କନକ ବ୍ୟୁରୋ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ଘଟିବା ପରେ ଏବେ ଏହାକୁ ନେଇ ନିଜର ରାୟ ରଖିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ତେବେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଯେଉଁ କଥାକୁ ନେଇ ବିବାଦ ଦେଖିବାକୁ ମିଳିଥିଲା, ପ୍ରିୟଙ୍କା ଏବେ ସେହି ବିବାଦ ଉପରୁ ପରଦା ହଟାଇଛନ୍ତି । ସେ କହିଛନ୍ତି, ମୋଦୀ ଆମ ଦେଶର ପ୍ରଧାନମନ୍ତ୍ରୀ, ଆମର ତାଙ୍କ ପ୍ରତି ଚିନ୍ତା ଅଛି । ଖାଲି ସେତିକି ନୁହେଁ ସାରା ଦେଶର ତାଙ୍କ ପ୍ରତି ଚିନ୍ତା ଅଛି । ସେହି କାରଣରୁ ସେଦିନ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀଙ୍କୁ ଫୋନ୍ କରି ଏହି ବିଷୟ ଉପରେ ପଚାରି ବୁଝିଥିଲେ ।

Advertisment

ଅସଲ କଥା ହେଉଛି, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କ ଏକ କଥାକୁ ନେଇ ବିବାଦ ଦେଖିବାକୁ ମିଳିଥିଲା । ସେ କହିଥିଲେ, ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ଘଟିବା ପରେ ସେ ଏନେଇ ପ୍ରିୟଙ୍କା ଗାନ୍ଧୀଙ୍କୁ ଫୋନ୍ କରି ସୂଚନା ଦେଇଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି କଥାକୁ ନେଇ ବିଜେପି ପ୍ରଶ୍ନ କରିଥିଲା । ପ୍ରିୟଙ୍କା ଗାନ୍ଧୀ କୌଣସି ସାମ୍ବିଧାନିକ ପଦରେ ନଥିଲେ ବି ଜଣେ ମୁଖ୍ୟମନ୍ତ୍ରୀ କାହିଁକି ତାଙ୍କୁ ଏବାବଦରେ ସୂଚନା ଦେଉଥିଲେ ବୋଲି ବିଜେପି ପ୍ରଶ୍ନ କରିଥିଲା ।

ଏବେ ନିଜେ ପ୍ରିୟଙ୍କା ଗାନ୍ଧୀ ଏହି କଥା ଉପରୁ ପରଦା ହଟାଇବା ସହିତ ନିଜର ରାୟ ପ୍ରକାଶ କରିଛନ୍ତି । ସେଦିନ ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ଘଟିବା ପରେ ସେ ମୋଦୀଙ୍କ ବିଷୟରେ ଜାଣିବା ପାଇଁ ପ୍ରିୟଙ୍କା ସେଦିନ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରିଥିଲେ ବୋଲି ସେ କହିଛନ୍ତି ।

ଅନ୍ୟପଟେ ୟୁପି ନିର୍ବାଚନକୁ ନେଇ ମଧ୍ୟ ମତ ରଖିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ସେ କହିଛନ୍ତି, ବିଜେପି ସୋସିଆଲ୍ ମିଡିଆରେ ବେଶ ମଜଭୁତ୍ ଅଛି । ଏଥିପାଇଁ ସେ ବହୁ ଦିନରୁ କାମ କରିଛନ୍ତି । ତେଣୁ ନିର୍ବାଚନ ପ୍ରଚାରରେ ଏଥିପାଇଁ ବିଜେପିକୁ ଅଧିକ ଫାଇଦା ମିଳିବ ବୋଲି ପ୍ରିୟଙ୍କା କହିଛନ୍ତି । ତେବେ କୋଭିଡ୍ ଭଳି ସ୍ଥିତିରେ ନିର୍ବାଚନ ଆୟୋଗଙ୍କ ଡିଜିଟାଲ ପ୍ରଚାର ନିଷ୍ପତ୍ତି ବିଜେପିକୁ ଫାଇଦା ଦେବ ବୋଲି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ।

ପ୍ରିୟଙ୍କା ଆହୁରି ମଧ୍ୟ କହିଛନ୍ତି ଯେ, ଆଗାମୀ ଦିନରେ ରାହୁଲ ଗାନ୍ଧୀ ୟୁପିରେ ପ୍ରଚାର କରୁଥିବା ଦେଖିବାକୁ ମିଳିବ । ଏଥିପାଇଁ ଆମେ ଯୋଜନା କରିଛୁ ବୋଲି ପ୍ରିୟଙ୍କା କହିଛନ୍ତି । ତେବେ ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁନି ତା ସହିତ ସେ ନିର୍ବାଚନ ଲଢିବେ କି ନାହିଁ ସେ ନେଇ ମଧ୍ୟ ପ୍ରିୟଙ୍କା କୌଣସି ସ୍ପଷ୍ଟ ଉତ୍ତର ରଖିନାହାଁନ୍ତି ।