ମମିତା ହତ୍ୟା ମାମଲାରେ କଂଗ୍ରେସର ପ୍ରେସମିଟ: କହିଲା, ଦିବ୍ୟଙ୍କୁ ପାଖରେ ଦେଖିବାକୁ ଚାହୁଁନାହାନ୍ତି ନବୀନ

115

କନକ ବ୍ୟୁରୋ: କଲେଜ ଅଧ୍ୟକ୍ଷା ମମିତା ହତ୍ୟା ମାମଲାକୁ ନେଇ ଓଡିଶାରେ ରାଜନୀତି ଜୋର ଧରିଛି । ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ବିଜେପି ଓ କଂଗ୍ରେସ ଦଳ । ତେବେ ଏହାରି ମଧ୍ୟରେ ଏହି ଘଟଣାକୁ ନେଇ ପ୍ରେସମିଟ କରିଛନ୍ତି କଂଗ୍ରେସ ନେତା ସତ୍ୟ ନାୟକ ।

ସତ୍ୟ ନାୟକ ପ୍ରେସମିଟ କରି ଏହି ହତ୍ୟା ଘଟଣାରେ ସରକାରଙ୍କୁ ଅନେକ ପ୍ରଶ୍ନ ବାଣ କରିଛନ୍ତି । ଏନେଇ ସେ କହିଛନ୍ତି, ମୟୂରଭଞ୍ଜ ଗସ୍ତ ପୂର୍ବରୁ ଏହି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ କାର୍ଯ୍ୟ ସୂଚୀ ରହିଥିଲା । ସେ ସାମିଲ ହୋଇଥାନ୍ତେ, ଭାଷଣ ଦେଇଥାନ୍ତେ । କିନ୍ତୁ ସେ ଗଲେ ନାହିଁ ଅର୍ଥାତ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରେ ତାଙ୍କୁ ଦେଖି ବାକୁ ଚାହୁଁ ନାହାନ୍ତି । କହିବାକୁ ଗଲେ ଦିବ୍ୟ ଶଙ୍କର ମିଶ୍ରଙ୍କୁ ନେଇ ସରକାର ଏବେ ଦ୍ୱନ୍ଦ୍ୱରେ ରହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି, ୨୦୧୩ ମସିହାରେ ଏହି କଲେଜରେ ଯୁକ୍ତ ଦୁଇ ପ୍ରଶ୍ନ ପତ୍ର ଲିକ ହୋଇଥିଲା । ଏ ସେହି ସ୍କୁଲ ଯିଏ ରାଜ୍ୟର ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳଥିଲା । କିନ୍ତୁ ଏକ ଦାଗି ଅନୁଷ୍ଠାନ ଓ ଏ ଦାଗି ଅନୁଷ୍ଠାନର ପୁରଧାଙ୍କ ସହ ମନ୍ତ୍ରୀଙ୍କ ସମ୍ପର୍କ ବଢିଗଲା । ଆଉ ଗୋଟିଏ ବେସରକାରୀ ଶିକ୍ଷା ଅନୁଷ୍ଠାନକୁ ଲକ୍ଷାଧିକ ଟଙ୍କା ସେ କଲେଜକୁ ଦେଲେ ସରକାର ।
ଗୋଟିଏ ଝିଅ ନିଖୋଜ ହେଉଛି କିନ୍ତୁ କେ ଗାଁ ଥାନା ଅଧିକାରୀ ସେମାନଙ୍କ ଅଭିଯୋଗ ରଖୁ ନାହାନ୍ତି । ପୋଲିସ ଗୋବିନ୍ଦକୁ ଥାନାକୁ ଆଣି ରାଜକୀୟ ଆତିଥ୍ୟ ଦେଉଛନ୍ତି । ଆଉ ହଠାତ କରେଣ୍ଟ ଚାଲିଯାଉଛି ଆଉ ସେ ଫେରାର ହୋଇଯାଉଛି । ଏହା ହେଉଛି ଏକ ଷଡଯନ୍ତ୍ର । ଏହି ସ୍ଥାନର ବିଧାୟକ ହେଉଛନ୍ତି ନିଜେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବୋଲି କହିଛନ୍ତି ସତ୍ୟ ନାୟକ ।

ସତ୍ୟ ନାୟକ ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି, ଯେଉଁମାନେ ଗୋବିନ୍ଦ ସାହୁ ପାଖରେ ଏହି ମାମଲାକୁ ରୋକି ଦେବାକୁ ଚାହୁଁଛନ୍ତି । ତାଙ୍କୁ ଆମର ପ୍ରଶ୍ନ, ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ପାଖରକୁ ଗୋବିନ୍ଦ ସାହୁ ଓ ତାଙ୍କ ପରିବାରର କେତେ ଫୋନ କଲ ଆସିଛି, ତାର କଲ ରେକର୍ଡ ସ୍ପଷ୍ଟ କରନ୍ତୁ । ସଚିବାଳୟର ସିସିଟିଭ ଫୁଟେଜ ସ୍ପଷ୍ଟ କରାଯାଉ, ଗୋବିନ୍ଦ ସାହୁ ମନ୍ତ୍ରୀଙ୍କ ପାଖକୁ କେତେ ଥର ଆସିଛି । ଆଉ ମନ୍ତ୍ରୀଙ୍କୁ ତଦନ୍ତ ପରିସରକୁ ଅଣାଯାଉ ବୋଲି ଆମର ଦାବି ।