ଚଳିତମାସ ଶେଷ ସୁଦ୍ଧା ଚୁଡାନ୍ତ ହେବ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ! ତିନିଥର ହାରିଥିବା ପ୍ରାର୍ଥୀଙ୍କୁ ମିଳିବନି ଟିକେଟ୍, ଯୁବକ ଓ ମହିଳାଙ୍କୁ ମିଳିପାରେ ଅଗ୍ରାଧିକାର ।

146

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ କସରତ । ସବୁ ରାଜ୍ୟର ପିସିସି ସଭାପତି ଏବଂ ବିଧାୟକ ଦଳ ନେତାଙ୍କୁ ନେଇ ଦିଲ୍ଲୀ କଂଗ୍ରେସ ଭବନରେ ବସିଥିବା ବୈଠକରେ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି  । ମିଶନ୍ ମୋଡରେ କାର୍ଯ୍ୟ କରିବା ସହ ଶାଣିତ ଆକ୍ରମଣ କରିବାକୁ ପରାଶର୍ମ ଦେଇଛନ୍ତି ରାହୁଲ । ଆଉ ଏସବୁ ଭିତରେ ଚଳିତମାସ ଶେଷ ସୁଦ୍ଧା ଚୁଡାନ୍ତ ହୋଇଯିବ କଂଗ୍ରେସ ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କ ନାଁ ।

ଖୁବ୍ ଶୀଘ୍ର ଚୁଡ଼ାନ୍ତ ହେବ କିଏ ହେବେ କଂଗ୍ରେସ ପ୍ରାର୍ଥୀ । ଚଳିତମାସ ଶେଷ ସୁଦ୍ଧା ସ୍ପଷ୍ଟ ହେବ କଂଗ୍ରେସ ପ୍ରାର୍ଥୀଙ୍କ ନାଁ । ତିନିଥର ହାରିଥିବା କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିବନି ଟିକେଟ୍ । ପରାଜୟ ବ୍ୟବଧାନ ଅଧିକ ଥିଲେ ଟିକେଟ୍ ଆଶା କମ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ବସିଥିବା ବୈଠକରେ ଏଭଳି କିଛି ନିସ୍କର୍ସ ବାହାରିଛି । ୨୦୧୯ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ, ଅନ୍ୟ ଦଳଗୁଡ଼ିକ ଠାରୁ ଗୋଟିଏ ପାଦ ଆଗରେ ରହିବାକୁ ଏହି ବୈଠକରେ ନିଷ୍ପତି ହୋଇଥିବା ସୂଚନା ମିଳିଛି ।

ସବୁ ରାଜ୍ୟର ପ୍ରଦେଶ କଂଗ୍ରେସ ସଭାପତି ଏବଂ ବିଧାୟକ ଦଳର ନେତାଙ୍କୁ ନେଇ କଂଗ୍ରେସ ମୁଖ୍ୟଳୟରେ ବସିଥିବା ବୈଠକରେ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ରାହୁଲ । ଆସନ୍ତୁ ଜାଣିବା କ’ଣ ରହିଛି ରାହୁଲଙ୍କ ଗୁରୁମନ୍ତ୍ର ।

ରାହୁଲଙ୍କ ଗୁରୁମନ୍ତ୍ର :

– ମିଶନ୍ ମୋଡରେ କାମ କର

– ଫ୍ରଂଟଫୁଟରେ ରହି ଖେଳ

– ଶାଣିତ ଆକ୍ରମଣ କର

– ତୃଣମୂଳସ୍ତରରେ ସଂଗଠନ ଜଗ

– ନୂଆ ବିଚାର ନେଇ ଲଢ଼େଇ କର

ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଉପସ୍ଥିତ ରହି, ଓଡ଼ିଶା କଂଗ୍ରେସ ହିତରେ ଅନେକ ମତାମତ ରଖିଛନ୍ତି । ଏପଟେ କଂଗ୍ରେସ ଅଧ୍ୟକ୍ଷଙ୍କ ନିଷ୍ପତିକୁ ରାଜ୍ୟ କଂଗ୍ରେସର ନେତା ସ୍ୱାଗତ କରିବା ସହ ଯୁବକ ଏବଂ ମହିଳାଙ୍କୁ ଅଧିକ ପ୍ରାଧାନ୍ୟ ଦେବା ସପକ୍ଷରେ ଯୁକ୍ତି ରଖିଛନ୍ତି । ନେତାଙ୍କ ଏହି ଦମ୍ଭୋକ୍ତି ଭିତରେ କିନ୍ତୁ ରାହୁଲ ଗାନ୍ଧୀଙ୍କ ଫୋକସରେ ରହିଛି ଓଡ଼ିଶା । ଆସନ୍ତା ୨୭ ତାରିଖରେ କଂଗ୍ରେସର ଗଡ଼ କୁହାଯାଉଥିବା କୋରାପୁଟରେ କଂଗ୍ରେସ ଅଧ୍ୟକ୍ଷ ଏକ ସମାବେଶ କରୁଥିବା ବେଳେ ଭଉଣୀ ତଥା ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପ୍ରଚାର ପାଇଁ ଓଡ଼ିଶା ଆସିବା ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି ।