ବିଜେଡି-ବିଜେପି ମିଶି ଓଡ଼ିଶାକୁ ବରବାଦ କରିଛନ୍ତି, ଉଭୟ ଦଳକୁ ଓଡ଼ିଶାରୁ ହଟାଇବାକୁ ଆହ୍ୱାନ ଦେଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।

228

କନକ ବ୍ୟୁରୋ : ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଓଡ଼ିଶାର ଭଲ ପାଇଁ ଉଭୟ ବିଜେପି-ବିଜେଡି ମିଳିତ ଭାବେ କାମ କରିବେ ବୋଲି ଭାବୁଥିଲୁ । କିନ୍ତୁ ତାହା କରିପାରିଲେ ନାହିଁ । ଏଠାରେ ବିଜେପି-ବିଜେଡି ମିଶିକି କାମ କରୁଛନ୍ତି । ଏଠାରେ ମହଙ୍ଗା, ବେରୋଜଗାରୀ ଅଧିକ ବଢିଛି । ଶସ୍ତାରେ ଶ୍ରମିକ ମିଳୁଥିବା ରାଜ୍ୟ ଭାବେ ଏବେ ଜଣାଶୁଣା । ଓଡ଼ିଶାର ଏହି ପରିଚୟ ଉଭୟ ବିଜେପି-ବିଜେଡି ତିଆରି କରିଛନ୍ତି । ତେଣୁ ଏହି ପରିଚୟକୁ ବଦଳାଇବାକୁ ହେଲେ ବିଜେପି-ବିଜେଡିକୁ ହଟାଇବାକୁ ପଡିବ ।

ଖଡଗେ କହିଛନ୍ତି, ଚିଟଫଣ୍ଡ ଦୁର୍ନୀତି ଏହି ସରକାରକୁ ଭ୍ରଷ୍ଟ ସରକାରର ପରିଚୟ ଦେଇଛି । ଆଗକୁ ବିଜେପି-ବିଜେଡିକୁ ଲୋକ ସୁଯୋଗ ଦେବେନି । ବେରୋଜଗାରୀ ଦୂର କରିବାକୁ ସରକାର କୌଣସି ଧ୍ୟାନ ଦେଉନାହାନ୍ତି । ଓଡ଼ିଶାର ୪୧% ଲୋକ ବେରୋଜଗାର ରହିଛନ୍ତି । ୨୪ ବର୍ଷ ସରକାରରେ ରହିବା ପରେ ମଧ୍ୟ ଜଣେ ଯଦି ଲୋକଙ୍କ ଚିନ୍ତା କରିବେନି ତେବେ ସମର୍ଥନ କେଉଁ ମୁହଁରେ ମାଗୁଛନ୍ତି । ଇଣ୍ଡିଆ ମେଣ୍ଟ ସରକାର ଗଣତନ୍ତ୍ରକୁ ବଞ୍ଚାଇବାକୁ ଲଢୁଛି ।

ଓଡ଼ିଶାରେ ଖଣିଖାଦାନରୁ ପ୍ରବଳ ମାତ୍ରାରେ ଲୁଟ୍ ହେଉଛି । ତେଣୁ ଲୋକଙ୍କୁ ଏବେ ଯେଉଁ ସୁଯୋଗ ମିଳିଛି ତାହାର ସଠିକ୍ ଉପଯୋଗ କରନ୍ତୁ । ପ୍ରଧାନମନ୍ତ୍ରୀ କହୁଛନ୍ତି, ଆମେ ୪୦୦ରୁ ଅଧିକ ଆସନରେ ଜିତିବୁ । କିନ୍ତୁ ଆଗ କୁହନ୍ତୁ, କେଉଁଠୁ ଆଣିବେ ଏତେ ଆସନ? ଓଡ଼ିଶାରେ ବିଜେଡିକୁ ଯେତିକି ଆସନ ମିଳୁଥିଲା, ତାହା ଏଥର ହେବନି । ବରଂ କଂଗ୍ରେସ ଚଳିତ ନିର୍ବାଚନରେ ଫାଇଦା ନେବ । ପ୍ରଧାନମନ୍ତ୍ରୀ ଗ୍ୟାରେଣ୍ଟିର କଥା କହୁଛନ୍ତି, କିନ୍ତୁ ପୂର୍ବରୁ ଦେଇଥିବା କେତୋଟି ଗ୍ୟାରେଣ୍ଟି ପୂରା କରିଛନ୍ତି ତାହା କୁହନ୍ତୁ । ମୋଦୀଙ୍କ ଗ୍ୟାରେଣ୍ଟି ନାମକୁ ମାତ୍ର । କଂଗ୍ରେସ ୫ ନ୍ୟାୟ ଏବଂ ୨୫ ଗ୍ୟାରେଣ୍ଟି ଦେଉଛି । ଲୋକଙ୍କ ପାଇଁ ଗ୍ୟାରେଣ୍ଟି ଦେଉଛି ।

ୟୁପିଏ ୨ ସରକାରରେ ଆସିଥିବା ଯୋଜନାରେ ଲୋକମାନେ ଉପକୃତ ହେଉଛନ୍ତି । କିନ୍ତୁ କଂଗ୍ରେସ କେବେ କହିନି ଏସବୁ କାମ କରିଛୁ ବୋଲି । କିନ୍ତୁ ବିଜେପି ସରକାରକୁ ଆସିବା ପରେ ନୋଟବନ୍ଦୀ କରିଛନ୍ତି, ଲୋକଙ୍କୁ ସମସ୍ୟାରେ ପକାଇଛନ୍ତି । ଏଥର ବିଜେପି ସରକାର ଆଉ କେନ୍ଦ୍ରରେ ଆସିବନି । ୨୦୦ରୁ ଅଧିକ ଆସନ ପାଇବନି ବିଜେପି ବରଂ କେନ୍ଦ୍ରରେ ଇଣ୍ଡିଆ ମେଣ୍ଟ ସରକାର ଗଢିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ମଲ୍ଲିକାର୍ଜୁନ ଖଡଗେ ।