ଆଜି ଜୟପୁରରେ ବସିବ କଂଗ୍ରେସ ବିଧାୟକ ଦଳର ବୈଠକ । କିଏ ହେବ ରାଜସ୍ଥାନର ପରବର୍ତି ମୁଖ୍ୟମନ୍ତ୍ରୀ ସେନେଇ ନିଆଯାଇପାରେ ନିଷ୍ପତି

100

କନକ ବ୍ୟୁରୋ : ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ସଭାପତି ନିର୍ବାଚନ ଲଢିବା ସ୍ପଷ୍ଟ ହୋଇଯାଇଥିବା ବେଳେ ତାଙ୍କ ସପକ୍ଷରେ ଗାନ୍ଧୀ ପରିବାର ସମର୍ଥନ ରହୁଥିବାରୁ ସେ ସଭାପତି ହେବା ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି । ଆଉ ଯଦି ଗେହଲଟ ସଭାପତି ହୁଅନ୍ତି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ଛାଡିବାକୁ ପଡିବ । ତେଣୁ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ଏପରି ସ୍ଥଳେ ଆଜି ଜୟପୁରରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବାସଭବନରେ ବିଧାୟକମାନଙ୍କ ବୈଠକ ଡକାଇଛି କଂଗ୍ରେସ । ଏହି ବୈଠକରେ ରାଜସ୍ଥାନର ପରବର୍ତି ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ନିଷ୍ପତି ନିଆଯିବ ବୋଲି କୁହାଯାଉଛି । ବୈଠକର ପୁରା ପରିଚାଳନା କରୁଛି ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟ । ଏଥିପାଇଁ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ରାଜସ୍ଥାନ ପଠାଯାଇଛି । ଖଡଗେ ଏବଂ ରାଜସ୍ଥାନ କଂଗ୍ରେସ ଇନ୍ ଚାର୍ଜ ଅଜୟ ମାକେନ ବୈଠକରେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଅଶୋକ ଗେହଲଟଙ୍କ ପ୍ରତିଦ୍ୱନ୍ଦ୍ୱୀ ସଚିନ ପାଇଲଟ ମୁଖ୍ୟ ଦାବିଦାର ଅଛନ୍ତି । ହେଲେ ଗେହଲଟ ତାଙ୍କୁ ମୁଖ୍ୟମନ୍ତୀ ଆସନ ଦେବାକୁ ପସନ୍ଦ କରୁନଥିବାରୁ ଦଳ ଭିତରୁ ନୂଆ ମୁହଁକୁ ସୁଯୋଗ ମିଳିପାରେ ବୋଲି କୁହାଯାଉଛି । ନିକଟରେ ସଚିନ ପାଇଲଟ୍ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ ଯାତ୍ରାରେ ଯୋଗଦେଇ ଫେରିବା ପରେ ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟି ରାଜସ୍ଥାନ ଫେରିଥିଲେ । ଯଦି ସଚିନଙ୍କୁ ମୁଖ୍ୟମନ୍ତ୍ରୀ କରାନଯାଏ ତେବେ ସଚିନ ପାଇଲଟଙ୍କ ଗୋଷ୍ଠୀ ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ କରିପାରନ୍ତି ବୋଲି କୁହାଯାଉଛି । କାରଣ ୨୦୨୦ରେ ପାଇଲଟ ଏବଂ ତାଙ୍କର କିଛି ସହଯୋଗୀ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହୋଇଥିଲା ।