ବିଧାନସଭା ଆରମ୍ଭରୁ ତାତି । ଦିବ୍ୟଶଙ୍କରଙ୍କୁ ଗୃହ ଭିତରେ ନ ପୂରାଇ ଦେବାକୁ ଫାଟକ ସାମ୍ନାରେ ବସିଲେ କଂଗ୍ରେସ ବିଧାୟକ ।

115

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ । ଭିଡ଼ିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିବେଶନରେ ଯୋଗ ଦେଇଥିବା ବେଳେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଣିଥିବା ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ସମର୍ଥନ କରିବା ପରେ ଗୃହକୁ ଦିନ ୫ଟା ଯାଏଁ ମୁଲତବୀ କରାଯାଇଛି । ଅନ୍ୟପଟେ ବିଧାନସଭା ଆରମ୍ଭରୁ ତାତି ଦେଖିବାକୁ ମିଳିଛି । ଗୃହ ବାହାରେ ବିରୋଧୀ କଂଗ୍ରେସ ବିଧାୟକ ବିଧାନସଭାର ଦୁଇଟି ଗେଟରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଅନ୍ୟ ଗେଟରେ ତାଲା ପକାଇ ଦେଇଥିଲେ ।

ମମିତା ହତ୍ୟାକାଣ୍ଡ ଘଟଣାରେ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରି କଂଗ୍ରେସ ବିଧାୟକ ବିଧାନସଭା ଫାଟକ ନିକଟରେ ଧାରଣା ଦେଇଛନ୍ତି । ଏପରିକି ଗୃହ ଭିତରକୁ ମନ୍ତ୍ରୀଙ୍କୁ ପୂରାଇ ନେଦେବାକୁ ଏଭଳି ରାସ୍ତା ଆପଣାଇଥିବା କହିଛନ୍ତି କଂଗ୍ରେସ ବିଧାୟକ । କାରଣ ପବିତ୍ର ଗୃହକୁ ମନ୍ତ୍ରୀ ଦିବ୍ୟ ଶଙ୍କର ଆସିଲେ ଏହା ଅପବିତ୍ର ହୋଇଯିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ବିଧାନସଭା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିବା ସହ ରାଜ୍ୟ ସରକାର ଓ ଦିବ୍ୟ ଶଙ୍କରଙ୍କ ବିରୋଧରେ ନାରାବାଜି କରିଛନ୍ତି କଂଗ୍ରେସ ବିଧାୟକ । ତେବେ ଦୁଇଟି ଗେଟରୁ କଂଗ୍ରେସ ବିଧାୟକ ମାନେ ଉଠୁନଥିବା ବେଳେ ଅନ୍ୟ ଗେଟର ତାଲାକୁ ଭାଙ୍ଗିଛନ୍ତି ବିଧାନସଭା କର୍ମଚାରୀ ।

ଏସବୁ ଭିତରେ ଗୃହରେ ଆଜି ପ୍ରଥମ ଦିନରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ରାଜ୍ୟ ସରକାର । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ । ୨୧-୨୨ ଆର୍ଥିକ ବର୍ଷ ପାଇଁ ୧୯ ହଜାର ୩୮୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଚିଠା ଆଗତ ହେବ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅତିରିକ୍ତ ବଜେଟର ପରିମାଣ ବଢାଯାଇଛି । ବିଶେଷ କରି ପାନୀୟ ଜଳ ଯୋଗାଣ, ପଂଚାୟତିରାଜ, ରାସ୍ତା ବାବଦକୁ ଅଧିକ ବ୍ୟୟ ବରାଦ କରାଯାଇଥିବା ସୂଚନା ମିଳିଛି । ଆଗକୁ ପୌର ଓ ପଂଚାୟତ ନିର୍ବାଚନ ଥିବାରୁ ସରକାର କାମଚଳା ବଜେଟର ପରିମାଣ ବଢାଇଥିବା ଅନୁମାନ କରାଯାଉଛି ।