ତୈଳ ଦର ବୃଦ୍ଧି ନେଇ କଂଗ୍ରେସର ବନ୍ଦ ଡାକରା । ବିଭିନ୍ନ ସ୍ଥାନରେ କଂଗ୍ରେସର ଅଭିନବ ପ୍ରତିବାଦ ।

37

କନକ ବ୍ୟୁରୋ: କେଉଁଠି ଶଗଡ଼ରେ ବସି ତ କେଉଁଠି ଘୋଡ଼ାରେ ମୋଦି ସରକାରଙ୍କ ବିରୋଧରେ ପ୍ରତିବାଦ କରିଛି କଂଗ୍ରେସ । ତୈଳ ଦର ବୃଦ୍ଧି ନେଇ କଂଗ୍ରେସ ଦେଇଛି ଭାରତ ବନ୍ଦ ଡାକରା । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ଅପରାହ୍ନ ୩ଟା ଯାଏଁ ଚାଲିବ । ଆଉ ଏହାରି ମଧ୍ୟରେ ଓଡିଶାରେ ମଧ୍ୟ ଦେଖିବାକୁ ମିଳିଛି କଂଗ୍ରେସର କିଛି ଅଭିନବ ପ୍ରତିବାଦ ।

ନବରଙ୍ଗପୁର ଚନ୍ଦାହାଣ୍ଡି ଅଞ୍ଚଳର କଂଗ୍ରେସ କର୍ମୀଙ୍କ ପ୍ରତିବାଦ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ । କାରଣ ମୋଦି ସରକାରଙ୍କ ବିରୋଧରେ ଶଗଡ଼ରେ ବସି ତୈଳ ଦର ବୃଦ୍ଧି ପ୍ରତିବାଦ କରିଛି କଂଗ୍ରେସ । କେବଳ ପେଟ୍ରୋଲ କି ଡିଜେଲ ଦର ନୁହେଁ ବରଂ ଇନ୍ଧନ ଗ୍ୟାସ ଦରକୁ ନେଇ ବି ଶଗଡ଼ ଉପରେ ବସି କଂଗ୍ରେସ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ହାତରେ ଦଳୀୟ ପାତାକା ଏବଂ ମୁହଁରେ ମୋଦିଙ୍କ ମୁଖା ପିନ୍ଧି କେନ୍ଦ୍ର ବିରୋଧୀ ନାରାବାଜି କରି ବିରୋଧ ପ୍ରଦର୍ଶନ କରିଛନ୍ତି ନବରଙ୍ଗପୁର ଚନ୍ଦାହାଣ୍ଡି କଂଗ୍ରେସ କର୍ମୀ ।

ସେହିପରି ଖୋର୍ଦ୍ଧା ଢ଼ମଣା ଅଞ୍ଚଳରେ କିଛି କଂଗ୍ରେସ କର୍ମୀ ଘୋଡ଼ାରେ ବସି ତେଲ ଦର ବୃଦ୍ଧି ପ୍ରତିବାଦ କରିଛନ୍ତି । ତେବେ ଯେଉଁ କଂଗ୍ରେସ ଦଳ ବନ୍ଦ ଡାକରା ଦେଲେ ଅନେକ ସ୍ଥାନରେ ଜଳା ପୋଡାର ଘଟଣା ପୂର୍ବରୁ ସମ୍ନାକୁ ଆସିଛି । ହଠାତ୍ ଶାନ୍ତିପୂର୍ଣ୍ଣ ଭାବେ ଏଭଳି ଅଭିନବ ପ୍ରୟାସରେ ପ୍ରତିବାଦ କରୁଥିବାରୁ ନିଶ୍ଚିନ୍ତ ଭାବେ ଦେଶ ତଥା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ଦେଶର ଅନେକ ରାଜନୈତିକ ଦଳ କଂଗ୍ରେସର ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି । ବିଶେଷକରି ସିପିଆଇ, ସିପିଏମ୍, ଜନତା ଦଳ ସେକ୍ୟୁଲାର, ମହାରାଷ୍ଟ୍ର ନବନିର୍ମାଣ ସେନା, ଆରଜେଡି, ଏନ୍ସିପି, ବିଏସ୍ପି, ଡିଏମ୍କେ ଭଳି ଦଳ କଂଗ୍ରେସର ଏହି ବନ୍ଦକୁ ସମର୍ଥନ କରିଛନ୍ତି । ଏହା ବ୍ୟତିତ କିଛି ପରିବହନ ସଂସ୍ଥା ମଧ୍ୟ ବନ୍ଦ ପାଳନକୁ ସମର୍ଥନ ଜଣାଇନ୍ତି । ଅନ୍ୟପଟେ ବନ୍ଦପାଳନକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ ରଖାଯାଇଛି ।