୨୦୨୯ ପୂର୍ବରୁ ଲାଗୁ ହେବ ମହିଳା ସଂରକ୍ଷଣ ବିଲ୍ । କଂଗ୍ରେସ କହିଲା, ଚାହିଁଲେ ତୁରନ୍ତ ସଂଶୋଧନ ବିଲ୍ ଲାଗୁ କରିପାରିବେ କେନ୍ଦ୍ର ସରକାର

୨୦୨୯ ପୂର୍ବରୁ ଲାଗୁ ହେବ ମହିଳା ସଂରକ୍ଷଣ ବିଲ୍ । କଂଗ୍ରେସ କହିଲା, ଚାହିଁଲେ ତୁରନ୍ତ ସଂଶୋଧନ ବିଲ୍ ଲାଗୁ କରିପାରିବେ କେନ୍ଦ୍ର ସରକାର

କନକ ବ୍ୟୁରୋ : ନୂଆ ସଂସଦ ଭବନରେ ୫ ଦିନର ସ୍ୱତନ୍ତ୍ର ଅଧିବେଶନ କେବଳ ମହିଳା ସଂରକ୍ଷଣ ନାଁରେ ରହିଲା । ସଂସଦ ଇତିହାସରେ ପ୍ରଥମଥର ପାଇଁ ଲୋକସଭାରେ କୌଣସି ବିଲ୍ ୪୫୪ ବନାମ ୨ ବହୁମତରେ ପାରିତ ହୋଇଛି । ସଂସଦରେ ଉପସ୍ଥିତ ପ୍ରାୟ ସବୁ ଦଳର ନେତା ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିଥିଲେ । ଏଆଇଏମଆଇଏମର ଦୁଇଜଣ ସାଂସଦଙ୍କୁ ଛାଡ଼ିଦେଲେ ଅନ୍ୟ କେହି ବି ବିଲ୍କୁ ବିରୋଧ କରିନଥିଲେ । ବିଲ୍ ଏବେ ଆସିଥିଲେ ବି ୨୦୨୯ ପୂର୍ବରୁ ଲାଗୁ ହେବାର ସମ୍ଭାବନା ନାହିଁ । ଯାହାକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି,
- ବିଲରେ ସଂଶୋଧନ କରିବା ଆଦୌ କଷ୍ଟକର ନୁହେଁ
- ସରକାର ଏହାକୁ ଚାହିଁଲେ ତୁରନ୍ତ ସଂଶୋଧନ କରିପାରିବେ
- ପଂଚାୟତ ନିର୍ବାଚନରେ ମହିଳାଙ୍କ ସଂରକ୍ଷଣ କେବେ କରାଯିବ?
- ସେଠାରେ କାହିଁକି ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ହେଉ ନାହିଁ?

ସେପଟେ ଅଧା ଜନସଂଖ୍ୟାକୁ ଏକ ତୃତୀୟାଂଶ ସଂରକ୍ଷଣ ଦେବା ପାଇଁ ମୋଦି ସରକାର ନେଇଥିବା ଏହି ପଦକ୍ଷେପକୁ ବିଜେପି ମାଷ୍ଟର ଷ୍ଟ୍ରୋକ୍ ବୋଲି କହୁଥିବା ବେଳେ ଓବିସି ମହିଳାଙ୍କ ପାଇଁ ଅଲଗା ସଂରକ୍ଷଣ ବ୍ୟବସ୍ଥା ନ କରିବାକୁ ବିରୋଧ କରିଛନ୍ତି ବିରୋଧୀ । ମହିଳା ସଂରକ୍ଷଣ ବିଲ୍ ଉପରେ ଲୋକସଭାରେ ହୋଇଥିବା ଆଲୋଚନାକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମର୍ଥନ କରିବା ସହ ବିଲ୍ରେ ଜାତିଭିତିକ ଜନଗଣନା ପ୍ରସଙ୍ଗ ସହିତ ଓବିସି ସଂରକ୍ଷଣ ଦାବି ମଧ୍ୟ ଉଠାଇଥିଲେ । ସୋନିଆଙ୍କ ସହ ସ୍ୱର ମିଳାଇଥିଲେ ରାହୁଲ ଗାନ୍ଧୀ । କେବଳ ରାହୁଲ ଗାନ୍ଧୀ ନୁହଁନ୍ତି, ବିରୋଧୀ ମେଂଟର ଅନେକ ନେତା ମହିଳା ସଂରକ୍ଷଣ ବିଲ୍ ବାହାନାରେ ବିଜେପିକୁ ଓବିସି ବିରୋଧୀ କହି କାଠଗଡ଼ାକୁ ଟାଣିବାକୁ ପ୍ରୟାସ କରୁଛନ୍ତି ।

ସେପଟେ ବିରୋଧୀ ଓ କଂଗ୍ରେସକୁ କାଉଂଟର କରିବା ପାଇଁ ବିଜେପି ମଧ୍ୟ ଆରମ୍ଭ କରିଦେଇଛି ପ୍ରସ୍ତୁତି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ୨୦୦୪ରୁ ୨୦୧୪ ମଧ୍ୟରେ କେତେ ଜଣ ସଚିବ ଓବିସି ଥିଲେ? କଂଗ୍ରେସର ଯେତେ ଜଣ ସାଂସଦ ଅଛନ୍ତି, ତା’ ଠାରୁ ଅଧିକ ଓବିସି ସାଂସଦ ବିଜେପିର । ଦେଶକୁ ପ୍ରଥମ ଓବିସି ପ୍ରଧାନମନ୍ତ୍ରୀ ବିଜେପି ଦେଇଛି ବୋଲି ନଡ୍ଡା କହିଛନ୍ତି ।

ମହିଳା ସଂରକ୍ଷଣ ବିଲ୍କୁ ନେଇ ଜାରି ରହିଥିବା ରାଜନୀତି ଭିତରେ ବିଜେପିର ଆଗାମୀ ଯୋଜନା କ’ଣ ହେବ, ତା’ ଉପରେ ସମସ୍ତଙ୍କ ନଜର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe