ଅସୁସ୍ଥତା କାରଣରୁ ସର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ, ସ୍ୱାସ୍ଥ୍ୟବସ୍ଥା ନେଇ ଡାକ୍ତର କହିଲେ ……

198

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁଣି ଅସୁସ୍ଥ ହୋଇ ପଡିଛନ୍ତି । କରୋନା ସଂକ୍ରମିତ ହୋଇଥିବାରୁ ଶରୀରରେ କିଛି ସମସ୍ୟା ଦେଇଛି । ଏନେଇ ତାଙ୍କୁ ସର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କଥା କୁହାଯାଇଛି । କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜୱାଲା ଏନେଇ ସୂଚନା ଦେଇଛନ୍ତି । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ କହିଛନ୍ତି ।

କହିରଖୁ କି ୭୫ ବର୍ଷିୟା ସୋନିଆ ଗାନ୍ଧୀ ଜୁନ ୨ ତାରିଖରେ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ସେ ଅସୁସ୍ଥ ହୋଇପଡିଥିଲେ । ହେଲେ ଆଜି ଶାରୀରିକ ଅସୁସ୍ଥତା ବଢିଯିବାରୁ ତାଙ୍କୁ ଆଜି ସର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେପଟେ ନ୍ୟାସନାଲ ହେରାଲ୍ଡ ମାମଲାରେ ପଚରା ଉଚରା ପାଇଁ ଇଡି ସୋନିଆ ଗାନ୍ଧୀଙ୍କୁ ଜୁନ ୨୩ ତାରିଖରେ ହାଜର ହେବାକୁ ନୋଟିସ କରିଥିଲା । ଏହାପୂର୍ବରୁ ତାଙ୍କୁ ଇଡି ଜୁନ ୮ ତାରିଖରେ ହାଜର ହେବାକୁ ନୋଟିସ କରିଥିଲା । ହେଲେ କରୋନା ସଂକ୍ରମିତ ହେବା କାରଣରୁ ସେ ହାଜର ହୋଇପାରି ନଥିଲେ ।

ହେଲେ ସମାନ ମାମଲାରେ ରାହୁଲ ଗାନ୍ଧୀ ଜୁନ ୧୩ ତାରିଖରେ ଇଡିରେ ହାଜର ହେବାକୁ ଯାଉଛନ୍ତି । ଏହା ପୂର୍ବରୁ ରବିବାର ଦିନ କଂଗ୍ରେସ ପକ୍ଷରୁ ସାରା ଦେଶରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି । ଏହାସହ ଆସନ୍ତା କାଲି ଦଳୀୟ ସାଂସଦ ଓ ବରିଷ୍ଠ ନେତାମାନେ କଂଗ୍ରେସ କାର୍ଯ୍ୟାଳୟରୁ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିବାର କାର୍ଯ୍ୟକ୍ରମ ରହିଛି ।