ଆସନ୍ତା ୧୬ରେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ । ସାଧାରଣ ନିର୍ବାଚନ ନେଇ ହେବ ମାନସ ମନ୍ଥନ!

97

କନକ ବ୍ୟୁରୋ : ଆସନ୍ତା ୧୬ ତାରିଖରେ ହେବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ । ଏନେଇ କଂଗ୍ରେସ ମହାସଚିବ କେସି ଭେନୁଗୋପାଲ ଟୁଇଟ କରି ସୂଚନା ଦେଇଛନ୍ତି । ଅକ୍ଟୋବର ୧୬ ସକାଳ ୧୦ ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଦେଶର ପ୍ରମୁଖ ବିରୋଧି ଦଳର ଅଧ୍ୟକ୍ଷ ଯୋଗ ଦେଇ ପାରନ୍ତି । ବୈଠକରେ ଆସନ୍ତା ସାଧାରଣ ନିର୍ବାଚନ ନେଇ ମାନସ ମନ୍ଥନ ହେବ ବୋଲି ସୂଚନା ମିଳିଛି । ଏହାସହ ବୈଠକରେ ଦେଶର ବର୍ତମାନର ରାଜନୈତିକ ସ୍ଥିତି, ନୂଆ ଅଧ୍ୟକ୍ଷ ବାଛିବା ନେଇ ଆଲୋଚନା ହେବ ।
ଆଗାମୀ ବର୍ଷ ୟୁପି ସମେତ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାବେଳେ କଂଗ୍ରେସ ପକ୍ଷରୁ ୧୬ ତାରିଖରେ ସିଡବ୍ଲୁସି ବୈଠକ ମଧ୍ୟ ଡକାଯାଇଛି । ଦେଶରେ ଏବେ କଂଗ୍ରେସର ଅବସ୍ଥା ଶୋଚନୀୟ ଥିବାବେଳେ ନିକଟରେ ଅନେକ କଂଗ୍ରେସ ଶାସିତ ରାଜ୍ୟରେ ମଧ୍ୟ ଅନ୍ତଃ-କନ୍ଦଳ ଲାଗିରହିଛି । ଖାଲି ସେତିକି ନୁହେଁ ଦଳର ପ୍ରମୁଖ ନେତୃତ୍ୱ ମଧ୍ୟ ପଂଜାବ କଂଗ୍ରେସ ଓ ଅଧ୍ୟକ୍ଷ ପଦ ତଥା ଶୀର୍ଷ ନେତୃତ୍ୱକୁ ନେଇ ଅନେକ ସମୟରେ ଖୋଲାଖୋଲି ସମାଲୋଚନା କରିଛନ୍ତି । ତେବେ ଆଗାମୀ ଦିନରେ କଂଗ୍ରେସର ସଭାପତି କେହି ନୂଆ ହେଉଛନ୍ତି ନା ପୁଣି ଥରେ ସୋନିଆ ଅପରିବର୍ତିତ ରହୁଛନ୍ତି ତାହା ଦେଖିବାକୁ ବାକି ରହିଲା ।