ବାଲେଶ୍ୱର, ଗୁଣପୁର, ପିପିଲିରେ ଟାୟାର ଜାଳି ରାସ୍ତାରୋକ: କଟକରେ ଗାଡି ଚଳାଚଳ ପ୍ରଭାବିତ; ବାଦାମବାଡିରୁ ଯାଉନି ବସ୍, ମାଲକାନଗିରିରେ ଦେକାନ ବଜାର ବନ୍ଦ

78

କନକ ବ୍ୟୁରୋ: ବ୍ରହ୍ମପୁରରେ ବି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କଂଗ୍ରେସ ସମିତ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଉଛି । ରେଳ ଷ୍ଟେସନରେ ଧାରଣା କରୁଛନ୍ତି ଆନ୍ଦୋଳନକାରୀ । କିଛି ସମୟ ମଧ୍ୟରେ ଦୋକାନ ବଜାର ବନ୍ଦ ପାଇଁ ନିଷ୍ପତି ହୋଇଛି ।

କେନ୍ଦ୍ରାପଡ଼ାରେ ମଧ୍ୟ ବିଭିନ୍ନ ସଂଗଠନ ମଧ୍ୟରୁ ଏହି ବନ୍ଦ ଡ଼ାକରା ଦିଆଯାଇଛି । କଂଗ୍ରେସ ସମେତ ୧୮ଟି ରାଜନୈତିକ ଦଳ ଏହି ବନ୍ଦ ଡ଼ାକରାକୁ ସମର୍ଥନ କରିଛନ୍ତି । କେନ୍ଦ୍ରାପଡ଼ା ତିନିମୁହାଣି ଛକରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ସରକାର କୃଷି ଆଇ ପ୍ରତ୍ୟାହାର ଦାବିରେ ଚାଷୀମାନେ ଧାରଣାରେ ବସିଛନ୍ତି ।

ମାଲକାନାଗିରିରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବନ୍ଦକୁ ସମର୍ଥନ ଜଣାଇ ଦୋକାନ ବଜାର ବନ୍ଦ ରହିଛି । କୃଷି ଆଇନ ପ୍ରତ୍ୟାହାର ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଚାଷୀ ।

ଆଜି ଦେଶବ୍ୟାପି ଭାରତ ବନ୍ଦ ଡ଼ାକରା । ଏହି ବନ୍ଦ ଡ଼ାକରାକୁ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରୁଛି କଂଗ୍ରେସ । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଏହି ବନ୍ଦ ଡ଼ାକରା ଦିଆଯାଇଥିବା ବେଳେ ବାଲେଶ୍ୱରରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଷ୍ଟେସନ ଛକ ଓ ଅନ୍ୟ ଛକମାନଙ୍କର ଆନ୍ଦୋଳନକାରୀମାନେ ପିକେଟିଂ କରୁଥିବା ଦେଖିବାକୁ ମିଳିଛି । ଜରୁରୀ ସେବା ବ୍ୟତିତ ସମସ୍ତ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି । ଛୋଟୋମୋଟ ଦୋକାନ ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।

ରାୟଗଡା ଜିଲ୍ଲା ଗୁଣପୁରରେ ଭାରତ ବନ୍ଦର ପ୍ରଭାବ ସକାଳୁ ସକାଳୁ ଦେଖିବାକୁ ମିଳିଛି । କୃଷକ ସଂଗଠନର ବନ୍ଦ ଡାକରାକୁ ସମର୍ଥନ ଜଣାଇ ବନ୍ଦ ପାଳନ କରିଛନ୍ତି ସିପିଆଇଏମଏଲ ଲିବେରସନ ଦଳ । ଗୁଣପୁର ଓଭରବ୍ରିଜ ନିକଟରେ ସିପିଆଇଏମଏଲ ଲିବେରସନ ଦଳ କର୍ମୀମାନେ ଟାୟାର ଜାଲି ରାସ୍ତା ରୋକ କରିଛନ୍ତି । ରାସ୍ତାରେ ଟାୟାର ଜାଳି ଅବରୋଧ କରାଯାଇଥିବାରୁ ଯାତାୟତ ପ୍ରଭାବିତ ହୋଇଛି । କୃଷକ ସଂଗଠନର ବନ୍ଦ ପାଳନକୁ ସ୍ଥାନୀୟ ଅଂଚଳର ବହୁ ସଂଗଠନ ସମର୍ଥନ କରୁଛନ୍ତି ।