କନକ ବ୍ୟୁରୋ: ଓଡ଼ିଶାରେ କମାଣ୍ଡର ଶୂନ୍ୟ କଂଗ୍ରେସ । ଓଡିଶାର ସମସ୍ତ କମିଟିକୁ ଏଆଇସିସି ଭଙ୍ଗ କରିବା ପରେ ରାଜ୍ୟର ନେତୃତ୍ବ କିଏ ନେବେ ଏହାକୁ ନେଇ ଚର୍ଚ୍ଚା ଚାଲିଛି । ଅନ୍ୟପଟେ ନିର୍ବାଚନ ପରେ ଦଳୀୟ କାର୍ଯ୍ୟକ୍ରମରେ ଏକ ପ୍ରକାର ଠପ୍ ହୋଇପଡ଼ିଛି । ତେବେ ୧୫ ତାରିଖ ପୂର୍ବରୁ ପିସିସି ସଭାପତିଙ୍କ ନାମ ଘୋଷଣା ହେବ ବୋଲି କୁହାଯାଉଛି।

  • ଓଡିଶା ମୁଖିଆ ବାଛିପାରୁନି କଂଗ୍ରେସ
  • ଜିଲ୍ଲା ଅଫିସଗୁଡିକରେ ଝୁଲିଛି ତାଲା

୨୦ଦିନ ହୋଇଗଲାଣି, ପିସିସି ଭଙ୍ଗିବା ପରେ ଦିଲ୍ଲୀରୁ ଆସୁନି ରାଜ୍ୟ ସଭାପତିଙ୍କ ନାଁ । ଯାହା ଫଳରେ ଦଳୀୟ କାର୍ଯ୍ୟକ୍ରମ ରାଜ୍ୟରେ ଠପ ହୋଇଗଲାଣି । କର୍ମୀଙ୍କ ମନୋବଳ ଭାଙ୍ଗିଲାଣି ଓ ନେତା ବି ଧିରେ ଧିରେ ନିରାଶ ହେଲେଣି । ସ୍ଥିତି ଏଭଳି ହେଲାଣି ଯେ, ସୁନ୍ଦରଗଡ, ଜୟପୁର, ନବରଙ୍ଗପୁର ଜିଲ୍ଲା ଭଳି ରାଜ୍ୟର ସବୁ ସାଙ୍ଗଠନିକ ଜିଲ୍ଲା କଂଗ୍ରେସ ଅଫିସରେ ତାଲା ଝୁଲିଲାଣି । ନେତା କହିଲେଣି, ଟିମରେ କମାଣ୍ଡର ନଥିଲେ ଯାହା ହୁଏ, ରାଜ୍ୟରେ ଏବେ କଂଗ୍ରେସର ସ୍ଥିତି ସେୟା ହୋଇଛି ।

ବିରୋଧୀ ଦଳ ଭାବେ ବିଜେଡି ବିଭିନ୍ନ ପ୍ରସଙ୍ଗରେ ଶାସକ ବିଜେପିକୁ ଶକ୍ତ ପ୍ରହାର କରୁଛି। କିନ୍ତୁ ଏହି ଦୃଷ୍ଟିରୁ କଂଗ୍ରେସ ବହୁ ପଛରେ ପଡିଛି । କର୍ମୀ, ନେତା କାହାକୁ ରିପୋର୍ଟିଂ କରିବେ ତାହା ଜାଣିପାରୁନାହାନ୍ତି । ଏଭଳି ସ୍ଥିତିରେ ସଙ୍ଗଠନ ଭୁଶୁଡିବାରେ ଲାଗିଛି ଓ କର୍ମୀ ବିକଳ୍ପ ଚିନ୍ତା କଲେଣି । ମିଳିଥିଲା ଖବର ଅନୁସାରେ, ମୁଖିଆ ବାଛିବା ପୂର୍ବରୁ ରାଜ୍ୟ କଂଗ୍ରେସ ନେତାକୁ ଭରସାକୁ ନେଇପାରନି ଏଆଇସିସି । ତେଣୁ ସଭାପତିଙ୍କ ନାଁ ପାଇଁ ବରିଷ୍ଠ ନେତାଙ୍କୁ ଦିଲ୍ଲୀ ଡାକି ଆଲୋଚନା କରିନାହାନ୍ତି ହାଇକମାଣ୍ଡ । କିଛି ଆଶୀୟ ଦିଲ୍ଲୀ ଯାଇ ଲବି କରି ନିରାଶ ହୋଇଛନ୍ତି । ଏଆଇସିସି ନେତୃତ୍ୱ ନିଜେ ଏକ ସର୍ଭେ କରି କାହାକୁ ପିସିସି ସଭାପତି କରିବେ ତାହା ସ୍ଥିର କରିଛସାରିଛନ୍ତି । କେବଳ ନାଁ ଘୋଷଣାକୁ ଅପେକ୍ଷା ରହିଛି ।

କୁହାଯାଉଛି, ସବୁ ଠିକ୍ ଠାକ୍ ରହିଲେ ୧୫ ତାରିଖ ପୂର୍ବରୁ ନାଁ ଘୋଷଣା ହୋଇପାରେ । କାରଣ-ଆଗକୁ ସ୍ୱାଧୀନତା ଦିବସ । ଆଉ ନୂଆ ପିସିସି ସଭାପତି ପତାକା ଉତ୍ତୋଳନ କରିବା ନିୟମ ରହିଛି । ଆଉ ଏହା ନହେଲେ ଦଳ ଭିତରେ ଅସନ୍ତୋଷର ନିଆଁ ଆହୁରି ବଢିବ ବୋଲି କୁହାଯାଉଛି ।