କଂଗ୍ରେସର ମହାସଚିବ ଓ ପ୍ରଭାରୀଙ୍କୁ ଖଡଗେଙ୍କ ନିର୍ଦ୍ଦେଶ । କହିଲେ, ୯୦ ଦିନ ମଧ୍ୟରେ ପ୍ରସ୍ତୁତ କର ୨୦୨୪ ପାଇଁ ଯୋଜନା

182

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଦଳର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଖଡଗେ ଦଳର ତଳସ୍ତରରୁ ଉପରସ୍ତର ପର୍ଯ୍ୟନ୍ତ ସମସ୍ତ ନେତାଙ୍କୁ ଜବାବ ରଖିବାକୁ କହିଛନ୍ତି । ସେ କହିଥିଲେ କି ପାର୍ଟିର ମହାସଚିବ ଓ ପ୍ରଦେଶ ପ୍ରଭାରୀମାନେ ପ୍ରଥମେ ସେମାନଙ୍କ ଦାୟିତ୍ୱ ସୁନିଶ୍ଚିତ କରାନ୍ତୁ । ଏହାସହ ପାର୍ଟିର ସଂଚାଳନ କମିଟି ବୈଠକରେ ଖଡଗେ ଚେତାବନୀ ଦେଇଛନ୍ତି କି ଯେଉଁମାନେ ନିଜ ଦାୟିତ୍ୱ ତୁଲାଇବାରେ ଅକ୍ଷମ ଅନୁଭବ କରୁଛନ୍ତି ସେମାନେ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ , ଫଳରେ ନୂଆ ଲୋକଙ୍କୁ ସୁଯୋଗ ମିଳିପାରିବ । ସେ କହିଥିଲେ କି ଆମର ତଳ ସ୍ତରରୁ ଉପରସ୍ତରର ସମସ୍ତ ନେତାମାନେ ନିଜର କାର୍ଯ୍ୟ ଉପରେ ଜବାବ୍ ଦେବା ଶିଖନ୍ତୁ । ଫଳରେ ସଂଗଠନ ମଜବୁତ ହେବ ଓ ନିର୍ବାଚନରେ ବିଜୟଲାଭ କରି ଲୋକଙ୍କ ସେବା କରିପାରିବ ।

ଏହାସହ ଦଳର ସମସ୍ତ ସଂଗଠନ ତରଫରୁ ଏକ ବଡ ଆନ୍ଦୋଳନର ପ୍ରସ୍ତୁତ ୧୫୩୦ ଦିନ ମଧ୍ୟରେ କରିବାକୁ ଖଡଗେ ଆହ୍ୱାନ ଦେଇଛନ୍ତି । ଦେଶରେ ଲାଗିରହିଥିବା ଘୃଣାର ରାଜନୀତିକୁ କେବଳ ଆନ୍ଦୋଳନ ମାଧ୍ୟମରେ ପ୍ରତିହତ କରିହେବ ବୋଲି ଖଡଗେ କହିଛନ୍ତି ।

ସେପଟେ ଭାରତ ଯୋଡ ଯାତ୍ରା ବାବଦରେ ଖଡଗେ କହିଛନ୍ତି କି, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ ଯାତ୍ରା ୮୮ ଦିନ ପୁରା କରିସାରିଛି । ଏହା ଦେଶରେ ଲାଗିରହିଥିବା ଦରବୃଦ୍ଧି, ବେରୋଜଗାରୀ, ଆର୍ଥିକ ଓ ସାମାଜିକ ଅସମାନତା ବିରୋଧରେ ଏକ ନିର୍ଣ୍ଣାୟକ ଭୂମିକା ନିଭାଇବ ବୋଲି ସେ କହିଛନ୍ତି ।