ଉନାଓ ଏବଂ କାଠୁଆ ଦୁଷ୍କର୍ମ ନେଇ ଦିଲ୍ଲୀରେ କଂଗ୍ରେସର ମିଡନାଇଟ ମାର୍ଚ : ଇଣ୍ଡିଆ ଗେଟ୍ ସାମ୍ନାରେ ନିର୍ଭୟାକାଣ୍ଡର ପ୍ରତିବାଦ ଭଳି ଦୃଶ୍ୟ । ରାହୁଲଙ୍କ ହୁଙ୍କାର, ପ୍ରିୟଙ୍କାଙ୍କୁ ଠେଲାପେଲା

120

କନକ ବ୍ୟୁରୋ : ୟୁପି ର ଉନାଓ ଓ କାଠୁଆ କାଣ୍ଡ ନେଇ ଜଳୁଛି ଦେଶ । ଦିଲ୍ଲୀ ଇଣ୍ଡିଆ ଗେଟ୍ ସାମ୍ନାରେ ୨୦୧୨ର ନିର୍ଭୟାଭାଣ୍ଡର ପ୍ରତିବାଦ ଭଳି ଦୃଶ୍ୟ । କାଠୁଆ ବଳାତ୍କାର ଘଟଣାର ପ୍ରତିବାଦର କଂଗ୍ରେସ ପକ୍ଷରୁ ଦିଲ୍ଲୀର ଇଣ୍ଡିଆ ଗେଟ୍ ସାମ୍ନାରେ ମଧ୍ୟରାତ୍ରରେ କ୍ୟାଣ୍ଡେଲ ରାଲ କରାଯାଇଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ରୋବର୍ଡ ଭଦ୍ରାଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ବଡ ଧରଣର ପ୍ରତିବାଦ ରାଲି ଆୟୋଜିତ ହୋଇଛି ।

ଏଥିରେ ନିର୍ଭୟାର ମାତାପିତାଙ୍କ ମଧ୍ୟ ସାମିଲ ହୋଇଥିଲେ । ଏହି ରାଲିରେ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ସମାଲୋଚନା କରିବା ସହ ମହିଳାଙ୍କ ବିରୋଧରେ ହେଉଥିବା ଅତ୍ୟାଚାରକୁ ସ୍ୱୀକାର କରିବାକୁ ଆହ୍ୱାନ ଦେଇଛନ୍ତି । ଏହା କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ ବୋଲି ରାହୁଲ କହିଛନ୍ତି । ମୋଦିଙ୍କ ସରକାରେ ମହିଳାମାନେ ପଦାକୁ ଗୋଡ଼ କାଢ଼ିବାକୁ ଭୟ କରୁଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି । ମହିଳାମାନଙ୍କ ସୁରକ୍ଷାକୁ ସରକାର ନିଶ୍ଚିତ କରନ୍ତୁ ବୋଲି କଂଗ୍ରେସ ଅଧ୍ୟକ୍ଷ ଦାବି କରିଛନ୍ତି । ଏହି ଦୁଇଟି ବଳାତ୍କାର ଘଟଣା ରାଜନୈକିତ ପ୍ରସଙ୍ଗ ନୁହେଁ ବରଂ ଏହା ସାଧାରଣ ଜନତାର ପ୍ରସଙ୍ଗ ବୋଲି ରାହୁଲ କହିଛନ୍ତି । ଲୋକ ସ୍ୱତଃପ୍ରବୃତ ଭାବରେ ଏହି କ୍ୟାଣ୍ଡେଲ ରାଲିରେ ସାମିଲ ହୋଇଥିବା ରାହୁଲ କହିଛନ୍ତି ।

ସେହିପରି କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍ ମଧ୍ୟ ମୋଦି ଏବଂ ଯୋଗୀ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି । କହିଛନ୍ତି- ସରକାର ଶୋଇଛନ୍ତି ଏବଂ କଂଗ୍ରେସ ନିଦ ଭାଙ୍ଗିବା ପାଇଁ ଆସିଛି । ମୋଦି ସରକାର ବେଟି ବଢ଼ାଓ ବେଟି ବଚାଓ ସ୍ଲୋଗାନ ଦେଉଛନ୍ତି, ହେଲେ ତାଙ୍କ ଶାସନରେ କ’ଣ ଚାଲିଛି ଦେଖନ୍ତୁ ବୋଲି ଗୁଲାମନବୀ ଆଜାଦ୍ କହିଛନ୍ତି । ବିଜେପି ନେତା ଓ ମନ୍ତ୍ରୀ ମାନଙ୍କୁ ସରକାର ଘଂଟ ଘୋଡାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏହି କ୍ୟାଣ୍ଡେଲ ରାଲିରେ ରାହୁଲ ଗାନ୍ଧୀଙ୍କ ସମେତ ସଲମାନ ଖୁର୍ସିଦ, ଅହମଦ ପଟେଲ, ଅଶୋକ ଗେହେଲଟଙ୍କ ଭଳି କଂଗ୍ରେସ ନେତା ମଧ୍ୟ ସାମିଲ ହୋଇଥିଲେ । ରାତି ୧୨ଟାରେ ରାଲିରେ ସାମିଲ ହୋଇଥିଲେ କଂଗ୍ରେସ ଅଧ୍ୟକ୍ଷ ।

ସେପଟେ ମିଡ ନାଇଟ ମାର୍ଚରେ ପ୍ରିୟଙ୍କା ଗାନ୍ଧିଙ୍କୁ ଠେଲାପେଲା କରାଯାଇଥିଲା । ଏହାକୁ ନେଇ ପ୍ରିୟଙ୍କା ବି କିଛି ସମୟ ପାଇଁ ରାଗିଯାଇଥିଲେ । ଏପରିକି ସେ କାର୍ଯ୍ୟକର୍ତ୍ତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ମାର୍ଚ୍ଚ ସମୟରେ ପ୍ରିୟଙ୍କାଙ୍କୁ ଚାଲିଆକୁ କଂଗ୍ରେସ କର୍ମୀ ଘେରିଯାଇଥିଲେ ଓ ଭିଡ ଯୋଗୁଁ ସେ ବାହାରକୁ ବାହାରିପାରିନଥିଲେ । ଏହି ସମୟରେ ପ୍ରିୟଙ୍କାଙ୍କ ଝିଅ ବି ଫସିଯାଇଥିଲେ । ପ୍ରିୟଙ୍କା ଗାନ୍ଧି ଏହା ପରେ ନିଜ ଝିଅ ସହ ଭିଡ ଭିତରେ ଆଗକୁ ବଢିଥିଲେ । ଏହା ପରେ କିଛି କର୍ମୀଙ୍କ ଉପରେ ସେ ବିଗିଡିବା ଦେଖାଯାଇଥିଲା । ସେ କହିଥିଲେ, କର୍ମକର୍ତ୍ତା ମାର୍ଚ ପାଇଁ ଆସିଛନ୍ତି ନା ଏଭିଳି ବିଶୃଙ୍ଖଳା କରିବାକୁ ଆସିଛନ୍ତି ।