ସୁର କହିଲେ, ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି କଂଗ୍ରେସର ନବଗ୍ରହ । ପରାଜୟର କାରଣ ଉପରେ ସମୀକ୍ଷା କରିବ ଦଳ ।

443

କନକ ବ୍ୟୁରୋ: ୧୯ ଯୁଦ୍ଧରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଶିବିରରେ ଚାଲିଛି ମାନସ ମନ୍ଥନ । କାହିଁକି ଚଳିତ ନିର୍ବାଚନରେ ଦଳ ଦ୍ୱିତୀୟ ସ୍ଥାନରୁ ତୃତୀୟ ସ୍ଥାନକୁ ଖସିଲା ସେନେଇ କଂଗ୍ରେସ ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ମୁହଁ ଖୋଲିଛନ୍ତି । କହିଛନ୍ତି କି, କଂଗ୍ରେସକୁ ଏଥର କଂଗ୍ରେସ ଦଳର ନେତାମାନେ ହିଁ ହରାଇଛନ୍ତି । କାରଣ ଯେଉଁମାନେ ବର୍ଷ ବର୍ଷ ଧରି କଂଗ୍ରେସ ସହିତ ଜଡ଼ିତଥିଲେ ଏବଂ ଟିକେଟ୍ ପାଇଁ ପିସିସି ସଭାପତିଙ୍କ ପଛରେ ଧାଉଁଥିଲେ ସେମାନଙ୍କୁ ଟିକେଟ୍ ଦିଆଗଲା । କିନ୍ତୁ ଅନ୍ତିମ ମୁହୂର୍ତ୍ତରେ ପ୍ରାର୍ଥୀମାନେ ଟିକେଟ୍ ଫେରାଇ ଦେବାରୁ ଦଳ ସମସ୍ୟାରେ ପଡ଼ିଥିଲା । ଏପରିକି ଏହାଯୋଗୁଁ ଜନତାଙ୍କ ମାନସିକତା ଉପରେ କଂଗ୍ରେସର ଦୁର୍ବଳ ହୋଇଥିବା ସାମ୍ନାକୁ ଆସିଥିଲା । ତାହାହିଁ ପରାଜୟର କାରଣ ବୋଲି କହିଛନ୍ତି ସୁର ରାଉତରାୟ ।

ଅନ୍ୟପଟେ ଚଳିତ ନିର୍ବାଚନରେ ବିଜୟୀ ହୋଇଥିବା କଂଗ୍ରେସର ୯ ଜଣ ବିଧାୟକଙ୍କୁ ସୁର ଭିନ୍ନ ଢ଼ଙ୍ଗରେ ଉପସ୍ଥାପନ କରିଛନ୍ତି । ଆଉ କହିଛନ୍ତି କଂଗ୍ରେସର ଏହି ୯ ଜଣ ବିଧାୟକ ନବଗ୍ରହ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଯାହାର ନେତୃତ୍ୱ କଂଗ୍ରେସ ପୁରୁଖା ନରସିଂହ ମିଶ୍ରଙ୍କ ହାତରେ ରହିଛି । ଏହି ନବଗ୍ରହ ସରକାରଙ୍କ ଦୁର୍ବଳତା, ଅବହେଳା ପ୍ରତି ଦାବି ଉପସ୍ଥାପନ କରିବ ଆଉ ଲୋକଲୋଚନକୁ ଆଣିବ । ସରକାର ଯେଉଁଠି ବିଫଳ ହେବେ ସେଠାରେ ତାଙ୍କୁ କ୍ଷମତାକୁ ବିତାଡ଼ିତ କରିବାକୁ ଏହି ନବଗ୍ରହ ପ୍ରୟାସ କରିବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ସୁର ରାଉତରାୟ ।

ସେହିଭଳି କଂଗ୍ରେସ ପରାଜୟର ପାଇଁ କେଉଁଠି ଭୁଲ ରହିଲା ତାହାର ମାନସ ମନ୍ଥନ କରିବ କଂଗ୍ରେସ । ଯେଉଁଥି ପାଇଁ ଏଆଇସିସି ସାଧାରଣ ସମ୍ପାଦକ ତଥା କଂଗ୍ରେସ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଓଡ଼ିଶା ଆସୁଛନ୍ତି । ପରାଜୟର ପୁଙ୍ଖାନୁପୁଙ୍ଖ ତର୍ଜମା କରାଯିବ । ଆଉ ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ କିଭଳି କମବ୍ୟାକ୍ କରିବ ସେଥିପାଇଁ ଦଳ ପ୍ରସ୍ତୁତି ଆରମ୍ଭ କରିବ ବୋଲି କହିଛନ୍ତି ସୁର ।