ଓଡ଼ିଶା ବଞ୍ଚାଅ ସମାବେଶରେ ବର୍ଷିଲେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ । କହିଲେ, ବିଜେଡି-ବିଜେପି ଭିତରେ ହେଇଛି ଲଭ୍ ମ୍ୟାରେଜ୍ । ଓଡ଼ିଶାରେ ଯାହାବି ହୋଇଛି କଂଗ୍ରେସ ସମୟରେ

103

କନକ ବ୍ୟୁୁରୋ: ୨୦୧୯ ପରେ, ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ରଣହୁଙ୍କାର ଦେଇଛି । ରାଜ୍ୟରେ ଦୁର୍ବଳ ହୋଇପଡୁଥିବା କଂଗ୍ରେସ, ଏଆଇସିସି ଅଧ୍ୟକ୍ଷ ମଲ୍ଳିକାର୍ଜ୍ଜୁନ ଖଡଗେଙ୍କ ଗସ୍ତବେଳେ ଶକ୍ତି ପ୍ରଦର୍ଶନ କରିଛି । ଖଡଗେ ଭୁବନେଶ୍ୱର ବିମାନବନନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରିବା ସହ ବିଶାଳ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ ଦଳୀୟ ନେତା ଓ କର୍ମୀ । ତାପରେ ଲୋୟର ପିଏମଜିରେ ଆୟୋଜିତ ଓଡିଶା ବଞ୍ଚାଅ ସମାବେଶରେ ସାମିଲ ହୋଇଥିିଲେ ।

  • କଂଗ୍ରେସର ଶକ୍ତି ପ୍ରଦର୍ଶନ
  • ଖଡଗେ ବଜାଇଲେ ନିର୍ବାଚନୀ ବିଗୁଲ
  • ଟାର୍ଗେଟରେ ବିଜେଡି-ବିଜେପି

ସଭାରେ ଉପସ୍ଥିତ ହଜାର ହଜାର କଂଗ୍ରେସ କର୍ମୀଙ୍କୁ ସମ୍ବୋଧନ କରିଥିଲେ ମଲ୍ଳିକାର୍ଜ୍ଜୁନ ଖଡଗେ । ସଭାମଞ୍ଚରୁ ଉଭୟ ବିଜେଡି ଓ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ । ତେବେ କଂଗ୍ରେସ ସରକାର ଅମଳର ସଫଳତା ଓ ବିଜେଡି -ବିଜେପି ସରକାରର ବିଫଳତାକୁ ଗଣାଇଛନ୍ତି ଖଡଗେ । ଏଥିସହ ବିଜେଡି ଓ ବିଜେପି ମଧ୍ୟରେ ଲଭ୍ ମ୍ୟାରେଜ୍ ହୋଇଛି କହି କଟାକ୍ଷ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ।

ଅନ୍ୟପଟେ ଅଧ୍ୟକ୍ଷଙ୍କ ଗସ୍ତକୁ ନେଇ ଦଳୀୟ ନେତା ଓ କର୍ମୀ ବେଶ ଉତ୍ସାହିତ ହୋଇପଡିଛନ୍ତି । ଲୋୟର ପିଏମଜିରେ ଆୟୋଜିତ ସମାବେଶର ହଜାର ହଜାର ସଂଖ୍ୟାରେ ଶକ୍ତି ଦେଖାଇଛନ୍ତି । କେବଳ ଏତିକି ନୁହେଁ ସବୁବେଳେ ଦଳୀୟ କନ୍ଦଳ ପାଇଁ ଅପଖ୍ୟାତି ଅର୍ଜନ କରୁଥିବା ରାଜ୍ୟ କଂଗ୍ରେସର ନେତାମାନେ ଏକାଠି ବସି ସଭାମଞ୍ଚରୁ ଏକତାର ବାର୍ତ୍ତା ଦେବାକୁ ଉଦ୍ୟମ କରିଛନ୍ତି । ଏହି ସଭାରେ ସାମିଲ ହୋଇ ସ୍ୱର୍ଗତ ନବ ଦାସଙ୍କ ହତ୍ୟା ପ୍ରସଙ୍ଗ, ମହିଳା ସୁରକ୍ଷା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ପ୍ରଭାରୀ ଅଜୟ କୁମାର । ଏଥିସହ ନିର୍ବାଚନୀ ବିଗୁଲ ବାଜି ସାରିଛି, ଆଗକୁ ବ୍ୟାଣ୍ଡ ବାଜିବ ବୋଲି କହିଛନ୍ତି ପିସିସି ପ୍ରଭାରୀ ।

ସମାବେଶ ପରେ ଦଳର ବରିଷ୍ଠ ନେତା ଓ ବିଧାୟକଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି ଖଡଗେ । ଛାମୁଆ ସଂଗଠନର ସଭାପତିମାନଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାବେଳେ ଖଡଗେଙ୍କ ଗସ୍ତ ଦଳୀୟ କର୍ମୀଙ୍କ ଭିତରେ ଜୋସ୍ ଭରିବ ବୋଲି କୁହାଯାଉଛି । ଏଥିସହ ଇଣ୍ଡିଆ ମେଣ୍ଟର ରାଜ୍ୟ ନେତୃତ୍ୱଙ୍କ ସହ ଭେଟି ଆଲୋଚନା କରିଛନ୍ତି ଖଡଗେ ।