ସକାଳୁ କଲେ ମହାଦେବଙ୍କ ଦର୍ଶନ । ବାଟରେ ଲୋକଙ୍କ ସହ କଲେ ଆଲୋଚନା । ନ୍ୟାୟ ଯାତ୍ରାରେ ରାହୁଲଙ୍କ ଭିନ୍ନ ଅନ୍ଦାଜ…

158

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାବେଳେ ଅନେକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି । କେତେବେଳେ ସାଇକେଲରେ କୋଇଲା ବୋହୁଥିବା ଶ୍ରମିକ ସହ ଆଲୋଚନା କରିଛନ୍ତି ତ, ଆଉ କେତେବେଳେ ବିଡି ଶ୍ରମିକଙ୍କ ସହ କରିଛନ୍ତି ଭାବ ବିନିମୟ । ରାହୁଲଙ୍କ ଓଡିଶା ଗସ୍ତରେ ମଧ୍ୟ ଏଭଳି ଅନେକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ।

  • ସକାଳୁ ସକାଳୁ ମହାଦେବଙ୍କ ଦର୍ଶନ
  • ରୁଦ୍ରାଭିଷେକ ପୂରଣ କରିବ ମନସ୍କାମନା!

ଭାରତ ଯୋଡେ ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧୀ ସକାଳେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ରାଉରକେଲାର ବେଦବ୍ୟାସ ଶୈବପୀଠକୁ ଯାଇ ପୂଜାର୍ଚ୍ଚନା କରିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ପ୍ରଥମେ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ ନଦୀର ସଙ୍ଗମ ସ୍ଥଳ ବୁଲି ଦେଖିଥିଲେ ରାହୁଲ ଗାନ୍ଧୀ । ଏହା ପରେ ରୁଦ୍ରାଭିଷେକ କରିଥିଲେ । ଶେଷରେ ବୈଦିକ ଗୁରୁକୂଳ ଆଶ୍ରମର ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ । ଗାନ୍ଧୀ ପରିବାରର ପ୍ରଥମ ବ୍ୟକ୍ତି ଭାବେ ରାହୁଲ ଗାନ୍ଧୀ ବେଦବ୍ୟାସ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।

  • ରାସ୍ତାରେ ଲୋକଙ୍କୁ ଭେଟିଲେ କଂଗ୍ରେସ ନେତା
  • କୁନି ଝିଅକୁ ଡାକି ଚକଲେଟ ଦେଲେ

ରାହୁଲ ଗାନ୍ଧୀ ପଦ ଯାତ୍ରା ବେଳେ କୁନିଝିଅଙ୍କୁ ଚକଲେଟ ଦେବାଭଳି ଦୃଶ୍ୟ ବି ସାମ୍ନାକୁ ଆସିଛି । ପାନପୋଷ ଗାନ୍ଧି ଛକରେ କୁନିଝିଅ ସାଦିଆ ନୁରକୁ ଚକଲେଟ ଦେଇଥିଲେ କଂଗ୍ରେସ ନେତା । ସାଦିଆଙ୍କ ବାପା ଅଟୋ ଚଳାଇ ପେଟ ପ୍ରତିପୋଷଣ କରିଥାନ୍ତି । ସେହିଭଳି ସୁନ୍ଦରଗଡ ହସପିଟାଲ ଛକରେ କୁନି ଛାତ୍ରୀ ସଂସ୍କୃତି ପଣ୍ଡା ନିଜ ପରିବାର ସହ ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ଯାଇଥିଲେ । ସଂସ୍କୃତି ରାହୁଲଙ୍କୁ ଗୋଲାପ ଫୁଲ ଦେଇଥିବାବେଳେ ରାହୁଲ ଉପହାର ଭାବେ ତାଙ୍କୁ ଚକଲେଟ୍ ଦେଇଥିଲେ । ସଂସ୍କୃତି ନିଜ ପରିବାର ସହ ପତ୍ରାପଡାରେ ରହନ୍ତି ।

ତେବେ ପଦଯାତ୍ରା ବେଳେ ଢୋଲ, ନିଶାନ ବାଜା ଓ ଆଦିବାସୀଙ୍କ ପାରମ୍ପାରିକ ନାଚରେ ଫାଟି ପଡିଥିଲା ପରିବେଶ । ରାସ୍ତାରେ ଗଲାବେଳେ ରାହୁଲ ଗାନ୍ଧି ଅଟକି ଚା ପିଇଥିଲେ । ବରିଷ୍ଠ ନେତା ଓ ଲୋକଙ୍କ ଗହଣ ଚା ପିଇ ସେ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏଥିସହ ରାହୁଲ ପ୍ରଥମରୁ କହିଥିଲେ ଓଡିଶା ଲୋକଙ୍କ କଥା ଶୁଣିବେ ଆଉ ସେହି କ୍ରମରେ ସେ ପଦଯାତ୍ରାବେଳେ ଲୋକଙ୍କୁ ଭେଟି ଆଲୋଚନା କରିଥିଲେ ।