କନକ ବ୍ୟୁରୋ : ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପରେ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଘର ବାବଦରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ତାଙ୍କ କହିବା ହେଲା ସେପ୍ଟେମ୍ବର ୨୦ ତାରିଖରେ ମମିତାଙ୍କୁ ରାୟପୁର ନେଇଥିଲେ ଗୋବିନ୍ଦ ସାହୁ । ଆଉ ସେଠାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୋବିନ୍ଦ ଓ ମମିତାଙ୍କ ଭିତରେ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଲ ହୋମ ଆପାର୍ଟମେଣ୍ଟରେ ଏହି ବୁଝାମଣା କରିବାକୁ ଚେଷ୍ଟା କରଯାଇଥିଲା।

Advertisment

ରାୟପୁର ଯିବା ଲାଗି କଣ୍ଟାବାଞ୍ଜିରୁ ମହାଲିଙ୍ଗ ଯିବା ପାଇଁ ଝିଅକୁ ବସରେ ବସାଇଥିଲେ ମମିତାଙ୍କ ବାପା । ସେଠାରୁ ରାୟପୁରକୁ ନେଇଥିଲେ ଗୋବିନ୍ଦ ସାହୁ । ସେପ୍ଟେମ୍ବର ୨୩ ତାରିଖ ଯାଏଁ ୪ ଦିନ ସେଠାରେ ରହିଥିଲେ ବୋଲି କଂଗ୍ରେସ ବିଧାୟକ ସୂଚନା ଦେଇଛନ୍ତି । ୨୩ରେ ଫେରି ମମିତା କଂଟାବାଞ୍ଜି ଯାଇଥିଲେ । ଆଉ ବୁଝାମଣା ହୋଇନପାରିବାରୁ ଅକ୍ଟୋବର ୭ ତାରିଖରେ ମମିତାଙ୍କ ଆକାଉଂଟକୁ ୮ ହଜାର ଟଙ୍କା ପଠାଇଥିଲେ ଗୋବିନ୍ଦ । ପରଦିନ ଅର୍ଥାତ ୮ ତାରିଖରେ ମମିତାଙ୍କୁ ପୁଣି ଡକାଇ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଗୋବିନ୍ଦ ସାହୁ । ତେଣୁ ରାୟପୁରର କଲ ରେଜିଷ୍ଟରକୁ ସାମ୍ନାକୁ ଅଣାଯଉ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, ପେନଡ୍ରାଇଭ ଓ ଲାପଟପ ମିଳିଛି, ମାତ୍ର ତାହାର ଖୁଲାସା କରୁ ନାହିଁ ପୁଲିସ । ଏହି ପେନଡ୍ରାଇଭ ଓ ଲାପଟପରେ ଅନେକ ନେତା ମନ୍ତ୍ରୀଙ୍କ ସେକ୍ସ ସ୍କାଣ୍ଡଲ ରହିଛି । ତେଣୁ ପୁଲିସ ଏହାକୁ ଲୁଚାଉଛି । ସୂଚନାଯୋଗ୍ୟ, ପୂର୍ବରୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ବି ଏଭଳି ଅଭିଯୋଗ ଆଣିଥିଲେ ।