ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ । ବାଙ୍କୀ ଡବଲ ମର୍ଡର ଘଟଣା ପାଇଁ ବିଜେଡିକୁ ଦାୟୀ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

କହିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନନେଲେ ହେବ ଆନ୍ଦୋଳନ; ବଜେଟକୁ ବି ସମାଲୋଚନା

163

କନକ ବ୍ୟୁରୋ: ବିଭିନ୍ନ ପ୍ରସଙ୍ଗରେ ଆଜି ରାଜ୍ୟ ସରକାରଙ୍କୁ ସମାଲୋଚନା କରି ପୁଣି କାଠଗଡାକୁ ଟାଣିଛି କଂଗ୍ରେସ । ବାଙ୍କୀ ଡବଲ ମର୍ଡର ଘଟଣାରେ ବିଜେଡିର ଲୋକ ସାମିଲ ଅଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ ଆଣିବା ସହ ଚଳିତ ବର୍ଷ ରାଜ୍ୟ ବଜେଟ୍ ଅତ୍ୟନ୍ତ ହତାଶଜନକ ବୋଲି ଅଭିଯୋଗ କରିଛି କଂଗ୍ରେସ ।

ଏନେଇ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ କହିଛି କି, ବାଙ୍କୀରେ ଜଣେ ସରପଂଚଙ୍କ ସ୍ୱାମୀ ଏବଂ ତାଙ୍କ ସହଯୋଗୀଙ୍କୁ ହତ୍ୟାକରାଯିବା ପଛରେ ବିଜେଡିର କିଛି ଲୋକ ସାମିଲ ଅଛନ୍ତି । ମୁଖ୍ୟମନ୍ତ୍ରୀ ଅହିଂସାର ନାରାଦେଉଥିବା ବେଳେ ତାଙ୍କ ଦଳ ଲୋକ ହିଂସାକୁ ଆପଣେଇଛନ୍ତି। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଏହି ମାମଲାର ତଦନ୍ତଭାର କ୍ରାଇମବ୍ରାଂଚକୁ ଦେବା ପାଇଁ ଦାବି କରିଛନ୍ତି ନିରଂଜନ । ତେବେ ଯଦି ସରକାର ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ କଂଗ୍ରେସ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।

ସେହିଭଳି ରାଜ୍ୟ ବଜେଟକୁ ଓ ଟୋକନ ସମସ୍ୟାକୁ ନେଇ ବି ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ । ପିସିସି ସଭାପତି କହିଛନ୍ତି ଯେ, ବିଜେଡି ସରକାରରେ କୌଣସି ବି ବ୍ୟବସ୍ଥା ସିଷ୍ଟମେଟିକ୍ ହେଉନାହିଁ । ଯାହା ଫଳରେ ଓଡିଶାର ଚଷାପୁଅଙ୍କୁ ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡିଛି । ଅନ୍ୟପଟେ ଏଥରକ ରାଜ୍ୟ ବଜେଟ୍ ବି ହତାଶଜନକ ରହିଛି । ସରକାର ଓଡିଶାବାସୀଙ୍କ ସହ ପ୍ରତାରଣା କରିଛନ୍ତି । ଏପରିକି କୌଣସି ବି ପ୍ରତିଶ୍ରୁତିକୁ ରକ୍ଷା କରିବାକୁ ଚେଷ୍ଟା କରିନାହାନ୍ତି ରାଜ୍ୟ ସରକାର । କେନ୍ଦ୍ରର ଅନୁଦାନ କମିଛି କିନ୍ତୁ ପ୍ରତିକ୍ଷେତ୍ରରେ ଦେଖିବାକୁ ମିଳିଛି ଯେ ୧୮-୧୯ରେ ବ୍ୟୟ ଅଟକଳ ୧୮.୩ ରହିଥିଲା ବେଳେ ଚଳିତ ଆର୍ଥିକ ବର୍ଷ ତଥା ୨୦-୨୧ରେ ଏହା ୧୭.୪କୁ ଖସିଆସିଛି ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ।