କିଏ ନେଇଯାଉଛି କଂଗ୍ରେସ ଭୋଟ୍ ? ବିହାରରୁ ବାଲେଶ୍ୱର, ସବୁ ନିର୍ବାଚନରେ ତଳକୁ ତଳକୁ ଖସୁଛି କଂଗ୍ରେସ । ବିହାରରେ ଅମାନତ ହରାଇଲା, ବାଲେଶ୍ୱର ଉପ-ନିର୍ବାଚନରେ ବି ରହିଲାନି ସତା ।

300

କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନରୁ ଓଡିଶା ଉପନିର୍ବାଚନ ସବୁଠି ଫେଲ୍ ମାରିଲା କଂଗ୍ରେସ । ନିର୍ବାଚନ, ଉପନିର୍ବାଚନରେ ଦଳର ଦୁର୍ବଳ ପ୍ରଦର୍ଶନ କଂଗ୍ରେସର ଭାଗ୍ୟ ଓ ଭବିଷ୍ୟତ ଉପରେ ପ୍ରଶ୍ନଚିହ୍ନ ଲଗାଇଛି । ବିହାରରେ ତେଜସ୍ୱୀ ନେତୃତ୍ୱାଧିନ ମହାମେଂଟରେ ବି କଂଗ୍ରେସ ନିରାଶଜନକ ପ୍ରଦର୍ଶନ କରିଛି । ଏସବୁ ପାଇଁ କିଛି ନେତାଙ୍କ ଅନ୍ତର୍ଘାତୀ କାର୍ଯ୍ୟକଳାପକୁ ଦାୟୀ କରିଛି କଂଗ୍ରେସ ।

ବିହାର ବିଧାନସଭା ନିର୍ବାଚନରୁ ବାଲେଶ୍ୱର ଉପ-ନିର୍ବାଚନ । ସବୁଠି ଫେଲ୍ କଂଗ୍ରେସ । କାହିଁକି କାମ କରୁନି କଂଗ୍ରେସ ରଣନୀତି ? ନେତୃତ୍ୱର ଅଭାବ ନା ଦଳୀୟ କନ୍ଦଳ ? ଏହି ପ୍ରଶ୍ନ ଏଇଥି ପାଇଁ ଉଠିଛି, କାରଣ ବିହାର ନିର୍ବାଚନୀ ଫଳାଫଳ ପୁଣି ଥରେ କଂଗ୍ରେସକୁ ଝଟକା ଦେଇଛି । ବିହାରରେ କଂଗ୍ରେସ ୭୦ଟି ଆସନରେ ନିର୍ବାଚନକୁ ଓହ୍ଲାଇଥିଲା । କିନ୍ତୁ ମାତ୍ର ୧୯ଟି ଆସନରେ ଜିତିପାରିଲା କଂଗ୍ରେସ । କଂଗ୍ରେସ ଉପରେ ଭରସା କରି ମୁଖ୍ୟମନ୍ତ୍ରୀ ହେବା ପାଇଁ ଆଶାୟୀ ଥିବା ତେଜସ୍ୱୀ ଯାଦବ କଂଗ୍ରେସର ଅପାରଦର୍ଶିତା କାରଣରୁ ହିଁ କ୍ଷମତାରୁ ଦୁରେଇ ଯିବା ପରି ପରିସ୍ଥିତି ସୃଷ୍ଟି ହୋଇଛି ।

ଶାସକ ବିଜେଡି ଏବଂ ବିଜେପି ବିରୋଧରେ ବାଲେଶ୍ୱରରେ ବି ଖୁବ କସରତ କରିଥିଲା କଂଗ୍ରେସ । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବାଲେଶ୍ୱରରେ ଡେରା ପକାଇ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କ ପାଇଁ ଘନ ଘନ ପ୍ରଚାର କରିଥିଲେ । ଏପିରିକି କଂଗ୍ରେସ ରାଜ୍ୟ ପ୍ରଭାରି ଚେଲ୍ଲା କୁମାର ମଧ୍ୟ ନିଜସ୍ୱ କୌଶଳ ଆପଣେଇଥିଲେ । ହେଲେ ଏଠି ବି କାମ କଲାନି କଂଗ୍ରେସ କାଟତି ।

ତେବେ ଏସବୁ ଭିତରେ ତିର୍ତ୍ତୋଲ ଉପନିର୍ବାଚନରେ ୨୮ହଜାର ଭୋଟ ପାଇ କଂଗ୍ରେସର ସମ୍ମାନ ରକ୍ଷା କରିବାରେ ଅନେକ ସଫଳ ହୋଇଛନ୍ତି ତିର୍ତ୍ତୋଲର କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ । ହେଲେ ୨୦୧୯ ସାଧାରଣ ନିର୍ବାଚନ ଏବଂ ୨୦୨୦ ବାଲେଶ୍ୱର ଉପ-ନିର୍ବାଚନରେ ପରାଜୟ, କେଉଁଠି ନା କେଉଁଠି ଆଗାମୀ ଦିନରେ କଂଗ୍ରେସର ସ୍ଥିତିକୁ ନେଇ ବଡ ପ୍ରଶ୍ନ ଛିଡା କରିଛି ।

୨୦୧୯ ସାଧାରଣ ନିର୍ବାଚନରେ ୧୮ଜଣ ସାଂସଦ ପ୍ରାର୍ଥୀ ଭାବେ ଲଢିଥିଲେ ମଧ୍ୟ ୧୧ଜଣ ଅମାନତ ହରାଇଥିଲେ । ବିଧାନସଭା ପାଇଁ ୧୩୯ଜଣ ଲଢିଥିବା ବେଳେ ୭୭ ଜଣ ଅମାନତ ହରାଇଥିଲେ । ସେହିପରି ବିଜେପୁର, ପାଟକୁରା ଉପ-ନିର୍ବାଚନ ଓ ଏବେ ବାଲେଶ୍ୱରରେ ସତା ହରାଇଛି କଂଗ୍ରେସ । ଆଉ ଏପରି ସ୍ଥିତିରେ ଆଗାମୀ ଦିନରେ କଂଗ୍ରେସର ଭାଗ୍ୟ ଓ ଭବିଷ୍ୟତକୁ ନେଇ ବଡ ପ୍ରଶ୍ନ ଠିଆ ହୋଇଛି ।