ସରକାରଙ୍କ କାର୍ଯ୍ୟକ୍ରମକୁ ବିରୋଧୀ ବିଧାୟକଙ୍କ ପ୍ରଂଶସା । ତାରା କହିଲେ, ୫-ଟି ଲାଗୁ ହେବା ପରେ ବଦଳିଛି କୋରାପୁଟର ସ୍ୱାସ୍ଥ୍ୟସେବା ।

362

କନକ ବ୍ୟୁରୋ : ସରକାରଙ୍କ କାର୍ଯ୍ୟକ୍ରମଙ୍କୁ ବିରୋଧୀ ବିଧାୟକଙ୍କ ପ୍ରଂଶସା । ବିଧାନସଭାରେ ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମକୁ ପ୍ରଂଶସା କରିଛନ୍ତି ଜୟପୁରର କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ୫ଟି ଲାଗୁ ହେବା ପରେ କେମିତି କୋରାପୁଟର ସ୍ୱାସ୍ଥ୍ୟସେବା ବଦଳିଛି ସେନେଇ ଗୃହରେ ବଖାଣିଛନ୍ତି ତାରା ବାହିନୀପତି ।

୫ଟି ସଚିବଙ୍କ କୋରାପୁଟ ଗସ୍ତ ପରେ ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ହସ୍ପିଟାଲର ଚିତ୍ର ବଦଳିଛି, ଗରିବ ଆଦିବାସୀ ଲୋକଙ୍କୁ ସୁବିଧାରେ ଚିକିତ୍ସା ମିଳୁଛି । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ତାରା । ଏହାଛଡା ମେଡିକାଲ କଲେଜ ଭାବେ କୋରାପୁଟକୁ ବଡ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ଅନେକ ଗରିବ ଓ ଆଦିବାସୀ ଲୋକ ମଧ୍ୟ ଉପକୃତ ହେଉଛନ୍ତି । କେବଳ କୋରାପୁଟ କାହିଁକି ଏହାର ପାଖରେ ଥିବା ଅନ୍ୟ ୪ଟି ଜିଲ୍ଲାର ଲୋକଙ୍କର ମଧ୍ୟ ଭରସା ପାଲଟିଛି କୋରାପୁଟ । ଯେଉଁମାନେ ଅର୍ଥାଭାବରୁ ବିଶାଖାପାଟଣା ଯାଇପାରୁନଥିଲେ ସେମାନେ ଏହି ମେଡିକାଲ କଲେଜରେ ସମାନ ସୁବିଧା ପାଇ ପାରୁଛନ୍ତି ।

ତେବେ ୫-ଟି ସଚିବ ପୁଣିଥରେ କୋରାପୁଟ ଗସ୍ତରେ ଯାଇ ମେଡିକାଲ କଲେଜ ଓ ହସ୍ପିଟାଲ ଗୁଡିକ ବୁଲିଲେ ପୂରା ସ୍ୱାସ୍ଥ୍ୟସେବା ଚିତ୍ର ବଦଳିଯିବ ବୋଲି କହିଛନ୍ତି ତାରା । ଏହାଛଡା ଏହି ମେଡିକାଲ କଲେଜରେ ଫାଙ୍କା ପଡିଥିବା ଡାକ୍ତର ପଦବୀକୁ କେବେ ସୁଦ୍ଧା ପୂରଣ କରାଯିବ ସେନେଇ ଗୃହରେ ପ୍ରଶ୍ନ କରିଥିଲେ ତାରା । ତେବେ ତାରାଙ୍କ ଏଭଳି ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, କୋରାପୁଟ ଉପରେ ନବୀନଙ୍କ ସ୍ୱତନ୍ତ୍ର ଫୋକସ ରହିଛି । ଯାହା କିଛି ବି ଡାକ୍ତରୀ ପଦବୀ ଫାଙ୍କା ଅଛି ସେଗୁଡିକୁ ଖୁବଶୀଘ୍ର ପୂରା କରାଯିବ । ଏପରିକି ୫-ଟି ସଚିବଙ୍କୁ ପୁଣିଥରେ କୋରାପୁଟ ଗସ୍ତରେ ଯିବାକୁ ଅନୁରୋଧ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।