୭୫ ବର୍ଷରେ ୪୧ ବର୍ଷ ନେହେରୁ-ଗାନ୍ଧୀ ପରିବାର । ୧୩ ଜଣ ଅଣଗାନ୍ଧୀ ନେତା କଂଗ୍ରେସ ଅଧ୍ୟକ୍ଷ । ଦେଖନ୍ତୁ, ସ୍ୱାଧୀନତା ପରେ କିଏ କିଏ ଧରିଛନ୍ତି କଂଗ୍ରେସ କମାଣ?
କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଏବେ ସବୁଠି ଜୋର ଧରିଛି ରାଜନୀତି । ଗୋଟିଏ ପଟେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ନିର୍ବାର୍ଚନ ଲଢିବାକୁ ମନା କରୁଥିବାବେଳେ, ଅନ୍ୟପଟେ କଂଗ୍ରେସ ନେତା ଓ କର୍ମୀ ତାଙ୍କୁ ନିର୍ବାଚନ ଲଢିିବାକୁ ମନେଇବାରେ ଲାଗିଛନ୍ତି । ଏପରି ସ୍ଥିତିରେ କଂଗ୍ରେସ ଆଗାମୀ ଅଧ୍ୟକ୍ଷ କିଏ ହେଉଛି ତାକୁ ନେଇ ଜାରି ରହିଛି ସସପେନ୍ସ ।

Kanak News is now on WhatsApp
Join and get latest news updates delivered to you via WhatsApp
୧୯୪୭ ମସିହା ପରଠାରୁ କଂଗ୍ରେସ ଅଧ୍ୟକ୍ଷ ପଦ ଅଧିକାଂଶ ସମୟରେ ନେହେରୁ-ଗାନ୍ଧୀ ପରିବାର ହାତରେ ରହିଆସିଛି । ହେଲେ ଏମିତି ବି ସମୟ ଆସିଛି, ଯେତେବେଳେ କଂଗ୍ରେସ ଅଧ୍ୟକ୍ଷ ପଦ ନେହେରୁ-ଗାନ୍ଧୀ ପରିବାର ହାତରୁ ଯାଇ ଅଣଗାନ୍ଧୀ ନେତାଙ୍କ ହାତରେ ରହିଛି । ୧୯୪୭ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୭୫ ବର୍ଷ ଭିତରେ ପ୍ରାୟ ୪୧ ବର୍ଷ ଧରି କଂଗ୍ରେସ ଅଧ୍ୟକ୍ଷ ପଦ ଗାନ୍ଧୀ-ନେହେରୁ ପରିବାରରେ ରହିଛି । ଏହାକୁ ଛାଡି ବାକି ସମୟ ଅଣଗାନ୍ଧୀ ନେତାମାନେ କଂଗ୍ରେସ କମାଣ ନିଜ ହାତରେ ରଖିଥିଲେ ।
ନେହେରୁ-ଗାନ୍ଧୀ ପରିବାରରୁ ମୋଟ ୫ ଜଣ ନେତା କଂଗ୍ରେସର ଅଧ୍ୟକ୍ଷ ରହିଛନ୍ତି । ତାଙ୍କ ବ୍ୟତୀତ ଆଉ ୧୩ ଜଣ ନେତାଙ୍କ ହାତରେ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ଭାର ଦିଆଯାଇଛି । ଯେଉଁମାନେ କି ନେହେରୁ-ଗାନ୍ଧୀ ପରିବାରଠୁ ବାହାରେ ଥିଲେ । ନେହେରୁ-ଗାନ୍ଧୀ ପରିବାରରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି । ସେହିପରି ଅଣଗାନ୍ଧୀ ନେତାଙ୍କ ଭିତରେ ଜେ ବି ଜେବି କୃପଳାନୀ, ପଟ୍ଟାଭି ସୀତାରମୈୟା, ପୁରୁଷୋତ୍ତମ ଦାସ ଟଣ୍ଡନ, ୟୁଏନ୍ ଧେବର, ଏନ୍ ସଞ୍ଜୀବ ରେଡି, କେ କାମରାଜ, ଏସ ନିଜଲିଙ୍ଗପ୍ପା, ଜଗଜୀବନ ରାମ, ଶଙ୍କର ଦୟାଲ ଶର୍ମା, ଡି କେ ବରୁଆ, କେ ବି ରେଡ୍ଡୀ, ନରସିଂହା ରାଓ ଓ ସୀତାରାମ କେଶରୀ କଂଗ୍ରେସର ଅଧ୍ୟକ୍ଷ ରହିସାରିଛନ୍ତି । ତେଣୁ ଏବେ କେଉଁ ନେତା କଂଗ୍ରେସର ଆଗାମୀ ଅଧ୍ୟକ୍ଷ ହେବେ ତାକୁ ନେଇ ଜାରି ରହିଛି ସସପେନ୍ସ । ଜେବି କୃପଳାନୀ, ଯିଏ କି ଆଚାର୍ଯ୍ୟ କୃପଳାନୀ ଭାବେ ଖୁବ୍ ପରିଚିତ, ସେ ଦେଶ ସ୍ୱାଧୀନ ହେବା ପରେ କଂଗ୍ରେସର ପ୍ରଥମ ଅଧ୍ୟକ୍ଷ ରହିଥିଲେ । ତାଙ୍କ ପରେ ଆନ୍ଧ୍ରପ୍ରଦେଶର ନେତା ପଟ୍ଟାଭି ସୀତାରମୈୟା କଂଗ୍ରେସର କମାଣ ସମ୍ଭାଳିଥିଲେ । ୧୯୪୮ ମସିହାରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ସମର୍ଥନ ପଟ୍ଟାଭି ସୀତାରମୈୟାଙ୍କ ଉପରେ ରହିଥିଲା ।
୧୯୫୦ ମସିହାରେ ପୁରୁଷୋତ୍ତମ ଦାସ ଟଣ୍ଡନ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢିଥିଲେ । ଆଉ ଜେବି କୃପଳାନୀଙ୍କୁ ହରାଇ ସେ ଏହି ନିର୍ବାଚନରେ ବିଜୟୀ ମଧ୍ୟ ହେଇଥିଲେ । ତେବେ ପରେ ନେହେରୁଙ୍କ ସହିତ ମତଭେଦ କାରଣରୁ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ଏହାପରେ ୧୯୫୧ ମସିହାରୁ ୧୯୫୪ ମସିହା ପର୍ଯ୍ୟନ୍ତ ଜବାହାରଲାଲ ନେହେରୁ କଂଗ୍ରେସର ଅଧ୍ୟକ୍ଷ ପଦରେ ରହିଥିଲେ । ଏହି ସମୟରେ କଂଗ୍ରେସ ଦେଶର ପ୍ରଥମ ସାଧାରଣ ନିର୍ବାଚନ ଲଢିବା ସହିତ ୪୮୯ ଆସନରୁ ୩୬୪ ଆସନରେ ବିଜୟୀ ହେଇଥିଲା ।
ନେହେରୁଙ୍କ ପରେ ସେତେବେଳେ ସୌରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିବା ୟୁ ଏନ୍ ଧେବର କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ । ୧୯୫୫ ମସିହାରୁ ଦୀର୍ଘ ୪ ବର୍ଷ ଧରି ସେ ଏହି ପଦରେ ରହିଥିଲେ । ଆଉ ଏହାପରେ ଇନ୍ଦିରା ଗାନ୍ଧୀ ଦୀର୍ଘ ସମୟ ଧରି କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ । ୧୯୫୯ ମସିହାରେ ଇନ୍ଦିରା ଗାନ୍ଧୀ କଂଗ୍ରେସର କମାଣ ସମ୍ଭାଳିଥିଲେ । ଏହାପରେ ୧୯୬୦ରେ ନୀଲମ ସଞ୍ଜୀବ ରେଡି ଏହି ପଦରେ ରହିଥିଲେ । ସେ ୧୯୬୦-୬୩ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ । ତେବେ ୧୯୬୬ ମସିହାରେ କେ କାମରାଜଙ୍କ ସମର୍ଥନରେ ମୋରାରଜୀ ଦେଶାଇଙ୍କୁ ହରାଇ ପୁଣି କଂଗ୍ରେସ ଅଧ୍ୟକ୍ଷ ହେଇଥିଲେ ଇନ୍ଦିରା ଗାନ୍ଧୀ । ୧୯୬୬ରୁ ୬୭ ଏବଂ ୧୯୭୮ରୁ ୮୪ ମସିହା ପର୍ଯ୍ୟନ୍ତ ଇନ୍ଦିରା ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ରହିଥିଲେ ।
କେ କାମରାଜ କଂଗ୍ରେସର ଅଧ୍ୟକ୍ଷ ଭାବେ ୧୯୬୪ରୁ ୬୭ ପର୍ଯ୍ୟନ୍ତ କାମ କରିଥିଲେ । ସେ କଂଗ୍ରେସର ଏମିତି ଜଣେ ଅଧ୍ୟକ୍ଷ ଥିଲେ ଯିଏକି କିଙ୍ଗମେକର ଭାବେ ଖୁବ୍ ପରିଚିତ ଥିଲେ । ତାଙ୍କରି ସମୟରେ କାମରାଜ ପ୍ଲାନ୍ ମଧ୍ୟ ଆସିଥିଲା । ଯାହାକୁ ନେଇ ଏବେ ବି ଚର୍ଚ୍ଚା ହୁଏ । ୧୯୬୭ ମସିହା ପର୍ଯ୍ୟନ୍ତ କାମରାଜ କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବା ପରେ ଏସ୍ ନିଜଲିଙ୍ଗପ୍ପା ୧୯୬୮-୬୯ ପର୍ଯ୍ୟନ୍ତ କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ ।
ଏସ୍ ନିଜଲଙ୍ଗପ୍ପାଙ୍କ ପରେ ଜଗଜୀବନ ରାମ ୧୯୭୦-୭୧ କଂଗ୍ରେସର ଅଧ୍ୟକ୍ଷ ରହିଥିଲେ । ତାଙ୍କ ପରେ ଶଙ୍କର ଦୟାଲ ଶର୍ମା ଏହି ପଦରେ ରହିଥିଲେ । ଯିଏକ ପରବର୍ତ୍ତୀ ସମୟରେ ଦେଶର ରାଷ୍ଟ୍ରପତି ହେବା ସହିତ ୧୯୯୨ ମସିହାରୁ ୧୯୯୭ ମସିହା ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ଭାବେ ପଦ ଅଳଙ୍କୃତ କରିଥିଲେ । ୧୯୭୫ରୁ ୭୭ ମସିହାରେ, ଯେତେବେଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ହେଇଥିଲା, ସେତେବେଳେ କଂଗ୍ରେସର ଅଧ୍ୟକ୍ଷ ରହିଥିଲେ ଦେବକାନ୍ତ ବରୁଆ । ତେବେ କଂଗ୍ରେସର ସେ ଏକମାତ୍ର ଅଧ୍ୟକ୍ଷ ଥିଲେ, ଯିଏ କି ଆସାମରୁ ପ୍ରତିନିଧିତ୍ୱ କରୁଥିଲେ । ତେବେ ଇନ୍ଦିରାଙ୍କ ହତ୍ୟା ପରେ ରାଜୀବ ଗାନ୍ଧୀ କଂଗ୍ରେସ କମାଣ ନିଜ ହାତରେ ରଖିବା ସହିତ ୧୯୮୫ରୁ ୯୧ ମସିହା ପର୍ଯ୍ୟନ୍ତ କଂଗ୍ରେସ ଅଧ୍ୟକ୍ଷ ପଦରେ ରହିଥିଲେ । ତାଙ୍କର ସମୟରେ ୧୯୮୪ ମସିହାରେ ଦଳ ଐତିହାସିକ ବିଜୟ ହାସଲ କରିବା ସହିତ ରାଜୀବ ଗାନ୍ଧୀ ଦେଶର ଷଷ୍ଠ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ।
୧୯୯୧ ମସିହାରେ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ ପି.ଭି ନରସିଂହା ରାଓ । ହେଲେ ରାଜୀବଙ୍କ ହତ୍ୟା ପରେ ସେ ପୁଣିଥରେ ରାଜନୀତିକୁ ଏଣ୍ଟ୍ରି ମାରିଥିଲେ । ଆଉ ୧୯୯୨ରୁ ୯୬ ପର୍ଯ୍ୟନ୍ତ ଦେଶର ସବୁଠୁ ବଡ ରାଜନୈତିକ ଦଳର ଅଧ୍ୟକ୍ଷ ରହିଥିଲେ । ତାଙ୍କ ପରେ ସୀତାରାମ କେଶରୀ ୧୯୯୬ରୁ ୯୮ ମସିହା ପର୍ଯ୍ୟନ୍ତ କଂଗ୍ରେସର ଅଧ୍ୟକ୍ଷ ରହିଥିଲେ । ୧୯୯୮ ମସିହାରୁ କଂଗ୍ରେସରେ ଆରମ୍ଭ ହେଇଥିଲା ସୋନିଆ ଯୁଗ । ଲମ୍ବା ସମୟ ଧରି ସେ କଂଗ୍ରେସର ଅଧ୍ୟକ୍ଷ ରହିଥିଲେ । ତାଙ୍କ ପରେ ରାହୁଲ ଗାନ୍ଧୀ ୨୦୧୭ରେ ଦଳର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ । ହେଲେ ୨୦୧୯ ଲୋକସଭା ନିର୍ବାଚନରେ ଦଳର ପରାଜୟ କାରଣରୁ ରାହୁଲ ଏହି ପଦରୁ ଇସ୍ତଫା ଦେଇଥିଲେ । ଆଉ ସେବେଠୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି ସୋନିଆ ଗାନ୍ଧୀ । ସୋନିଆ ଗାନ୍ଧୀ ଦୀର୍ଘ ସମୟ ଧରି କଂଗ୍ରେସର ଅଧ୍ୟକ୍ଷ ରହିସାରିଛନ୍ତି । ତାଙ୍କର ନେତୃତ୍ୱରେ ଦଳ ଲୋକସଭା ନିର୍ବାଚନ ଜିତିଥିବାବେଳେ, ଡକ୍ଟର ମନମୋହନ ସିଂ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ।