୪୭୯୬ ଜଣ ପୂର୍ବ ସାଂସଦଙ୍କ ବାର୍ଷିକ ପେନସନ୍ ୭୮ କୋଟିରୁ ଅଧିକ, ପେନସନ୍ ବନ୍ଦ କରିବାକୁ ଅର୍ଥମନ୍ତ୍ରୀଙ୍କ ନିକଟକୁ ଚିଠି

2,479

କନକ ବ୍ୟୁରୋ : ମହାରାଷ୍ଟ୍ର କଂଗ୍ରେସ ସାଂସଦ ସୁରେଶ ଧନୋରକର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ ସେ ପୂର୍ବତନ ସାଂସଦମାନଙ୍କ ପେନସନ୍ ବନ୍ଦ କରିବାକୁ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି କି ଯେଉଁ ପୂର୍ବତନ ସାଂସଦମାନଙ୍କର ଆର୍ଥିକ ସ୍ୱଚ୍ଛଳତା ରହିଛି ସେମାନଙ୍କର ପେନସନ ବନ୍ଦ କରାଯାଉ ।

ଅର୍ଥମନ୍ତ୍ରୀଙ୍କୁ କଂଗ୍ରେସ ସାଂସଦ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି କି, ଏବେ ଲୋକସଭା ଓ ରାଜ୍ୟସଭାରର ୪୭୯୬ ଜଣ ପୂର୍ବତନ ସାଂସଦ ପେନସନ୍ ନେଉଛନ୍ତି । ଏହି ପେନସନ ବାବଦରେ ବାର୍ଷିକ ୭୮ କୋଟିର ଅଧିକ ଟଙ୍କା ରାଜକୋଷରୁ ଖର୍ଚ୍ଚ ହେଉଛି । ଏହା ବ୍ୟତୀତ ମୃତ୍ୟୁ ହୋଇସାରିଥିବା ୩୦୦ ଜଣ ପୂର୍ବତନ ସାଂସଦଙ୍କ ପରିବାର ମଧ୍ୟ ପେନସନ୍ ନେଉଛନ୍ତି ।

ଧନୋରକର ତାଙ୍କ ଚିଠିରେ ଏଭଳି କିଛି ପୂର୍ବତନ ସାଂସଦଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି ଯେଉଁମାନେ ଆର୍ଥିକ ଭାବେ ସ୍ୱଚ୍ଛଳ ଥାଇ ବି ପେନସନ୍ ନେଉଛନ୍ତି । ସେମାନଙ୍କ ମଧ୍ୟରେ ରାହୁଲ ବଜାଜ, ସଞ୍ଜୟ ଡାଲମିଆ, ମାୟାବତୀ, ସୀତାରାମ ୟେଚୁରୀ, ମଣିଶଂକର ଆୟର, ବଲିଉଡ ଅଭିନେତ୍ରୀ ରେଖା ଓ ଦକ୍ଷିଣ ସିନେମାର ସୁପରଷ୍ଟାର ଚିରଞ୍ଜୀବ ସାମିଲ ଅଛନ୍ତି । ଏହିଭଳି ଆର୍ଥିକ ସ୍ୱଚ୍ଛଳ ଥିବା ପୂର୍ବତନ ସାଂସଦମାନଙ୍କ ପେନସନ୍ ବନ୍ଦ କରିବାକୁ ଧନୋରକର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

ଧନୋରକର କହିଛନ୍ତି କି ଯେଉଁ ପୂର୍ବତନ ସାଂସଦମାନେ ଆୟକରର ୩୦ ପ୍ରତିଶତ ସ୍ଲାବରେ ଆସୁଛନ୍ତି ସେମାନଙ୍କୁ ପେନସନ୍ ଲାଭ ମିଳିବା ଉଚିତ ନୁହେଁ । ସେ ଆହୁରି ଲେଖିଛନ୍ତି କି, କେହି ବି ଦେଶଭକ୍ତ ସାଂସଦ ତାଙ୍କର ଏହି ଚିଠି ଉପରେ ଅଭିଯୋଗ ଆଣିବେ ନାହିଁ ।

ସୂଚନା ଥାଉକି ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ପାଇଁ ଦରମା ଓ ପେନସନ୍ ନିୟମ ୧୯୫୪ ମସିହାରେ ଲାଗୁ ହୋଇଥିଲା । ଏହି ନିୟମ ସମୟ ସମୟରେ ମଧ୍ୟ ପରିବର୍ତ୍ତନ ହୋଇଛି । ଲୋକସଭାର ଜଣେ ସାଂସଦଙ୍କ ୫ବର୍ଷ କାର୍ଯ୍ୟକାଳ ସମାପ୍ତ ହେବାପରେ ସେମାନଙ୍କୁ ମାସିକ ୨୫ ହଜାର ଟଙ୍କା ଲେଖାଏଁ ପେନସନ୍ ମିଳିଥାଏ । ରାଜ୍ୟସଭାର ଜଣେ ସାଂସଦ ସେମାନଙ୍କ ୬ବର୍ଷିଆ କାର୍ଯ୍ୟକାଳ ସମାପ୍ତ କରିବା ପରେ ସେମାନଙ୍କୁ ମାସିକ ୨୭ ହଜାର ଟଙ୍କା ପେନସନ୍ ମିଳିଥାଏ । ହେଲେ ଜଣେ ରାଜ୍ୟସଭାର ସାଂସଦ ଯଦି ୨ଟି ଟର୍ମ ଅର୍ଥାତ ୧୨ ବର୍ଷ ସାଂସଦ ଭାବେ ରହୁଛନ୍ତି ତେବେ ତାଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ତାଙ୍କୁ ୩୯ ହଜାର ଟଙ୍କା ମାସିକ ପେନସନ୍ ମିଳିଥାଏ ।