କନକ ବ୍ୟୁରୋ : ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆସନ୍ତାକାଲି କଂଗ୍ରେସର ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡ଼ାକରା ଦେଇଛି । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ବନ୍ଦ ପାଳନ କରିବ କଂଗ୍ରେସ ।ତେବେ ଏହାକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଉଭୟ ବିଜେପି ଓ କଂଗ୍ରେସ ଉପରେ ବର୍ଷିଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଓଡ଼ିଶା ବନ୍ଦ ଡାକରା ପ୍ରତ୍ୟାହାର କରୁ କଂଗ୍ରେସ । କାରଣ ଓଡ଼ିଶା ବନ୍ଦ ଫଳରେ ରାଜ୍ୟବାସୀ ଆର୍ଥିକ କ୍ଷତି ସହିବେ । କରୋନା ପାଇଁ ଗତ ଦେଢ ବର୍ଷ ହେବ ରାଜ୍ୟବାସୀଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି । କରୋନା ପରେ ଲୋକେ ଆର୍ଥିକ ଦୂରବସ୍ଥା ଦୂର କରିବାକୁ ଚେଷ୍ଟା କରୁଥିବା ବେଳେ ଓଡ଼ିଶା କଂଗ୍ରେସ ବନ୍ଦ ଡାକରା ଦେଇଛି । ଏହା ଅତ୍ୟନ୍ତ ଦୁଃଭାଗ୍ୟଜନକ ଓ ନିନ୍ଦନୀୟ । ତେଣୁ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କଂଗ୍ରେସ ବନ୍ଦ ପାଳନ ନିଷ୍ପତ୍ତିକୁ ପ୍ରତ୍ୟାହାର କରୁ ବୋଲି ବିଜେଡି ଦାବି କରିଛି ।
ଅନ୍ୟପଟେ ଯେଉଁ ପ୍ରସଙ୍ଗରେ କଂଗ୍ରେସ ବନ୍ଦ ଡାକରା ଦେଇଛି ତାହାକୁ ରାଜନୀତିକରଣ ନ କରାଯାଉ ବୋଲି ପରିବାର ଲୋକେ କହିଛନ୍ତି । ତଦନ୍ତ ଠିକ୍ ଭାବରେ ଚାଲିଛି ତେଣୁ ଏହାକୁ ନେଇ ରାଜନୀତି ନକରିବାକୁ ନିବେଦନ କରିଛନ୍ତି ମମିତାଙ୍କ ପରିବାର । କିନ୍ତୁ ଓଡ଼ିଶା କଂଗ୍ରେସ ଏହାକୁ ରାଜନୀତିକରଣ କରିବା ସହ ଶସ୍ତା ରାଜନୀତି ପାଇଁ ବିଜେପି ସହ ହାତ ମିଳାଇଛି । ଯଦି କୌଣସି ପ୍ରମାଣ ଅଛି ତେବେ କୋର୍ଟର ଦ୍ୱାରସ୍ଥ ହୁଅନ୍ତୁ ଓ କୋର୍ଟରେ ଏହାର ନ୍ୟାୟ ହେବ । କିନ୍ତୁ ତାହା ନକରି ବନ୍ଦ ପାଳନ ଡାକରା ଦେଇ ଓଡ଼ିଶାବାସୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି । ଏଥିରୁ ସ୍ପଷ୍ଟ ଯେ, ଓଡ଼ିଶା ବିଜେପିର ବି ଟିମ ଭାବେ କାର୍ଯ୍ୟ କରୁଛି ଓଡ଼ିଶା କଂଗ୍ରେସ । ଓଡ଼ିଶା କଂଗ୍ରେସର ଆର୍ଥିକ ସ୍ଥିତି ଭଲ ନାହିଁ, ଏଭଳିସ୍ଥଳେ ଓଡ଼ିଶା ବିଜେପି ମାଧ୍ୟମରେ ନିଜର କାର୍ଯ୍ୟକ୍ରମକୁ ପ୍ରାୟୋଜିତ କରାଉଛନ୍ତି ।
Follow Us