ଶିଶୁ ଭବନ ଛକରେ ପୋଲିସ- କଂଗ୍ରେସ କର୍ମୀ ମୁହାଁମୁହିଁ : ବ୍ୟାରିକେଟ୍ ଭାଙ୍ଗିଲେ, ପୋଲିସକୁ ଠେଲି ମାଡିଚାଲିଲେ

74

କନକ ବ୍ୟୁରୋ : ମମିତା ମେହେର ମୃତ୍ୟୁ ଘଟଣାରେ କଂଗ୍ରେସର ପ୍ରତିବାଦ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବାହାରିଥିଲା ଶୋଭାଯାତ୍ରା । ରାଜରାସ୍ତାରେ ଶକ୍ତି ପ୍ରଦର୍ଶନ କରିଛି ଯୁବ କଂଗ୍ରେସ । ଯୁବ କଂଗ୍ରେସର ପ୍ରତିବାଦ ଶୋଭାଯାତ୍ରା ମାଷ୍ଟର କ୍ୟାଂଟିନରୁ ବାହାରି ଶିଶୁଭବନ ଛକ ଯାଏଁ ପହଂଚିଥିଲା ।

ପ୍ରଥମେ ରାଜମହଲ ଛକରେ ପୋଲିସର ବ୍ୟାରିକେଟ ଅତିକ୍ରମ କରି ନବୀନ ନିବାସ ମୁହାଁ ହୋଇଥିଲେ କଂଗ୍ରେସ କର୍ମୀ । ଶିଶୁ ଭବନ ଛକରେ ଦୁଇଟି ବ୍ୟାରିକେଟ ଭାଙ୍ଗି ଆଗକୁ ବଢିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ । ମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାଇ ଦେଇଛି କଂଗ୍ରେସ ।

ସେପଟେ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦିବ୍ୟ ବଚନ ଦେବା ବଦଳରେ ଆଗ ଇସ୍ତଫା ଦିଅନ୍ତୁ । ଯିଏ ଦୋଷୀକୁ ସହଯୋଗ କରିଛି ସେ ମଧ୍ୟ ଅପରାଧ କରିଛି । ଆଇନ ଆଖିରେ ସେମାନେ କେବେ ବର୍ତିପାରିବେ ନାହିଁ । ତେଣୁ ମନ୍ତ୍ରୀ ଇସ୍ତଫା ଦେବା ଦରକାର । ଏଥିସହ ତଦନ୍ତର ସାମ୍ନା କରିବା ଦରକାର । କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି, ଯଦି ମନ୍ତ୍ରୀ ଦୋଷୀ ନୁହନ୍ତି ତାହେଲେ ନିର୍ଦ୍ଦୋଷ ବୋଲି ପ୍ରମାଣ କରନ୍ତୁ ।

ଦୋଷୀ ଦଣ୍ଡ ନପାଇବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଗଣେଶ୍ୱର କହିଛନ୍ତି । ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଘନିଷ୍ଠ ସହଯୋଗୀ । ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କର ସଂପୃକ୍ତି ରହିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।