କନକ ବ୍ୟୁରୋ : ଓଡ଼ିଶାର ଦୁଇଟି ଉପନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ହେବା ପରେ ଚିନ୍ତା ପ୍ରକଟ କରିଛନ୍ତି ଦଳର ବରିଷ୍ଠ ନେତା । ବାଲେଶ୍ୱରରେ ଦଳ ଅମାନତ ହରାଇବାର ମଧ୍ୟ ସମ୍ଭାବନା ରହିଥିଲା । ସେପଟେ ତିର୍ତ୍ତୋଲରେ ମଧ୍ୟ ବହୁ ଦୂରରେ ରହିଛି ଦଳ । ଏଭଳି ପରିସ୍ଥିତିରେ ଦଳର ନେତା କହିଛନ୍ତି, ଆତ୍ମସମୀକ୍ଷାର ସମୟ ଆସିଛି ।
ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲରେ ବେଶ ଉତ୍ସାହର ସହ ପ୍ରଚାର ଅଭିଯାନ ଆରମ୍ଭ କରିଥିଲା କଂଗ୍ରେସ । ସ୍ୱାଭାବିକ ଭାବେ ଦେଶର ସବୁଠାରୁ ପୁରୁଣା ଦଳ ଭାବେ ପ୍ରାର୍ଥୀମାନେ ମଧ୍ୟ ମୁକାବିଲା ପାଇଁ ତୟାର ହେଉଥିଲେ ।
ନିରାଶ କଲା କଂଗ୍ରେସର ପ୍ରଦର୍ଶନ । କରିପାରିଲା ନାହିଁ ମୁକାବିଲା । ୧୨୩ ବର୍ଷର ଏହି ବିରାଟ ରାଜନୈତିକ ସଂଗଠନ କାହିଁକି ଭୋଟରଙ୍କୁ ଆକର୍ଷିତ କରିପାରୁ ନାହିଁ ସେନେଇ ଦଳୀୟନେତାମାନେ ମଧ୍ୟ ଚିନ୍ତାରେ ଅଛନ୍ତି ।
ଉଭୟ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନରେ ଦ୍ୱିତୀୟ ସ୍ଥାନରେ ଥିବା ବିଜେପି ଠାରୁ ବହୁ ପଛରେ ରହିଛି କଂଗ୍ରେସ । ଦଳର ଏଭଳି ଦୁର୍ବଳ ପ୍ରଦର୍ଶନ ଆତ୍ମସମୀକ୍ଷାର ଆବଶ୍ୟକ କରୁଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ମତ ପ୍ରକାଶ ପାଉଛି ।