ଗାନ୍ଧି ବ୍ରାଣ୍ଡକୁ ନେଇ ତେଜିଲା ରାଜନୀତି । ବିଜେପିର ପଦଯାତ୍ରାକୁ ନେଇ ବର୍ଷିଲା କଂଗ୍ରେସ, ଭୁବନେଶ୍ୱରରୁ ପଦଯାତ୍ରା ଆରମ୍ଭ କରିବ ବିଜେଡି ।

355

କନକ ବ୍ୟୁରୋ : ଗାନ୍ଧି ଜୟନ୍ତୀରୁ ତିନି ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିବାକୁ ଯାଉଛନ୍ତି ପଦ ଯାତ୍ରା । ତେବେ ନେହେରୁ  ଓ ଗାନ୍ଧି ପ୍ରସଙ୍ଗରେ ସବୁବେଳେ ବୟାନବାଜି କରୁଥିବା ବିଜେପି କିପରି ପଦ ଯାତ୍ରା କରୁଛି ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ । ଅନ୍ୟପକ୍ଷରେ ବିଜେଡି ଏଥର ଭୁବନେଶ୍ୱରରୁ ପଦଯାତ୍ରା ଆରମ୍ଭ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦଯାତ୍ରାର ଶୁଭାରମ୍ଭ କରିବେ ।

ଆଗକୁ ଆସୁଛି ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଜୟନ୍ତୀ । ଆଉ ଏହି ପୁଣ୍ୟ ତିଥିର ଭରପୁର ରାଜନୈତିକ ଫାଇଦା ଉଠାଇବା ପାଇଁ ଲାଗିପଡିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ପୂର୍ବରୁ ଗାନ୍ଧୀ ବ୍ରାଣ୍ଡକୁ କେବଳ କଂଗ୍ରେସ ବ୍ୟବହାର କରୁଥିବା ବେଳେ  ଏବେ ରାଜନୀତିରେ ସଫଳତା ପାଇଁ ସବୁ ରାଜନୈତିକ ଦଳ ପାଇଁ ଭରସା ପାଲଟିଛନ୍ତି ମହାତ୍ମା । ପ୍ରାୟ ୧୭ବର୍ଷ ଧରି ଗାନ୍ଧିଜୟନ୍ତୀରୁ ପଦଯାତ୍ରା କରୁଥିବା ବିଜେଡି ଏଥର ମଧ୍ୟ ଭୁବନେଶ୍ୱରରୁ ଆରମ୍ଭ କରିବ ପଦଯାତ୍ରା ।

ସେପଟେ ଗାନ୍ଧିଙ୍କ କଥାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବିଜେପି ସାରା ଦେଶରେ ଆରମ୍ଭ କରୁଛି ଗାନ୍ଧି ସଂକଳ୍ପ ଯାତ୍ରା । ଏଥିରେ ସାମିଲ ହେବେ ବିଧାୟକ, ସାଂସଦ, ସାଂଗଠନିକ କର୍ମକର୍ତା । କେନ୍ଦ୍ର ମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନ କଟକ ତେଲେଙ୍ଗାପେଣ୍ଠ ସ୍ଥିତ ଗାନ୍ଧି ସ୍ମୃତି ପୀଠରୁ ପଦଯାତ୍ରାର ଶୁଭାରମ୍ଭ କରିବେ । ଦିନକୁ ପ୍ରାୟ ୧୦ କିଲୋମିଟର ଯାତ୍ରା ହେବ ଏବଂ ଟାର୍ଗେଟ ରହିଛି ୧୫୦ କିଲୋମିଟର ।

ଅନ୍ୟପଟେ ଗାନ୍ଧି ଜୟନ୍ତୀରୁ ପଦଯାତ୍ରା ପ୍ରସଙ୍ଗରେ ବିଜେପିକୁ ସମାଲୋଚନା କରିଛି କଂଗ୍ରେସ । ନେହେରୁ ଓ ଗାନ୍ଧି ପ୍ରସଙ୍ଗରେ ବୟାନବାଜି କରୁଥିବା ବିଜେପି ଏବେ କିପରି ପଦ ଯାତ୍ରା କରୁଛି ବୋଲି ପାଲଟା ପ୍ରଶ୍ନ ଉଠାଇଛି କଂଗ୍ରେସ । ତେବେ ଜନତା ମଇଦାନ ନାଲକୋ ପାର୍କ ଗାନ୍ଧିମୂର୍ତି ଠାରୁ କଂଗ୍ରେସ ପାରମ୍ପରିକ ଢଙ୍ଗରେ ପଦ ଯାତ୍ରା କରିବ ବୋଲି କହିଛି । ବାସ୍ତବରେ ଗାନ୍ଧିଙ୍କ ବାର୍ତା ଜନତାଙ୍କ ପାଖରେ ପହଂଚିବ ନା କେବଳ ରାଜନୈତିକ ଦଳ ଗୁଡିକର ରାଜନୀତିରେ ସୀମିତ ରହିବେ ଗାନ୍ଧି ତାହା ଦେଖିବାକୁ ବାକି ରହିଲା ।