ଚମକାଇ ଦେଲା କୋରାପୁଟ ଓ ରାୟଗଡାର ଫଳାଫଳ । ବିଜେଡି ପାଇଁ କଂଗ୍ରେସ ଚ୍ୟାଲେଞ୍ଜ ଛିଡା କଲା, ୨୦୨୪ରେ କ୍ଷମତାକୁ ଫେରିବାକୁ ସଂକଳ୍ପ ନେଲା  । 

2,174

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନରେ ବିଜେଡିର ଏକତରଫା ବିଜୟ ଯେତିକି ଆଶ୍ଚଯ୍ୟଚକିତ କରିନି ତାହା ଠାରୁ ଅଧିକ ଚର୍ଚ୍ଚାର ଖୋରାକ ଯୋଗାଇଛି କଂଗ୍ରେସର ପ୍ରଦର୍ଶନ । ୨୦୧୭ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ବେଳେ ୨୦୨୨ରେ ଦଳର ପ୍ରଦର୍ଶନ ପୁଣିଥରେ କଂଗ୍ରେସ କର୍ମୀଙ୍କ ମନରେ ନୂଆ ଉର୍ଜ୍ଜା ଭରିଛି । ଆଉ ତାହା ପୁଣିଥରେ ରାଜ୍ୟରେ କ୍ଷମତାକୁ ଫେରିବା ପାଇଁ । କାରଣ ଚଳିତ ପଞ୍ଚାୟତ ଫଳାଫଳ କଂଗ୍ରେସ ପାଇଁ ବିଜେପିକୁ ହଟାଇ ଦୁଇ ନମ୍ବର ଦଳ ଭାବେ ମୁଣ୍ଡ ଟେକିବାକୁ ସୁଯୋଗ ସୃଷ୍ଟି କରିଛି । ଆଉ କଂଗ୍ରେସ ପାଇଁ ଏଭଳି ସୁଯୋଗ ସୃଷ୍ଟି କରିଛି କୋରାପୁଟ ଓ ରାୟଗଡା ଜିଲ୍ଲାରେ ଦଳର ପ୍ରଦର୍ଶନ । ଦଳ ୧୮ଟି ଜିଲ୍ଲାରେ ଖାତା ଖୋଲି ପାରିନଥିବା ବେଳେ ରାୟଗଡା ଓ କୋରାପୁଟର ପ୍ରଦର୍ଶନ ଦଳୀୟ ଶିବିରରେ ଉତ୍ସାହ ଭରିଛି ।

ଏବେ ସୁଦ୍ଧା କଂଗ୍ରେସ ବିଜୟୀ ହୋଇଥିବା ଜିଲ୍ଲା ପରିଷଦ ଜୋନରୁ ଅଧାଭାଗ ଆସିଛି ଏହି ଦୁଇ ଜିଲ୍ଲାରୁ  । ଏବେ ସୁଦ୍ଧା ଦଳ ରାଜ୍ୟରେ ମୋଟ ୩୦ଟି ଆସନରେ ବିଜୟୀ ହୋଇଥିବା ବେଳେ ଉଭୟ କୋରାପୁଟ ଓ ରାୟଗଡାରେ ଦଳର ବିଜୟୀ ପ୍ରାର୍ଥୀଙ୍କ ସଂଖ୍ୟା ୧୮ ଛୁଇଁଛି ।  ଯାହା କଂଗ୍ରେସ ଶିବିର ପାଇଁ ସଞ୍ଜିବନୀ ସଦୃଶ ପାଲଟିଛି । ସବୁଠୁ ବଡ କଥା ହେଲା କୋରାପୁଟରେ ଜୟପୁରକୁ ଛାଡିଦେଲେ ଅନ୍ୟ ସବୁଠି ବିଜେଡି ବିଧାୟକ ଥିଲେ ମଧ୍ୟ କଂଗ୍ରେସ ଏଠାରେ ହାତ ଟେକିଛି ଆଉ ବିଜେଡି ନେତୃତ୍ୱଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଜିଲ୍ଲା ପରିଷଦ ଦଖଲ କରିବା ଲକ୍ଷ୍ୟ ନେଇ ଏଥର କଂଗ୍ରେସ ମୈଦାନକୁ ଓହ୍ଲାଇଥିଲା ବୋଲି କହିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା । ଜୟପୁରରେ ଦଳର ପ୍ରଦର୍ଶନ ଭଲ ରହିଥିଲେ କଂଗ୍ରେସର ଏହି ଲକ୍ଷ୍ୟ ଯେ କେବଳ ପୂରା ହୋଇଥାନ୍ତା ତାହା ନୁହେଁ ବରଂ ବିଜେଡିର ୩୦ ଜିଲ୍ଲା ପରିଷଦ ଜୋନ ଦଖଲରେ ସବୁଠୁ ବଡ କଣ୍ଟା ହୋଇ ଛିଡା ହୋଇଥାନ୍ତା କଂଗ୍ରେସ ।  କଂଗ୍ରେସର ଏହି ସ୍ୱପ୍ନ ଅଳ୍ପକେ ଭାଙ୍ଗି ଯାଇଛି ସତ କିନ୍ତୁ ଦଳୀୟ କର୍ମୀଙ୍କ ମନରେ ଜୋଶ ଭରିଛି । କାରଣ ଏହି ଦୁଇ ଜିଲ୍ଲାରେ ବିଜେପି ଖାତା ଖୋଲି ପାରିନଥିବା ବେଳେ ଦୁଇ ନମ୍ବର ଦଳ ହୋଇ ବିଜେଡିକୁ କଡା ଟକ୍କର ଆଗକୁ ୨୦୨୪ ପାଇଁ ଏବେଠୁ ରୋଡମ୍ୟାପ ପ୍ରସ୍ତୁତ କରାଯାଉଥିବା କହିଛନ୍ତି ସପ୍ତଗିରି । ଲକ୍ଷ୍ୟ ରହିଛି ୭ରୁ ୭ ବିଧାୟକ ଆସନରେ ବାଜିମାତ କରି ପୁଣିଥରେ କଂଗ୍ରେସକୁ କମବ୍ୟାକ୍ କରିବା ।

କଂଗ୍ରେସର ଏହି ସ୍ୱପ୍ନକୁ ପୂରା କରିବାକୁ ଅଣ୍ଟା ଭିଡିଛନ୍ତି ଖୋଦ୍ ସାଂସଦ ସପ୍ତଗିରି ଉଲ୍ଲାକା । ଏହି ଫଳାଫଳକୁ ନେଇ ଉତ୍ସାହିତ ହେବା ବଦଳରେ ୨୦୨୪ ପାଇଁ ଏବେଠୁ ମୈଦାନକୁ ଓହ୍ଲାଇ କାମ କରିବାକୁ ପଡିବ ବୋଲି କହିଛନ୍ତି ସପ୍ତଗିରି । ଜିଲ୍ଲା ଓ ବ୍ଲକ ସ୍ତରରେ ଆମକୁ ସଙ୍ଗଠିତ ହେବା ସହ ବୁଥରେ ଟାଣୁଆ କର୍ମୀଙ୍କ ଉପରେ ଦାୟିତ୍ୱ ଦେବାକୁ ପଡିବ । କଂଗ୍ରେସ ପାଖରେ ସୁଯୋଗ ଅଛି, ରୋଡମ୍ୟାପ ପ୍ରସ୍ତୁତ କରୁଛୁ । ଖାସକରି ୬ ମାସ ଆଗରୁ ପ୍ରାର୍ଥୀ ଘୋଷଣା କରି ନିର୍ବାଚନମଣ୍ଡଳୀରେ ମାହୋଲ ସୃଷ୍ଟି କରିବା ସହ ସ୍ଥାନୀୟ ପ୍ରସଙ୍ଗକୁ ନେଇ ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି କରିବା ଦିଗରେ ଗୁରୁତ୍ୱ ଦିଆଯିବ । ଯେହେତୁ କଂଗ୍ରେସ କ୍ୟାଡର ଭିତ୍ତିକ ଦଳ ନୁହେଁ ତେଣୁ ତୃଣମୂଳସ୍ତରରେ ସଙ୍ଗଠନକୁ ସୁଦୃଢ କରିବାକୁ ଆଗୁଆ ନୂଆ ଚେହେରାଙ୍କୁ ଚିହ୍ନଟ କରି ଦାୟିତ୍ୱ ପ୍ରଦାନ କରାଗଲେ ଦଳ ଆହୁରି ସଙ୍ଗଠିତ ହେବ । ଆଉ ଏହାଦ୍ୱାରା କେବଳ ଯେ ବିଜେଡି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହେବ ତାହା ନୁହେଁ ବରଂ କଂଗ୍ରେସକୁ ପୁଣିଥରେ ଜୀବନ୍ୟାସ ଦେବ ।

 ସବୁଠୁ ବଡ କଥା ହେଉଛି ଗତ ସାଧାରଣ ନିର୍ବାଚନରେ କଂଗ୍ରେସର ଏକମାତ୍ର ସାଂସଦ ଭାବେ କୋରାପୁଟରୁ ନିର୍ବାଚିତ ହୋଇଥିଲେ ସପ୍ତଗିରି ଉଲ୍ଲାକା । ପୂରା ରାଜ୍ୟରେ ଭିନ୍ନ ଟ୍ରେଣ୍ଡ ଥିବା ବେଳେ କୋରାପୁଟରେ ଭିନ୍ନ ଟ୍ରେଣ୍ଡ ଦେଖିବାକୁ ମିଳିଥିଲା । ଆଉ ଏବେ କୋରାପୁଟ ପଞ୍ଚାୟତ ନିର୍ବାଚନର ଫଳାଫଳ ମଧ୍ୟ ଭିନ୍ନ ଏକ ଦିଗକୁ ସଂକେତ ଦେଉଛି । କଂଗ୍ରେସର ଏଭଳି ପ୍ରଦର୍ଶନ ଏବେ ବିଜେଡିର ଚିନ୍ତା ବଢାଇଥିବା ବେଳେ ଦଳୀୟ କର୍ମୀଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି । ତେବେ ଏହି ଜନମତକୁ ୨୦୨୪ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ କଂଗ୍ରେସ ନିଜ ସପକ୍ଷରେ ରଖି ପାରୁଛି କି ନାହିଁ ତାହା ଉପରେ ସମସ୍ତଙ୍କର ନଜର ରହିବ ।