କରୋନା କଟକଣା ଭିତରେ ବିଧାନସଭାରେ ଉପସ୍ଥାପିତ ହେଲା ୭ଟି ବିଲ୍ । ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ କଂଗ୍ରେସର ବିରୋଧ, ବିଲ୍ ଚିରି ଦେଲେ ବିଧାୟକ ।

490

କନକ ବ୍ୟୁରୋ : ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି । କଂଗ୍ରେସ ବିଧାୟକ ତାରା ବାହୀନିପତି ବିଲ କପିକୁ ଗୃହରେ ଚିରି ପକାଇଥିବା ବେଳେ ବିରୋଧୀ ଦଳ ନେତା କହିଛନ୍ତି, ବିଲ୍ ଆସିଲେ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା ରହିବ ନାହିଁ । ଉଚ୍ଚଶିକ୍ଷା ମନ୍ତ୍ରୀ ଗୃହରେ କହିଛନ୍ତି, ବିଲ୍ ଆସିଲେ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା ପ୍ରତି ଗୋଟିଏ ବିନ୍ଦୁ ବି କ୍ଷୁର୍ଣ୍ଣ ହେବ ନାହିଁ । ଏହାରି ଭିତରେ ପ୍ରଥମ ଦିନରେ ୭ଟି ବିଲ୍ ଉପସ୍ଥାପିତ ହୋଇଛି । ଆଜି ୮୫ ଜଣ ବିଧାୟକ ବିଧାନସଭା ଆସିଥିବା ବେଳେ ୯ଜଣ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ । ଏହାରି ଭିତରେ ନୂଆ ବିଧାନସଭାକୁ ନେଇ ଜୋରଦାର ହୋଇଥିଲା ଚର୍ଚ୍ଚା ।

କୋଭିଡ କଟକଣା ଭିତରେ ଆରମ୍ଭ ହୋଇଥିବା ବିଧାନସଭାର ଚିତ୍ର ସବୁ ଅଧିବେଶନ ଠାରୁ ଅଲଗା । ମାସ୍କ, ଫେସ ସିଲଡ ଓ ଗ୍ଲୋବ୍ସରେ ଦେଖିବାକୁ ମିଳିଥିଲେ ବିଧାୟକ । ସମସ୍ତ ବିଧାୟକ ୪ ଫୁଟ ଦୂରତାରେ ବସିଥିଲେ । ଏବଂ ସିଟ୍ ଆଗରେ ଥିଲା କାଚ କଭର ।

ନୂଆ ରୂପରେ ବିଧାନସଭା । ପୁରୁଣା ଅନ୍ଦାଜରେ ବିଧାୟକ । ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ବିଧାନସଭାରେ ତୁମ୍ବି ତୋଫାନ । ବିଶ୍ୱବିଦ୍ୟାଳୟ ବିଲକୁ କଳା ବିଲ୍ କହି ଗୃହ ଭିତରେ ଚିରି ପକାଇଥିଲେ କଂଗ୍ରେସ ବିଧାୟକ ତାରା ବାହୀନିପତି । ଦାବି କରିଥିଲେ, ବିଲକୁ ସିଲେକ୍ସନ କମିଟିକୁ ପଠାଯାଉ । ବିରୋଧୀ ବିଜେପି କହିଥିଲା ଯେ, ବିଲ୍ ଆସିଲେ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା ରହିବ ନାହିଁ ।

ସେପଟେ ମାସ୍କ ଓ ପିପିଇ କିଟ୍ ଭଳି କୋଭିଡ ସାମଗ୍ରୀ କିଣା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ବେସରକାରୀ କମ୍ପାନୀକୁ ବ୍ଲାଙ୍କ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କରିଥିଲେ ବିରୋଧୀ ଦଳ ନେତା । ସେହିପରି ରାଜ୍ୟରେ କୋଭିଡ୍ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ । ଏହାରି ଭିତରେ ପ୍ରଥମ ଦିନରେ ଗୃହରେ ୭ଟି ବିଲ୍ ଉପସ୍ଥାପିତ ହୋଇଛି ।

ବିଧାନସଭା ଅଧିବେଶନର ପ୍ରଥମ ଦିନରେ ୧୮ ଜଣ ଦିବଙ୍ଗତ ନେତା, କୋଭିଡ୍ ଯୋଦ୍ଧା ଓ ସହିଦଙ୍କ ବିୟୋଗରେ ନବୀନ ନିବାସରୁ ଭିଡିଓ କନଫରେନ୍ସିଂରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଥମ ଦିନରେ ଗୃହରେ ୮୫ ସଦସ୍ୟ ଉପସ୍ଥିତ ଥିଲେ । ବିଧାନସଭା ବାହାରେ ଭିଡିଓ କନଫରେନ୍ସରେ ଉପସ୍ଥିତ ଥିଲେ ୯ ଜଣ ସଦସ୍ୟ ।