ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାବଦରେ ବିବାଦୀୟ ବୟାନ ଦେଇ ଅଡୁଆରେ ରାହୁଲ ଗାନ୍ଧୀ । ଆଜି କୋର୍ଟରେ ହାଜର ହେବାକୁ ପହଂଚିଲେ ଗୁଜୁରାଟ

457

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ଅଡୁଆରେ ପଡିଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ । ଏନେଇ ଗୁଜୁରାଟର ମାଜିଷ୍ଟେଟ୍ କୋର୍ଟରେ ହାଜର ହେବାକୁ ନୋଟିସ୍ ମିଳିବା ପରେ ଆଜି ସୁରଟରେ ପହଂଚିଛନ୍ତି ରାହୁଲ । ମୋଦିଙ୍କ ବିରୋଧରେ ଦେଇଥିବା ଆପତ୍ତି ଜନକ ବୟାନ ପରେ ଏହାକୁ ନେଇ ବିଜେପିର ଜଣେ ବିଧାୟକ କୋର୍ଟରେ ଅବମାନନା ମାମଲା ଦାୟର କରିଥିଲେ । ଏହି ମାମଲାରେ ଆଜି ରାହୁଲ ଗାନ୍ଧୀଙ୍କ ଶେଷ ବୟାନ ରେକର୍ଡ କରାଯିବ । ଗୋଟିଏ ସପ୍ତାହ ପୂର୍ବରୁ ସୁରତର ମୁଖ୍ୟ ନାୟିକ ମାଜିଷ୍ଟେଟ୍ ଏ.ଏନ୍.ଦବେ ରାହୁଲ ଗାନ୍ଧୀଙ୍କୁ ନିର୍ଦ୍ଦେଶ ଦେଇଥିଲେ କି ସୁରତରେ ବିଜେପି ବିଧାୟକ ପୂର୍ଣ୍ଣେସ ମୋଦିଙ୍କ ଦ୍ୱାରା କରାଯାଇଥିବା ଅବମାନନା ମାମଲାର ଶେଷ ବୟାନ ଦେବାକୁ ୨୪ ତାରିଖରେ କୋର୍ଟରେ ହାଜର ହେବାକୁ ।

ବିଜେପି ବିଧାୟକ ପୂର୍ଣ୍ଣେସ ମୋଦି ୨୦୧୯ ଏପ୍ରିଲ ମାସରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଧାରା ୪୯୯ ଓ ୫୦୦ ଅଧିନରେ ଅଭିଯୋଗ ଦାଖଲ କରିଥିଲେ । ସେ ଅଭିଯୋଗ କରିଥିଲେ କି ୨୦୧୯ରେ ଏକ ନିର୍ବାଚନୀ ସଭାରେ ରାହୁଲ ଗାନ୍ଧୀ ମୋଦି ସମୁଦାୟଙ୍କୁ ଚୋର ବୋଲି କହି ଅପମାନିତ କରିଥିଲେ ।

କହିରଖୁ କି ୨୦୧୯ ମସିହା ଏପ୍ରିଲ ୧୩ ତାରିଖରେ କର୍ଣ୍ଣାଟକର ଏକ ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀ କହିଥିଲେ ‘ନୀରବ ମୋଦି, ଲଳିତ ମୋଦି,ନରେନ୍ଦ୍ର ମୋଦି ଏସବୁ ଲୋକଙ୍କ ସାଙ୍ଗିଆ ମୋଦି ଓ ସବୁ ଚୋରଙ୍କ ନାମ ଶେଷରେ ମୋଦି କାହିଁକି ରହିଛି ବୋଲି ସେ ଜନତାଙ୍କୁ ପ୍ରଶ୍ନ କରିଥିଲେ’ । ଯେତେବେଳେ ସେ ଏଭଳି ବିବାଦୀୟ ବୟାନ ଦେଲେ, ସେତେବେଳେ ସେ କଂଗ୍ରେସର ଅଧ୍ୟକ୍ଷ ଥିଲେ । ଏହି ମାମଲାକୁ ନେଇ ଗୁଜୁରାଟରେ ଚାଲିଥିବା କେସରେ ସେ ଏହା ପୂର୍ବରୁ ଅକ୍ଟୋବର ୨୦୧୯ ରେ କୋର୍ଟରେ ହାଜର ହୋଇ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ ।