ମେଘାଳୟରେ ସରକାର ଗଠନ ପାଇଁ ଉଦ୍ୟମ ଜୋରଦାର ! ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଲା କଂଗ୍ରେସ ପ୍ରତିନିଧି ଦଳ

31

କନକ ବ୍ୟୁରୋ: ମେଘାଳୟ ନିର୍ବାଚନରେ କୌଣସି ଦଳକୁ ସରକାର ଗଠନ ପାଇଁ ବହୁମତ ନ ମିଳିବା ପରେ କଂଗ୍ରେସ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଛି । ଦଳର ବରିଷ୍ଠ ନେତାମାନେ ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି । ରାଜ୍ୟପାଳଙ୍କୁ ଦିଆଯାଇଥିବା ଚିଠିରେ କୁହାଯାଇଛି ରାଜ୍ୟରେ ୨୧ଟି ଆସନ ଜିତି ଦଳ ରାଜ୍ୟରେ ବଡ ଦଳ ଭାବେ ଉଭା ହୋଇଛି । ତେଣୁ କଂଗ୍ରେସକୁ ପ୍ରଥମେ ସୁଯୋଗ ଦିଆଯିବା ଦରକାର ।

ଦଳର ବରିଷ୍ଠ ନେତା କମଲନାଥ, ଅହମ୍ମଦ ପଟେଲ ଓ ମୁକୁଲ ୱାସନିକ ଏବେ ମେଘାଳୟରେ ଅଛନ୍ତି । ସମର୍ଥନ ପାଇଁ ମେଘାଳୟରେ କଂଗ୍ରେସର ଉଦ୍ୟମ ଜୋରଦାର ହୋଇଛି । ଦଳ ବିଭିନ୍ନ ଆଂଚଳିକ ଦଳର ସମ୍ପର୍କରେ ଅଛି । ମେଘାଳୟର ୬୦ଟି ଆସନ ମଧ୍ୟରୁ କଂଗ୍ରେସକୁ ୨୧ଟି ଆସନ ମିଳିଛି । ନ୍ୟାସନାଲିଷ୍ଟ ପିପୁଲସ ପାର୍ଟି, ଏନପିପିକୁ ୧୯ଟି ଆସନ ମିଳିଛି । ଅନ୍ୟାନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ୧୭ଟି ଆସନରେ ବିଜୟ ଲାଭ କରିଛନ୍ତି ।

ମେଘାଳୟରେ ସରକାର ଗଠନ ପାଇଁ କଂଗ୍ରେସ ଜୋରସୋର ଉଦ୍ୟମ ଆରମ୍ଭ କରିଛି । କମଳନାଥଙ୍କ ସମେତ ବରିଷ୍ଠ ନେତା ମେଘାଳୟରେ ଅଛନ୍ତି । ତେବେ ବିଜେପି ମଧ୍ୟ ରାଜ୍ୟରେ ଅଣ-କଂଗ୍ରେସ ସରକାର ଗଠନ ପାଇଁ କଥାବାର୍ତା ଚଳାଇଛି । ଗୋଆ ଓ ମଣିପୁରରେ ବଡ ଦଳ ହେବା ସତ୍ୱେ ସରକାର ଗଠନ କରିପାରିନଥିଲା କଂଗ୍ରେସ । ଏହିଦୃଷ୍ଟିରୁ ମେଘାଳୟରେ ମଧ୍ୟ ଉତ୍ସାହିତ ଅଛି ବିଜେପି । ରାଜ୍ୟରେ ବିଜେପିକୁ ୨ଟି ଆସନ ମିଳିଛି । କିନ୍ତୁ କୁହାଯାଉଛି, ଏନପିପି ସହ ମିଶି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିପାରେ ବିଜେପି । ଏ ନେଇ କଥାବାର୍ତ୍ତା ବି ଆରମ୍ଭ ହୋଇଯାଇଛି ।

କଂଗ୍ରେସକୁ ୨୧ଟି ଆସନ ମିଳିଥିବାବେଳେ ଏନପିପିକୁ ମିଳିଛି ୧୯ ଆସନ ମିଳିଛି । ଅନ୍ୟାନ୍ୟ ଦଳକୁ ୧୭ ଆସନ ମିଳିଛି । ତେବେ ବଡ ପ୍ରଶ୍ନ ହେଲା-ଛୋଟ ଛୋଟ ଦଳ କଂଗ୍ରେସକୁ ସମର୍ଥନ କରିବେ ନା ବିଜେପିକୁ । ଅନୁମାନ କରାଯାଉଛି, ଛୋଟ ଛୋଟ ଦଳଗୁଡିକ କଂଗ୍ରେସକୁ ସମର୍ଥନ କରିନପାରନ୍ତି । କାରଣ ଏମାନେ କଂଗ୍ରେସକୁ କ୍ଷମତାଚ୍ୟୁତ କରିବା ପାଇଁ ନିର୍ବାଚନ ଲଢିଥିଲେ । ରାଜ୍ୟରେ ସ୍ଥାନୀୟ ଦଳ ଗୁଡିକୁ ୧୨ଟି ଆସନ ମିଳିଛି । ଏଭଳି ସ୍ଥିତିରେ ଛୋଟ ଦଳଗୁଡିକ ବିଜେପି କିମ୍ବା ଏନପିପିକୁ ସମର୍ଥନ କରିପାରନ୍ତି ।