କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ଜୋରଦାର ବିରୋଧ । ଅମିତ ଶାହା ‘ଗୋ ବ୍ୟାକ୍’ ନାରା ସହ କୁଶ ପୁତ୍ତଳିକା ଦାହ କଲା କଂଗ୍ରେସ । ଦିଲ୍ଲୀ ହିଂସା ଘଟଣାରେ ଶାହାଙ୍କ ଇସ୍ତଫା ଦାବି

475

କନକ ବ୍ୟୁରୋ: ନାଗରିକତା ସଂଶୋଧନ ଆଇନ ଓ ଦିଲ୍ଲୀ ହିଂସାକାଣ୍ଡର ବିରୋଧ ଦେଖିବାକୁ ମିଳିଛି ରାଜଧାନୀରେ । ପୂର୍ବାଂଚଳ ଜୋନାଲ କମିଟି ବୈଠକରେ ସାମିଲ ହେବାକୁ ଅମିତ ଶାହା ଓଡିଶା ଆସିଥିବା ସମୟରେ ଏହି ଗସ୍ତକୁ ବିରୋଧ କରିଛି ରାଜ୍ୟ କଂଗ୍ରେସ । ଦିଲ୍ଲୀ ହିଂସାକାଣ୍ଡକୁ ନେଇ ଶାହାଙ୍କ ଓଡିଶା ଗସ୍ତକୁ ବିରୋଧ କରି ଅମିତ ଶାହା ‘ଗୋ ବ୍ୟାକ୍’ ନାରା ଦେଇଛନ୍ତି କଂଗ୍ରେସ କର୍ମୀ ଓ ନେତା ।

ଏହା ସହିତ ଶାହାଙ୍କ ପୋଷ୍ଟର ଓ କୁଶପୁତଳିକା ଦାହ କରିଛନ୍ତି । ଆଜି ଲୋକସେବା ଭବନରେ ଶାହା ପୂର୍ବାଂଚଳ ଜୋନାଲ କମିଟି ବୈଠକ କରୁଥିବା ସମୟରେ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନରେ କଂଗ୍ରେସ କର୍ମୀ ଶାହାଙ୍କ ଗସ୍ତକୁ ନେଇ ବିରୋଧ କରିଛନ୍ତି ।  ତେବେ ଖାଲି ରାଜଧାନୀ ଭୁବନେଶ୍ୱର ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାର କଂଗ୍ରେସ କର୍ମକର୍ତ୍ତାମାନେ ଶାହାଙ୍କ ଓଡିଶା ଗସ୍ତକୁ ବିରୋଧ କରୁଥିବାର ଦେଖିବାକୁ ମିଳିଛି । ଭୁବନେଶ୍ୱର ସମେତ ବାଲେଶ୍ୱର, ମାଲକାନଗିରି , ରାୟଗଡା ଏବଂ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି ଶାହାଙ୍କ ଓଡିଶା ଗସ୍ତ ନେଇ ବିରୋଧର ଚିତ୍ର ।

ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଶାହାଙ୍କ ଏହି ଗସ୍ତକୁ ବିରୋଧ କରାଯାଇଛି । ଶାହାଙ୍କ ବିରୋଧରେ ଜିଲ୍ଲା କଂଗ୍ରେସର ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବ ସହ ପ୍ରତିବାଦ ସଭା ହୋଇଛି । ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବା ସହ ଅମିତ ଶାହାଙ୍କ କୁଶପୁତଳିକା ଦାହ କରାଯାଇଛି । ଏହି ପ୍ରତିବାଦ ରାଲିରେ ଭଦ୍ରକ ଜିଲ୍ଲା କଂଗ୍ରେସର ଶତାଧିକ କର୍ମୀ ଓ ନେତା ସାମିଲ ହୋଇ ଶାହାଙ୍କ ବିରୋଧରେ ନାରାବାଜି କରିଛନ୍ତି । ଦେଶର ଗୃହମନ୍ତ୍ରୀଙ୍କ ସାମ୍ପ୍ରଦାୟିକ ଉତେଜନା ସୃଷ୍ଟି କାରୀ ବୟାନକୁ ବିରୋଧ କରି ଭଦ୍ରକ କଂଗ୍ରେସ ଏହି ବିରୋଧ କରିଛି । ସେହିପରି ବାଲେଶ୍ୱରରେ ମଧ୍ୟ ଶାହାଙ୍କ ଗସ୍ତକୁ ବିରୋଧ କରି ବିକ୍ଷୋଭ କରାଯାଇଛି ।

 

ସେହିଭଳି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରି ଆଠଗଡ଼ କଂଗ୍ରେସ ତରଫରୁ ପୁରୁଣା ବସଷ୍ଟାଣ୍ଡ ଠାରେ ଅମିତ ଶାହାଙ୍କ କୁଶ ପୁତ୍ତଳିକା ଦାହ କରାଜାଇଛି । ଦିଲ୍ଲୀ ରେ ହୋଇଥିବା ଦଙ୍ଗା ଘଟଣାରେ ଗୃହମନ୍ତ୍ରୀ ଅମିତ୍ ଶାହା ଙ୍କ ଇସ୍ତଫା ଦାବି କରି କଂଗ୍ରେସ ତରଫରୁ କୁଶପୁତ୍ତଳିକା ଦାହ କରାଯାଇଛି।

ରାୟଗଡାରେ ମଧ୍ୟ ଶାହାଙ୍କ ଓଡିଶା ଗସ୍ତ ନେଇ ବିରୋଧର ଚିତ୍ର ସାମ୍ନାକୁ ଆସିଛି । କଂଗ୍ରେସ୍ ପକ୍ଷରୁ ଶତାଧିକ କର୍ମୀ ଏସପି ଅଫିସ କାର୍ୟ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗୁଜୁରାଟ୍ ଦଙ୍ଗା ପରି ଦିଲ୍ଲୀରେ ଯେଉଁ ଦଙ୍ଗା ଘଟିଲା ଏବେ ଲୋକ ମୃତ୍ୟୁବରଣ କଲେ ସେଥିପାଇଁ ଗୃହ ମନ୍ତ୍ରୀ ଅମିତ୍ ଶାହା ହିଁ ଦାୟୀ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ଏହାର ପ୍ରତିବାଦରେ ଅମିତ୍ ଶାହାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।