କନକ ବ୍ୟୁରୋ: କଳାହାଣ୍ଡିରେ ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଅଣ୍ଡାମାଡ ହୋଇଛି । ନର୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲାବେଳେ କଂଗ୍ରେସ କର୍ମୀ ମମିତା ମେହେର ପ୍ରସଙ୍ଗ ଉଠାଇ କଳାପତାକା ପ୍ରଦର୍ଶନ କରିବା ସହ ଅଣ୍ଡାମାଡ କରିଥିଲେ ଓ ଗୋ-ବ୍ୟାକ ନାରା ଦେଇଥିଲେ । ଦିବ୍ୟଶଙ୍କରଙ୍କ ସହ ଯାଉଥିବା ଜିଲ୍ଲାର ଅନ୍ୟ ଦୁଇଜଣ ବିଧାୟକ ଭୁପିନ୍ଦର ସିଂ ଓ ପ୍ରଦୀପ ଦିଶାରୀଙ୍କୁ ବି ଅଣ୍ଡାମାଡ ହୋଇଛି ।

Advertisment
  • ନିଜ ଜିଲ୍ଲାରେ ଲୋକ ପ୍ରତିନିଧି ହଟହଟା
  • କଳାହାଣ୍ଡିରେ ୩ ବିଧାୟକଙ୍କୁ ଅଣ୍ଡାମାଡ

ନିର୍ବାଚନ ପାଖେଇ ଆସୁଛି ଆଉ ନେତା ବି ଏବେ ନିର୍ବାଚନମଣ୍ଡଳୀ ମୁହାଁ ହୋଇଛନ୍ତି । କିନ୍ତୁ ବିରୋଧୀଙ୍କ ବିରୋଧରୁ ବର୍ତ୍ତିପାରିନାହାନ୍ତି ନେତା । କଳାହାଣ୍ଡି ଜିଲ୍ଲା ନର୍ଲାରେ ଜିଲ୍ଲାର ୩ ପ୍ରମୁଖ ବିଧାୟକ ଏବେ ବିରୋଧୀଙ୍କ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି । ନର୍ଲା ବିଧାୟକ ଭୁପିନ୍ଦର ସିଂ, ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀଙ୍କୁ କଂଗ୍ରେସ କର୍ମୀମାନେ କଳପତାକା ପ୍ରଦର୍ଶନ କରିବା ସହ ଅଣ୍ଡାମାଡ କରିଛନ୍ତି । ନର୍ଲାରେ ନୂତନ ପ୍ରାଥମିକ ଶିକ୍ଷକ ଭବନ ଉଦଘାଟନ ଓ ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳନ କାର୍ଯ୍ୟକ୍ରମ ଥିଲା । ଆଉ ବିଧାୟକମାନେ ସଭାସ୍ଥଳରେ ପହଞ୍ଚିବା ପୂର୍ବରୁ କଂଗ୍ରେସ କର୍ମୀମାନେ ତୀବ୍ର ବିରୋଧ କରିଥିଲେ । ପୁଲିସ ସେମାନଙ୍କୁ ହଟାଇବାକୁ ଉଦ୍ୟମ କରିଥିଲେ ।

  • ମମିତା ମେହେର ପ୍ରସଙ୍ଗରେ ଦିବ୍ୟଶଙ୍କରକୁ ବିରୋଧ
  • କ୍ୟାପଟେନଙ୍କୁ କଂଗ୍ରେସ କର୍ମୀଙ୍କ ଗୋ-ବ୍ୟାକ ନାରା

କଂଗ୍ରେସ କର୍ମୀଙ୍କ ଟାର୍ଗେଟରେ ଥିଲେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର । କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ କଲେଜର ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ଦିବ୍ୟଶଙ୍କରଙ୍କୁ ବିରୋଧ କରଥିଲେ ଛାତ୍ର ଓ ଯୁବ କଂଗ୍ରେସର କର୍ମକର୍ତ୍ତା । ବର୍ଷାରେ ଭିଜି ଭିଜି ଦିବ୍ୟଶଙ୍କର ଗୋ-ବ୍ୟାକ ନାରା ଦେଇ କଳାପତାକା ପ୍ରଦର୍ଶନ ଓ ଅଣ୍ଡାମାଡ କରିଥିଲେ । ଏହାଛଡା ଶିକ୍ଷକ ସମସ୍ୟା ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ କର୍ମୀ । ବହୁତ ଦିନର ବ୍ୟବଧାନ ପରେ ପୁଣି କଳାହାଣ୍ଡିରେ ମମିତା ମେହେର ପ୍ରସଙ୍ଗ ଉଠିବା ପୁଣି ଚର୍ଚ୍ଚାର ବିଷୟ ପାଲଟିଛି । ଏହି ପ୍ରସଙ୍ଗରେ ବିବାଦ ଘେରରେ ଥିଲେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଗୁରୁଦିବସ ଭଳି ଦିନରେ ଜିଲ୍ଲାର ୩-୩ ଜଣ ବିଧାୟକଙ୍କୁ ବିରୋଧ ପରେ ଉତ୍ତେଜନା ପ୍ରକାଶ ପାଇଛି ।