୮ତାରିଖରୁ କଂଗ୍ରେସର ପିଇସି ବୈଠକ : ୫୦ଜଣ ପ୍ରାର୍ଥୀଙ୍କୁ ଟିକେଟ୍ ପ୍ରଦାନ ନିଷ୍ପତ୍ତି ଉପରେ ଲାଗିପାରେ ମୋହର

କଂଗ୍ରେସ କଣ ସତରେ ସମୁଦ୍ର । ଶଗରିଆ ବାଲଟିଏ ପାଣି ନେଇ ପଳାଇଲେ କିଛି ହେବନି ।

କନକ ବ୍ୟୁରୋ : ଅଗଷ୍ଟ ଶେଷ ସୁଦ୍ଧା ପ୍ରଥମ ଦଫାରେ ୫୦ଜଣଙ୍କୁ ଟିକେଟ୍ ଦେବ ବୋଲି ରାଜ୍ୟ କଂଗ୍ରେସ ଘୋଷଣା କରିଥିଲା। ଏଭଳି ଆଗୁଆ ଟିକେଟ୍ ପ୍ରଦାନ ନିଷ୍ପତ୍ତି ଦଳୀୟ ନେତା ଓ କର୍ମୀମାନଙ୍କୁ ଉତ୍ସାହିତ କରିଥିଲା। କିନ୍ତୁ ସେପ୍ଟେମ୍ବର ମାସ ହେବା ପରେ ବି ଏହି ଘୋଷଣା ଅଟକି ରହିଛି। ଏହି ୫୦ଜଣ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରସ୍ତୁତି ଏକପ୍ରକାର ଚୂଡ଼ାନ୍ତ ହୋଇଥିଲେ ବି ଆନୁଷ୍ଠାନିକ ଘୋଷଣା ବାକି ରହିଛି। ଆସନ୍ତା ୮ ଓ ୯ ତାରିଖ ଦୁଇଦିନ ଧରି ରାଜ୍ୟ କଂଗ୍ରେସର ପ୍ରଦେଶ ନିର୍ବାଚନ କମିଟି(ପିଇସି) ବୈଠକ ଅନୁଷ୍ଠିତ ହେବ। ଏଥିରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ରଣନୀତି, ପ୍ରସ୍ତୁତି ଉପରେ ମାନସ ମନ୍ଥନ ହେବ। ବିଶେଷ କରି ବୈଠକରେ ୫୦ଜଣ ପ୍ରାର୍ଥୀଙ୍କୁ ଟିକେଟ୍ ପ୍ରଦାନ ନିଷ୍ପତ୍ତି ଉପରେ ମୋହର ଲାଗିବ ବୋଲି ସୂଚନା ମିଳିଛି।

publive-imageଆଗାମୀ ସାଧାରଣ ନିର୍ବାଚନ କେବେ ହେବ ସେ ନେଇ ଚର୍ଚା ଅଧିକ ହେଉଛି, କିନ୍ତୁ ଆଗୁଆ ସୂଚନା ମିଳୁନାହିଁ। ରାଜ୍ୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ବାଚନୀ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ସତ୍ତ୍ୱେ ରାଜ୍ୟ କଂଗ୍ରେସ ପ୍ରଥମେ ପ୍ରାର୍ଥୀ ତାଲିକା ଘୋଷଣା କରିିବ କହି ନିର୍ବାଚନୀ ଚର୍ଚାକୁ ଆହୁରି ସରଗରମ କରିଦେଇଥିଲା। ପ୍ରଥମ ପର୍ଯ୍ୟାୟରେ ଦଳ ୫୦ଜଣଙ୍କୁ ଟିକେଟ୍ ଦେବ। ଏଥିପାଇଁ ହୋମ୍ଓ୍ଵାର୍କ ବି ସରିଥିବା ଦଳୀୟ ନେତା କହୁଛନ୍ତି। ବର୍ତମାନର ୧୫ଜଣ ଦଳୀୟ ବିଧାୟକଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ। ଗତ ନିର୍ବାଚନରେ ଯେଉଁ ଦଳୀୟ ପ୍ରାର୍ଥୀମାନେ ଅଳ୍ପ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ ସେମାନଙ୍କୁ ଟିକେଟ୍ ଦେବା ମଧ୍ୟ ଏକପ୍ରକାର ଚୂଡ଼ାନ୍ତ। ଏଭଳି ୪୦ଜଣ ପ୍ରାର୍ଥୀଙ୍କ ମନୋନୟନ ଆପାତତଃ ସରିଛି।

publive-imageଏହି ୧୦ଜଣ ଦଳୀୟ ପ୍ରାର୍ଥୀ କିଏ ସେ ନେଇ କର୍ମକର୍ତାମାନେ ମୁହଁ ଖୋଲୁନାହାନ୍ତି।  ପୂର୍ବତନ ପିସିସି ସଭାପତି, ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ, ବରିଷ୍ଠ ନେତା ପ୍ରମୁଖ। ପିସିସି ଏଭଳି ୫୦ଜଣିଆ ତାଲିକା ପ୍ରସ୍ତୁତ କରିଛି। ଏହା ଉପରେ ପିଇସି ବୈଠକର ଆଲୋଚନା ନିର୍ଣ୍ଣାୟକ ହେବ। ବୈଠକ ପରେ ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କ ମଞ୍ଜୁରି ପାଇଁ ପଠାଯିବ। ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କାର୍ଯ୍ୟକ୍ରମ ଦୃଷ୍ଟିରୁ ଆସନ୍ତା ପିଇସି ବୈଠକ ଗୁରୁତ୍ୱପୂର୍ଣ୍ଣ ହେବ। ବୈଠକରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ଅନ୍ୟ ଏଆଇସିସି କର୍ମକର୍ତାମାନେ ଯୋଗଦେବାର ସମ୍ଭାବନା ରହିଛି। ଅବଶ୍ୟ, ଦଳ ପକ୍ଷରୁ ସେମାନଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ସୂଚନା ମିଳିନାହିଁ। ପୂର୍ବ ବୈଠକରେ ପ୍ରଭାରୀ ଶ୍ରୀ ସିଂହ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କୁ ଜଣଙ୍କ ପରେ ଜଣେ ଡାକି ଆଲୋଚନା କରିଥିଲେ। ସେହିଦିନଠାରୁ ପ୍ରାର୍ଥୀ ତାଲିକା ଏକପ୍ରକାର ଚୂଡ଼ାନ୍ତ ହୋଇଥିଲା। ପୁନର୍ବାର ପିଇସି ବୈଠକରେ ସେହି ତାଲିକା ଚୂଡ଼ାନ୍ତ ହେବାର କାରଣ କ’ଣ ବୁଝାପଡ଼ୁନାହିଁ। ଉଲ୍ଲେଖଯୋଗ୍ୟ, କଂଗ୍ରେସ ପ୍ରାର୍ଥୀମାନଙ୍କୁ ଆଗୁଆ ଟିକେଟ୍ ଦେଲେ ବି ନିଜ ନିଜ ନିର୍ବାଚନମଣ୍ଡଳୀରେ ସେମାନଙ୍କର କାର୍ଯ୍ୟକଳାପ ଉପରେ ସତର୍କ ନଜର ରଖିବ। ଯଦି କେହି ପ୍ରାର୍ଥୀ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରନ୍ତି ସେମାନଙ୍କଠାରୁ ଟିକେଟ୍ ପ୍ରତ୍ୟାହାର କରିନିଆଯିବ ବୋଲି ସତର୍କ କରାଯାଇଛି। ସେହିପରି ତୃଣମୂଳ ଓ ବୁଥସ୍ତରରେ ଉଭୟ ବିଜେଡି ଓ ବିଜେପିର ଦୋଷ ଦୁର୍ବଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ କମୀମାନଙ୍କୁ ନିର୍ଦେଶ ଦିଆଯାଇଛି। ଇତି ମଧ୍ୟରେ ସେହି ନିର୍ଦେଶନାମା କେତେଦୂର ଫଳପ୍ରଦ ଭାବେ କାର୍ଯ୍ୟକାରୀ ହୋଇଛି ତା’ ଉପରେ ବି ଆଗାମୀ ବୈଠକରେ ଆଲୋଚନା ହୋଇପାରେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe