ମୁଖ୍ୟମନ୍ତ୍ରୀ ହେବାକୁ ମନାକଲେ ଅମ୍ବିକା ସୋନୀ, ବିଧାୟକ ଦଳ ବୈଠକ ରଦ୍ଦ। କିଏ ହେବ ପଞ୍ଜାବ ମୁଖ୍ୟମନ୍ତ୍ରୀ ?

202

କନକ ବ୍ୟୁରୋ : କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ପରେ କିଏ ହେବ ରାଜ୍ୟର ମୁଖ୍ୟମନ୍ତ୍ରୀ । କିଏ ଧରିବ ପଞ୍ଜାବ କଂଗ୍ରେସର ମଙ୍ଗ ଏନେଇ ଏବେ ବି ସସ୍ପେନ୍ସ ଲାଗି ରହିଛି । କ୍ୟାପଟେନଙ୍କ ପରେ ଅମ୍ବିକା ସୋନୀ ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଧିବା ବେଳେ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଅମ୍ବିକା ସୋନୀ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବାକୁ ମନା କରିଦେଇଛନ୍ତି । ସେପଟେ ଅମ୍ବିକା ସୋନୀ ମୁଖ୍ୟମନ୍ତ୍ରୀ ହେବାକୁ ମନା କରିବାପରେ ଆଜି ରାଜ୍ୟ କଂଗ୍ରେସର ଅନୁଷ୍ଠିତ ହେବାକୁ ଥିବା ବିଧାୟକ ଦଳ ବୈଠକ ବି ରଦ୍ଦ କରାଯାଇଛି । ସେପଟେ ଏବେ ବି ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ୍ ରାୱତ, ଅଜୟ ମାକେନ ଓ ସିଦ୍ଧୁ ହୋଟେଲ ରୁମରେ ରୁଦ୍ଦଦ୍ୱାର ବୈଠକ ଚଳାଇଛନ୍ତି ।

ଏହାରି ମଧ୍ୟରେ ସୋନୀଙ୍କ ପରେ ଆହୁରି ୪ ଜଣ କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀ ଦୌଡରେ ଅଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ତଥା କ୍ୟାପଟେନଙ୍କ ନିକଟତର କୁହାଯାଉଥିବା ସୁନିଲ ଝାକଡ, ନବଜୋତସିଂ ସିଦ୍ଧୁ, ପ୍ରତାବ ବାଜୱା,ଓ ସୁଖଜିନ୍ଦରସିଂ ରାନ୍ଧୱା ।

କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଯଦି ଦଳର ହାଇକମାଣ୍ଡ ସୁନିଲ ଝାକଡେଙ୍କ ନାମରେ ମୋହର ଲଗାନ୍ତି ତ ଅମରିନ୍ଦରସିଂଙ୍କୁ ମନାଇବା ସହଜ ହେବ । ଅନ୍ୟପଟେ ଯଦି ସୁଦ୍ଧୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ତାଙ୍କସହ ହିନ୍ଦୁ ଓ ଦଳିତ ସମୁଦାୟର ୨ ଜଣ ବିଧାୟକଙ୍କୁ ଉପ ମୁଖ୍ୟମନ୍ତ୍ରୀ କିମ୍ବା ଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଜଣଙ୍କୁ ରାଜ୍ୟ କଂଗ୍ରେସ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯିବ ।