‘ଜଣେ ବ୍ୟକ୍ତି,ଗୋଟିଏ ପଦ’ ନେଇ ରାହୁଲଙ୍କ ପ୍ରତିକ୍ରିୟା ପରେ ଗେହଲଟଙ୍କୁ ବଡ ଝଟକା । ଛାଡିବେ କି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ? ପାଇଲଟ ଶିବିରରେ ଖୁସିର ଲହରୀ । 

203

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଲାଗି ରହିଥିବା ଚର୍ଚ୍ଚା ଆଲୋଚନା ଭିତରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ବଡ ଝଟକା ଦେଇଛନ୍ତି ରାହୁଲ ଗାନ୍ଧୀ । ‘ଜଣେ ବ୍ୟକ୍ତି, ଗୋଟିଏ ପଦ’କୁ ନେଇ ରାହୁଲ ମୁହଁ ଖୋଲିବା ସହିତ, ଉଦୟପୁରରେ ଯାହା ସଙ୍କଳ୍ପ ପାରିତ ହେଇଛି ତାହା କାଏମ ରହିବାକୁ ଆଶା କରିଛନ୍ତି ରାହୁଲ । ଯାହା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ଅଧ୍ୟକ୍ଷ ପଦ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଥିବା ଅଶୋକ ଗେହଲଟଙ୍କୁ ଏକ ବଡ ଝଟକା ବୋଲି କୁହାଯାଉଛି ।

ତେବେ ରାହୁଲଙ୍କ ଏହି ଉତ୍ତର ଏଭଳି ସମୟରେ ଆସିଛି, ଯେତେବେଳେ ମୁଖ୍ୟମନ୍ତ୍ରୀ ପଦରେ ରହିବା ସହିତ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବାକୁ ଇଚ୍ଛା ଜାହିର କରିଛନ୍ତି । ତେଣୁ ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, କଣ କଂଗ୍ରେସ ଅଧ୍ୟକ୍ଷ ହେବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡିବେ ଗେହଲଟ?

ରାହୁଲଙ୍କ ଏପରି ଉତ୍ତର ପରେ ରାଜସ୍ଥାନ ରାଜନୀତି ସରଗରମ ହେଇଛି । ଗୋଟିଏ ପଟେ ଏହାକୁ ନେଇ ଗେହଲଟ ପକ୍ଷ ନିରାଶ ଥିବାବେଳେ, ପାଇଲଟ ପକ୍ଷରେ କିନ୍ତୁ ଉତ୍ସାହ ଦେଖିବାକୁ ମିଳିଛି । କାହିଁକି ନା ଗେହଲଟଙ୍କ ପରେ ସଚିନ ପାଇଲଟ ହେଉଛନ୍ତି ଏମିତି ଜଣେ ନେତା, ଯିଏ କି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ପ୍ରବଳ ଦାବିଦାର ଅଟନ୍ତି ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମେ ମାସରେ ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିର ଆୟୋଜିତ ହେଇଥିଲା । ଏହି ଶିବିରରେ କଂଗ୍ରେସ ଜଣେ ବ୍ୟକ୍ତି, ଗୋଟିଏ ପୋଷ୍ଟ ସଙ୍କଳ୍ପ ପାରିତ କରିବା ସହିତ ଏହାକୁ ପାଳନ କରିବାକୁ ନେତାମାନେ ନିଷ୍ପତ୍ତି ନେଇଥିଲେ । ତେବେ ସଚିନ ପାଇଲଟଙ୍କ କ୍ଷେତ୍ରରେ କିନ୍ତୁ ଏହା ଲାଗୁ ହେଇନଥିଲା । ସେ ପ୍ରଦେଶ ଅଧ୍ୟକ୍ଷ ରହିବା ସହିତ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ରହିଥିଲେ । ଏହି ସ୍ଥିତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ କ୍ଷେତ୍ରରେ ମଧ୍ୟ ହେଇଥିଲା । ହେଲେ ଏହାକୁ ପରବର୍ତ୍ତୀ ସମୟରେ ପରିବର୍ତ୍ତନ କରାଯିବା ସହିତ କଡାକଡି ଭାବେ ଲାଗୁ କରାଯାଇଥିଲା ।

ତେଣୁ ବର୍ତ୍ତମାନ ସ୍ଥିତିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଯଦି କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢନ୍ତି, ତେବେ ତାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିବ । ଏପରି ସ୍ଥିତିରେ ଏହି ଖବର ପାଇଲଟ ଶିବିରରେ ଖୁସିର ଲହରୀ ଆଣିଛି । ଏପଟେ ଗୁରୁବାର ଗେହଲଟ କହିଛନ୍ତି ଯେ, ସେ ପୁଣି ରାହୁଲ ଗାନ୍ଧୀଙ୍କୁ ଭେଟିବା ସହିତ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଆଲୋଚନା କରିବେ ।