ସାଙ୍ଗ ହୋଇ ନାଚିଲେ ଶାସକ ଓ ବିରୋଧୀ! ଲୋକ ଦେଖି ହେଲେ ଆବାକାବା

23

କନକ ବ୍ୟୁରୋ : ସାଙ୍ଗ ହୋଇ ନାଚିଲେ ଶାସକ ଓ ବିରୋଧୀ । ଗୋଟିଏ ମଞ୍ଚରେ ଠୁମକା ଲଗାଇଲେ ବିଜେଡି ଓ କଂଗ୍ରେସ ନେତା । ଆଉ ଏଭଳି ଏକ ବିରଳ ଦୃଶ୍ୟ କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳିଛି । କୋରାପୁଟର ଲକ୍ଷ୍ମୀପୁରରେ ହୋଇଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ବିଜେଡି ସାଂସଦ ଓ କଂଗ୍ରେସ ବିଧାୟକଙ୍କୁ ସାଙ୍ଗ ହୋଇ ନାଚୁଥିବାର ଦେଖିବାକୁ ମିଳିଛି । ଯାହା ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି କୋରାପୁଟର ଲକ୍ଷ୍ମୀପୁରରେ ଆୟୋଜିତ ହୋଇଥିଲା ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ । ସଭାରେ ବିଜେଡିର ସମସ୍ତ ଜନପ୍ରତିନିଧି ଯୋଗ ଦେଇଥିବା ବେଳେ କଂଗ୍ରେସ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକଙ୍କୁ ଦେଖିବାକୁ ମିଳିଥିଲା । ଆଉ ସଭା ସରିବା ପରେ ଏକାଠି ହୋଇଥିଲେ ସମସ୍ତ ନେତା । ଆରମ୍ଭ ହୋଇଥିଲା ନାଚଗୀତ ।

ମଞ୍ଚ ଉପରେ ସ୍ଥାନୀୟ ଅଞ୍ଚଳର ଲୋକନୃତ୍ୟ ଡେମସା ନାଚରେ ଠୁମକା ଲଗାଇବା ଆରମ୍ଭ କରିଥିଲେ ସାଂସଦ ଝିନ୍ନ ହିକକା । ପରକୁ ପର ସାଂସଦଙ୍କୁ ସାଥ୍ ଦେଇଥିଲେ ଅନ୍ୟ ନେତା । ଏପରିକି କଂଗ୍ରେସ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ମଧ୍ୟ ନିଜକୁ ରୋକି ପାରନଥିଲେ । ମଞ୍ଚ ଉପରକୁ ଯାଇ ବିଜେଡି ସାଂସଦଙ୍କ ସହ ମନଭରି ନାଚି ଥିଲେ କୈଳାସ କୁଲେସିକା । ତେବେ ବିଜେଡି ନେତାଙ୍କ ସହ କଂଗ୍ରେସ ବିଧାୟକ କୈଳାସ କୁଲେସିକାଙ୍କ ନାଚକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ କୈଳାସ ଖୁବଶୀଘ୍ର ହାତ ଛାଡି ଶଙ୍ଖ ଧରିବେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।