ବିଧାନସଭାରେ ବିରଳ ଘଟଣା । ନିଜ ନିଷ୍ପତି ପାଇଁ ଭୁଲ ମାନିଲେ ବାଚସ୍ପତି । ସୂର୍ଯ୍ୟଙ୍କୁ ତାରା ଦେଲେ ଫ୍ଲାଇଂ କିସ୍, ପ୍ରଂଶସା କଲେ ବିରୋଧୀ ଦଳ ନେତା । ଜାଣନ୍ତୁ କଣ ଥିଲା ପୂରା ଘଟଣା ।

638

କନକ ବ୍ୟୁରୋ : ଆଜି ଦିନ ତମାମ ଚର୍ଚ୍ଚାରେ ରହିଥିଲେ ବାଚସ୍ପତି । ଫ୍ଲାଇଂ କିସ ମାରି ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସେପଟେ ବିଧାନସଭା ଗୃହରେ ବାଚସ୍ପତି ସଦସ୍ୟଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ଦେଉନଥିବା ଅଭିଯୋଗ କରି ଗୃହ ପରିତ୍ୟାଗ କରିଥିଲେ ବିଧାୟକ ସୁର ରାଉତରାୟ । ତେବେ ଗତକାଲି ବିରୋଧି ଦଳ ନେତାଙ୍କୁ କହିବାର ସୁଯୋଗ ନଦେବା ପ୍ରସଙ୍ଗରେ ନିଜ ଭୁଲକୁ ବାଚସ୍ପତି ସ୍ୱୀକାର କରିଥିବା ବେଳେ ବାଚସ୍ପତିଙ୍କୁ ପ୍ରଶଂସା କରିଥିଲେ ବିରୋଧୀ ଦଳ ନେତା ।

ସୂର୍ଯ୍ୟଙ୍କୁ ତାରାଙ୍କ ଫ୍ଲାଇଂ କିସ୍ । କିଛି ଏହି ଭଳି ଢ଼ଙ୍ଗରେ ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ବାଚସ୍ପତିଙ୍କୁ ନିଜ ଅଂଚଳର ଲୋକ କହିବା ସହ ଗୃହରେ ତାଙ୍କୁ କହିବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଦେଇଥିଲେ କଂଗ୍ରେସ ବିଧାୟକ । ଯାହା ଗୃହରେ ଏକ ହାସ୍ୟରୋଳର ପରିବେଶ ସୃଷ୍ଟି କରିଥିଲା । କୋରାପୁଟ ଜିଲ୍ଲାର ପାଇପ୍ ଜଳ ଯୋଗଣ ସଂପର୍କରେ ଗୃହରେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଜୟପୁର ବିଧାୟକ । ମନ୍ତ୍ରୀଙ୍କ ଉତର ବି ଶୁଣିଥିଲେ । ହେଲେ ପ୍ରଶ୍ନ କରିସାରିବା ଠିକ୍ ପରେ ପରେ ଧନ୍ୟବାଦ ଦେବା ସହ ବାଚସ୍ପତିଙ୍କ ଆଡକୁ ଚାହିଁ କରିଥିଲେ ଫ୍ଲାଇଂ କିସ୍ ।

ଗୃହରେ ବାଚସ୍ପତି ସଦସ୍ୟଙ୍କୁ କହିବାର ଠିକ୍ ସୁଯୋଗ ଦେଉଥିବା କହି ତାରା ପ୍ରସାଦ ବାହିନୀପତି ପ୍ରଶଂସା କରିଥିବା ବେଳେ ଠିକ୍ ଓଲଟା ଅଭିଯୋଗ କରିଥିଲେ ଜଟଣୀର କଂଗ୍ରେସ ବିଧାୟକ ସୁର ରାଉତରାୟ । ବିଧାନସଭା ଗୃହରେ ବାଚସ୍ପତି ସଦସ୍ୟଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ଦେଉନଥିବା ଅଭିଯୋଗ କରି ଗୃହ ପରିତ୍ୟାଗ କରିଥିଲେ ବିଧାୟକ ସୁର ରାଉତରାୟ ।

ଆଉ ଏସବୁ ଭିତରେ ଓଡ଼ିଶା ବିଧାନସଭାରେ ଘଟିଥିଲା ଏକ ବିରଳ ଘଟଣା । ନିଜ ଭୁଲକୁ ବାଚସ୍ପତି ସ୍ୱୀକାର କରିଥିବା ବେଳେ ବାଚସ୍ପତିଙ୍କୁ ପ୍ରଶଂସା କରିଥିଲେ ବିରୋଧୀ ଦଳ ନେତା । ଗତକାଲି ବିରୋଧୀ ଦଳ ନେତାଙ୍କୁ ପଏଂଟ ଅପ ଅର୍ଡର ବଳରେ କହିବାର ସୁଯୋଗ ଦେଇଥିଲେ ବାଚସ୍ପତି । ତେବେ ବିରୋଧୀ ଦଳ ନେତା ଉଠାଇଥିଲେ ସ୍ମିତାରାଣୀ ପ୍ରସଙ୍ଗ । ଠିକ୍ ଏତିକି ବେଳେ ବାଚସ୍ପତି ହସ୍ତକ୍ଷେପ କରି କହିଥିଲେ ଏହି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆସିଥିଲା । ହେଲେ ବିଜେପି ବିଧାୟକମାନେ ଆଲୋଚନାରେ ରହିଲେନି । ଏପରି କହି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହୁଥିବା ବେଳେ ଗୃହକୁ ବାଚସ୍ପତି ମୁଲତବୀ କରିଦେଇଥିଲେ । ଏହି ଘଟଣାକୁ ନେଇ ବିଜେପି ଆକ୍ରମଣାତ୍ମକ ଅଭିମୁଖ୍ୟ ଗ୍ରହଣ କରିବା ପରେ ଆଜି ନିଜ ଭୁଲ ସ୍ୱୀକାର କରିଥିଲେ ବାଚସ୍ପତି । ଆଉ ବାଚସ୍ପତିଙ୍କ ଏଭଳି ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।