ମହାରାଷ୍ଟ୍ର ରାଜନୀତିର ରୋଚକ ମୋଡ । ସୋନିଆଙ୍କ ନିକଟରେ କଂଗ୍ରେସ ନେତାଙ୍କ ଦାବି: ଶିବସେନା ସହ ମିଶି ସରକାର ଗଢୁ କଂଗ୍ରେସ ।

514

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତି ପ୍ରତି ମୁହୂର୍ତ୍ତରେ ବଦଳାଉଛି କଡ । ଏଠି ଘଡିକେ ଘୋଡା ଛୁଟୁଛି । ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବାର ୮ ଦିନ ବିତିଯାଇଥିଲେ ମଧ୍ୟ ସରକାର ଗଠନର ହେବାର କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ । ଆଉ ଏହାରି ଭିତରେ କଂଗ୍ରେସ ତାର ରଣନୀତି ବଦଳାଇଥିବାର ସୂଚନା ମିଳୁଛି ।

ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ । ଶିବସେନା ସହ ସରକାର ଗଢିବ କି କଂଗ୍ରେସ ? ଏବେ ଏମିତି କିଛି ପ୍ରଶ୍ନ ଉଠିବା ସ୍ୱାଭାବିକ । କାରଣ ମହାରାଷ୍ଟ୍ର କଂଗ୍ରେସର ଅନେକ ନେତା, ଶିବସେନା ସହ ମିଶି ସରକାର ଗଢିବା ପାଇଁ ସୋନିଆ ଗାନ୍ଧିଙ୍କ ନିକଟରେ ଦାବି ଜଣାଇଥିବା ଚର୍ଚ୍ଚା ହେଉଛି ।

ତେବେ ପୂର୍ବରୁ ବିରୋଧୀ ଆସନରେ ବସିବ ବୋଲି ଘୋଷଣା କରିଥିଲା କଂଗ୍ରେସ । ଗତକାଲି ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ସମାନ ଢଙ୍ଗରେ ବୟାନ୍ ଦେଇଥିଲେ । ଲୋକେ ଆମକୁ ବିରୋଧୀ ଆସନରେ ବସିବା ପାଇଁ ଭୋଟ୍ ଦେଇଥିବା କହିଥିଲେ । ହେଲେ ସେପଟେ ବିଜେପି ଓ ଶିବସେନା ମେଂଟକୁ ସଂଖ୍ୟା ଗରିଷ୍ଠତା ମିଳିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ଦଳ ମଧ୍ୟରେ ଲାଗି ରହିଛି ଟଣାଓଟରା ।

୫୦-୫୦ ଫର୍ମୁଲା ନେଇ ଶିବସେନା ଦାବି କରୁଥିବା ବେଳେ ବିଜେପି ଏହାକୁ ଗ୍ରହଣ କରୁନାହିଁ । ଫଳରେ ଏତେ ଦିନ ପରେ ବି ମହାରାଷ୍ଟ୍ରରେ ସରକାର ଗଠନ ସମ୍ଭବ ହେଉନାହିଁ । ଏପରିକି ୭ ତାରିଖ ସୁଦ୍ଧା ସରକାର ଗଠନ ନହେଲେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବ ବୋଲି ବିଜେପି ନେତା କହୁଛନ୍ତି । କାରଣ ୮ ତାରିଖରେ ସରୁଛି ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ । ଏଭଳି ସ୍ଥିତିରେ ଆଗାମୀ ୪ ତାରିଖରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟୁଛନ୍ତି କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧି । ଆଉ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଏହି ବୈଠକ ହିଁ ବଡ ଖବର ଆଣିପାରେ ବୋଲି କୁହାଯାଉଛି ।