କଂଗ୍ରେସ ବିଧାୟକଙ୍କ ଦବଙ୍ଗଗିରି । ସର୍ବସମ୍ମୁଖରେ ଇଞ୍ଜିନିୟରଙ୍କ ଉପରେ ଢାଳିଲେ କାଦୁଅ ପାଣି, ଭିଡିଓ ହେଲା ଭାଇରାଲ ।

303

ବିଧାୟକଙ୍କ ଦବଙ୍ଗଗିରି । ଟାର୍ଗେଟରେ ସରକାରୀ ଅଫିସର । ଓଡିଶା, ମଧ୍ୟପ୍ରଦେଶ ପରେ ଏବେ ମହାରାଷ୍ଟ୍ରରେ ମଧ୍ୟ ବିଧାୟକଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ରାଜ୍ୟସଭା ସାଂସଦ ନାରାୟଣ ରାଣେଙ୍କ ପୁଅ ନୀତିଶ ରାଣେଙ୍କ ଦବଙ୍ଗଗିରି ଏବେ ସାମ୍ନାକୁ ଆସିଛି ।

କଂଗ୍ରେସ ବିଧାୟକ ନୀତିଶ ରାଣେ ନିଜ ସମର୍ଥକଙ୍କ ସହ ମିଶି ସର୍ବସମ୍ମୁଖରେ ଜଣେ ଇଞ୍ଜିନିୟରଙ୍କ ଉପରେ କାଦୁଅ ପାଣି ପକାଇଛନ୍ତି । ଏପରିକି ତାଙ୍କୁ ବ୍ରିଜ ଉପରେ ବାନ୍ଧି ମାଡ ମାରିବାକୁ ମଧ୍ୟ ଉଦ୍ୟମ କରିଛନ୍ତି । ଯାହାର ଭିଡ଼ିଓ ଏବେ ସାମ୍ନାକୁ ଆସିଛି ।

ଭିଡ଼ିଓ ଅନୁଯାୟୀ, କଂଗ୍ରେସ ବିଧାୟକ ନୀତିଶ ମୁମ୍ବାଇ-ଗୋଆ ହାଇୱେ ଉପରେ ରାସ୍ତା ମରାମତି କାର୍ଯ୍ୟର ଅନୁଧ୍ୟାନ କରୁଥିବା ବେଳେ ସେଠାରେ ହାଇୱେ ଇଞ୍ଜିନିୟର ପ୍ରକାଶ ଶେଦେକର ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ତେବେ ଖାଲଖମାରେ ଭର୍ତ୍ତି ତଥା କାଦୁଅ ପଚପଚ ରାସ୍ତାକୁ ଦେଖି ରାଗି ଯାଇଥିଲେ ନୀତିଶ । ପ୍ରକାଶଙ୍କ ଉପରେ ରାସ୍ତାର କାଦୁଅ ପାଣି ଢାଳିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଊ ବିଧାୟକଙ୍କ ନିର୍ଦ୍ଦେଶ ପାଇବା ମାତ୍ରେ ଇଞ୍ଜିନିୟରଙ୍କ ଉପରେ କାଦୁଅ ପାଣି ପକାଇଥିଲେ ।

ଏହି ଭିଡ଼ିଓରେ ନୀତିଶ ରାସ୍ତାର ଅବସ୍ଥା କଣ ରହିଛି ତାହା ଇଞ୍ଜିନିୟରଙ୍କୁ କହିଥିଲେ । ଏପରିକି ଏହି ରାସ୍ତାର କାମ କେବେ ଆରମ୍ଭ ହେବ ବୋଲି ପଚାରିଥିଲେ । ଆଉ ଏହାପରେ କୌଣସି କାରଣକୁ ନେଇ ନୀତିଶ ରାଗିଯିବା ସହ କହିଥିଲେ, ଆପଣ ମାନେ ସଫା କପଡା ପିନ୍ଧି ଏସି ଗାଡିରେ ଆସୁଛନ୍ତି ବୋଲି ଲୋକଙ୍କ ସମସ୍ୟା ଜାଣି ପାରୁନାହାନ୍ତି । କାଦୁଅରେ ଗଲେ ଲୋକଙ୍କ ସମସ୍ୟା ବୁଝିପାରିବେ । ଆଉ ଏହା କହିବା ପରେ ଇଞ୍ଜିନିୟରଙ୍କ ଉପରେ କାଦୁଅ ପାଣି ପକାଇବାକୁ ସମର୍ଥକଙ୍କୁ କହିଥିଲେ । ଆଉ ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଅପଲୋଡ କରିଥିଲେ ନୀତିଶ ।
ଏହାପୂର୍ବରୁ ମଧ୍ୟପ୍ରଦେଶରେ ବିଜେପିର ବରିଷ୍ଠ ନେତା କୈଳାଶ ବିଜୟବର୍ଗୀୟଙ୍କ ବିଧାୟକ ପୁଅ ଆକାଶ ବିଜୟବର୍ଗୀୟ ପୌର ଅଧିକାରୀଙ୍କୁ ବ୍ୟାଟରେ ପିଟି ଚର୍ଚ୍ଚାକୁ ଆସିଥିଲେ । ସେହିଭଳି ଓଡିଶାରେ ପାଟଣାଗଡର ବିଜେଡି ବିଧାୟକ ସରୋଜ ମେହେର ମଧ୍ୟ ଜେଇଙ୍କୁ ଉଠବସ୍ କରି ଗିରଫ ହୋଇ ଏବେ ଜେଲରେ ରହିଛନ୍ତି ।