ବିଧାନସଭାରେ ଅସୁସ୍ଥ ହୋଇପଡିଲେ ତାରା, ବାଚସ୍ପତି ଡକାଇଲେ ଡାକ୍ତର । 

469

କନକ ବ୍ୟୁରୋ :  ବିଧାନସଭାର ମୌସୁମୀ ଅଧିବେଶନ ଚାଲୁଥିବା ବେଳେ ଅସୁସ୍ଥ ହୋଇପଡିଛନ୍ତି ତାରା । ବାଚସ୍ପତିଙ୍କ ପୋଡିୟମ ତଳେ ଥିବା ଚେୟାର ଉପରେ ଚଢି ପ୍ରତିବାଦ କରୁଥିଲେ ତାରା । ଆଉ ଏହି ସମୟରେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ ତାରା । ତେବେ ସଙ୍ଗେ ସଙ୍ଗେ ସହଯୋଗୀ ବିଧାୟକ ତାରାଙ୍କୁ ପାଣି ପିଇବାକୁ ଦେଇ ଚେୟାରରେ ବସାଇଥିଲେ । ତେବେ ତାରା ଅସୁସ୍ଥ ହେବା କ୍ଷଣି ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ଯାଞ୍ଚ ପାଇଁ ବିଧାନସଭାର ଲବିକୁ ଡାକ୍ତର ଆସିଥିଲେ । ବିଧାନସଭା ଲବି ଭିତରେ ଡାକ୍ତର ତାରାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି ।

ଏହାପୂର୍ବରୁ ଗୃହ ଆରମ୍ଭର ପ୍ରଥମ ଦିନରୁ ତାରାଙ୍କୁ ପୋଡିୟମ ଉପରକୁ ନ ଚଢିବାକୁ ପରାମର୍ଶ ଦେଇଥିଲେ ବାଚସ୍ପତି ସୂଯ୍ୟନାରାୟଣ ପାତ୍ର । ଦେହ ଭଲ ନଥିବାରୁ ପୋଡିୟମ ପାଖକୁ ନ ଆସି ଚେୟାରରେ ବସି ପ୍ରତିବାଦ କରିବାକୁ ତାରାଙ୍କୁ କହିଥିଲେ ସୂର୍ଯ୍ୟ । ଗତ କିଛିଦିନ ହେବ କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ଏପରିକି କରୋନା ସମୟରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ହାଇଦ୍ରାବାଦରେ ରହି ଚିକିତ୍ସିତ ହେଉଥିଲେ ତାରା । ସୁସ୍ଥ ହେବା ପରେ ଏବେ ମୌସୁମୀ ଅଧିବେଶନକୁ ଆସୁଛନ୍ତି ତାରା । ଅନ୍ୟପଟେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମଧ୍ୟ କରୋନାରୁ  ସୁସ୍ଥ ହୋଇଥିଲେ ମଧ୍ୟ ଏଯାଏଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିନାହାନ୍ତି । ତେଣୁ ଭୁବନେଶ୍ୱର ଏମ୍ସରେ ରହି ଚିକିତ୍ସିତ ହେଉଛନ୍ତି ପ୍ରଦୀପ୍ତ ।