ମହାରାଷ୍ଟ୍ର ପଲିଟିକ୍ସ ! କଂଗ୍ରେସ-ଏନସିପି ସହ ମେଂଟ ଉଦ୍ଧବଙ୍କ କାହିଁକି ହେବ ଜଟିଳ ?

627

କନକ ବ୍ୟୁରୋ : ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ଆସିବାର ୮ ଦିନ ବିତିଗଲାଣି। କିନ୍ତୁ ସରକାର ଗଠନ ନେଇ ଅନିଶ୍ଚିତତା ଜାରି ରହିଛି। ଗତ ବିଧାନସଭା ନିର୍ବାଚନରେ ବିଜେପି ଶିବସେନା ମେଣ୍ଟ ୧୮୫ ଆସନରେ ଜିତିଥିବାବେଳେ ଚଳିତ ଥର ମେଣ୍ଟକୁ ୧୬୧ ଆସନ ମିଳିଛି। ଯଦିଓ ମେଣ୍ଟ ପୂର୍ବ ବିଧାନସଭା ନିର୍ବାଚନ ତୁଳନାରେ ୨୪ଟି ସିଟ୍ କମ୍ ପାଇଛି, ତଥାପି ସରକାର ଗଠନ ପାଇଁ ଏହା ପର୍ଯ୍ୟାପ୍ତ। ତେବେ ଏହାସତ୍ତ୍ବେ ଦୁଇ ଦଳ ମଧ୍ୟରେ କ୍ଷମତା ବଣ୍ଟନକୁ ନେଇ ବିବାଦ ଛିଡ଼ୁନି କି ସରକାର ମଧ୍ୟ ଗଠନ ହୋଇପାରୁନାହିଁ। ମୁଖ୍ୟମନ୍ତ୍ରୀ ପଦ ଦେବାପାଇଁ ବିଜେପି ଶିବସେନାର ଦାବିରେ ରାଜି ହେଉନଥିବାରୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ବିକଳ୍ପ ବାଛିବାକୁ ଧମକ ଦେଇଛନ୍ତି। ଠାକରେ ଏବଂ ତାଙ୍କ ସହଯୋଗୀମାନେ ବିରୋଧୀ ଦଳ ନେତାମାନଙ୍କ ପାଖରେ ପହଞ୍ଚି ବିଜେପି ଉପରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।

କିନ୍ତୁ ବିଜେପି ଏଭଳି ସ୍ଥିତିକୁ ନେଇ ତିଳେମାତ୍ର ଖାତିର୍ କରୁନାହିଁ। ମହାରାଷ୍ଟ୍ରରେ ବିଜେପି ଏକକ ବୃହତ୍ତମ ଦଳ ହୋଇଥିବାରୁ ରାଜ୍ୟପାଳ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରିତ କରିପାରନ୍ତି। ପରେ ବିଜେପି ସରକାର ଗଠନ କରିବାପରେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବ। ଅନ୍ୟପକ୍ଷେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଯଦି ବିଜେପିକୁ ସମର୍ଥନ ନ କରନ୍ତି ତେବେ ତାଙ୍କ ପାଖରେ ୨ଟି ରାସ୍ତା ଅଛି। ପ୍ରଥମଟି ହେଉଛି ଶିବସେନା-କଂଗ୍ରେସ-ଏନ୍ସିପି ସରକାର ଏବଂ ଦ୍ବିତୀୟଟି ବାହାରୁ କଂଗ୍ରେସ ଓ ଏନସିପି ସମର୍ଥନରେ ସରକାର କିମ୍ବା ଏନସିପି ସରକାରରେ ଯୋଗ ଦେଇ ବାହାରୁ କଂଗ୍ରେସର ସମର୍ଥନ ହାସଲ। ଏହି ୩ ଦଳର ଆସନ ସଂଖ୍ୟା ୧୫୪ ହେବ। କିନ୍ତୁ କଂଗ୍ରେସ ଏବଂ ଏନସିପି ସହଯୋଗରେ ସରକାର ଗଠନ କରିବା ଉଦ୍ଧବଙ୍କ ପାଇଁ ବେଶୀ ଜଟିଳ ହେବ ଏବଂ ସରକାର ଅଧିକ ଦିନ ତିଷ୍ଠିବ ନାହିଁ।

ଶିବସେନାର ବିଚାରଧାରା ଏବଂ ରାଜନୀତି କଂଗ୍ରେସ ଏବଂ ଏନସିପିଠାରୁ ସମ୍ପୂର୍ଣ୍ଣ ଭିନ୍ନ। ବିଭିନ୍ନ ପ୍ରସଙ୍ଗରେ ସେନାର ଆଭିମୁଖ୍ୟ ଏହି ଦୁଇ ଦଳଠାରୁ ସମ୍ପୂର୍ଣ୍ଣ ଅଲଗା। ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏବଂ ଏନସିପି ମୁଖ୍ୟ ଶରଦ ପାୱାର ପୂର୍ବରୁ କେବେ ବି ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କରେ ନଥିଲେ। ଉଦ୍ଧବ ପାୱାରଙ୍କୁ ଆଦୌ ବିଶ୍ବାସ କରନ୍ତି ନାହିଁ ବୋଲି ତାଙ୍କ ଘନିଷ୍ଠ ସହଯୋଗୀ କହିଛନ୍ତି। ଶିବସେନାର କିଛି ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ ଏନସିପିର ସମର୍ଥନ ନେଲେ ସରକାର ଯେ କୌଣସି ସମୟରେ ଭାଙ୍ଗିଯିବ। ଏହା ବ୍ୟତୀତ କଂଗ୍ରେସ ସରକାରରେ ସାମିଲ ନହେଲେ ସେନା-ଏନସିପିର ଆସନ ସଂଖ୍ୟା ୧୧୦ ରହିବ। ସେନାକୁ ଯେ କୌଣସି ନିଷ୍ପତ୍ତି ପାଇଁ କଂଗ୍ରେସର ଦୟାରେ ରହିବାକୁ ପଡ଼ିପାରେ। ଅନ୍ୟ କାରଣ ହେଉଛି ମୁଖ୍ୟମନ୍ତ୍ରୀ ପଦ। ଯଦି ସେନା ନେତୃତ୍ବରେ ସରକାର ଗଠନ ହୁଏ ତା’ହେଲେ ଆଦିତ୍ୟ ଠାକରେ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ-ଏନସିପି ଗ୍ରହଣ କରିବେ ନାହିଁ।