କରୋନା ପାଇଁ ସ୍ଥଗିତ ରହିଲା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ । ଜୁନ୍ ୨୩ରେ ନିର୍ବାଚନ ପ୍ରସ୍ତାବକୁ ବିରୋଧ କଲେ ଦଳର ସଦସ୍ୟ ।

112

କନକ ବ୍ୟୁରୋ: ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଆଜି କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ବସିଥିଲା । ଯେଉଁଥିରେ ଦଳର ଆଗାମୀ ସଭାପତି କିଏ ହେବ ସେନେଇ ମାନସମନ୍ଥନ ହେବ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଉଥିଲା । ହେଲେ କରୋନା ହେତୁ ଚଳିତ ବର୍ଷ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । କଂଗ୍ରେସର ଇଲେକ୍ସନ ବର୍ଡି ପ୍ରଥମେ ଜୁନ୍ ୨୩ ତାରିଖରେ ନିର୍ବାଚନ କରିବାକୁ ପ୍ରସ୍ତାବ ରଖିଥିଲେ । ଯାହାକୁ କିଛି ସଦସ୍ୟ ବିରୋଧ କରିଥିଲେ, ଫଳରେ ଏହି ନିର୍ବାଚନକୁ ସ୍ଥଗିତ ରଖିଦିଆଯାଇଛି ।

କଂଗ୍ରେସ କାର୍ଯ୍ୟକାରୀ ସମିତିର କହିବା ମୁତାବକ, ବର୍ତ୍ତମାନ ପରିସ୍ଥିତିରେ ନିର୍ବାଚନ କରିବା ଠିକ୍ ହେବ ନାହିଁ । ତେଣୁ ଜୁନରେ ହେବାକୁ ଥିବା ନିର୍ବାଚନ ପରେ ହେବା ଉଚିତ୍ । ପରିସ୍ଥିତିକୁ ଦେଖି ଆଗାମୀ ସମୟରେ ଏହି ନିର୍ବାଚନ ହେବ ବୋଲି ସମିତି ପକ୍ଷରୁ କୁହାଯାଇଛି ।

୨୦୧୯ ସାଧାରଣ ନିର୍ବାଚନ ପରେ ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦ ଛାଡି ଦେଇଥିଲେ । ଏହାପରେ ସୋନିଆ ଗାନ୍ଧୀ ଦଳର କମାଣ ସମ୍ଭାଳି ଆସୁଛନ୍ତି । ଦଳର କିଛି ନେତା ରାହୁଲଙ୍କୁ ପୁଣି ଦାୟିତ୍ୱ ଦେବାକୁ କହୁଥିବାବେଳେ ରାହୁଲ କିନ୍ତୁ ମଙ୍ଗ ଧରିବାକୁ ଅମଙ୍ଗ ଥିବା ଜଣାପଡୁଛି । ହେଲେ ନିର୍ବାଚନ ହେଲେ ହିଁ ଆଗାମୀ ଦିନରେ କଂଗ୍ରେସର କମାଣ କିଏ ସମ୍ଭାଳିବ ତା ସ୍ପଷ୍ଟ ହୋଇପାରିବ ।