ୍ତି । ରାହୁଲ ଗାନ୍ଧୀଙ୍କୁ ବି ଅଟକ ରଖିଛି ପୋଲିସ । ମୁଦ୍ରାସ୍ଫିତି, ଦର ବୃଦ୍ଧି, ବେରୋଜଗାରୀ, ଜିଏସଟି ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାକୁ ନେଇ କଂଗ୍ରେସ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରୁଥିବା କହିଛନ୍ତି କଂଗ୍ରେସ ନେତା ମଲିକାର୍ଜୁନ ଖଡଗେ । ପୁଲିସ ରାହୁଲ ଗାନ୍ଧୀ, ଶଶି ଥରୁରଙ୍କ ଅଟକ ରଖିଛି । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି, ଦିନେ ହିଟଲର ମଧ୍ୟ ନିର୍ବାଚନ ଜିତିଥିଲେ । ଜର୍ମାନୀର ସବୁ ସଂସ୍ଥାକୁ ନିଜ ହାତକୁ ନେଇ ସେ ବାରମ୍ବାର ନିର୍ବାଚନରେ ବିଜୟୀ ହୋଇଥିଲେ । ତେବେ ତାଙ୍କ ହାତକୁ ଦେଶର ସବୁ ସଂସ୍ଥା ଦେଲେ କିପରି ନିର୍ବାଚନ ଜିତିହେବ ସେ ଦେଖାଇଦେବେ ବୋଲି କହିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି, ତାଙ୍କର ମାଇକ୍ରୋ ଅର୍ଥଶାସ୍ତ୍ର ଉପରେ ଜ୍ଞାନ ନାହିଁ । ଭାରତ ଅର୍ଥନୀତି କିପରି ଚାଲୁଛି ତାହା ଉପରେ ମଧ୍ୟ ଅର୍ଥମନ୍ତ୍ରୀ କିଛି ଜାଣନ୍ତି ନାହିଁ । ସେ କେବଳ ମୁଖପାତ୍ର ଭଳି କାର୍ଯ୍ୟ କରନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।